ନାଗ ହୁଙ୍କାରେ ଇଡି : ଘାଇଲା ହେବେ କି ବଡ଼ବଡ଼ିଆ ?
archana nag

ନେତା, ବ୍ୟବସାୟୀ ଓ ଫିଲ୍ମ ପ୍ରଯୋଜକଙ୍କୁ ବ୍ଲାକମେଲ୍‌ କରି ମାୟାବିନୀ ସୁନ୍ଦରୀ ଅର୍ଜନା ନାଗ କୋଟି କୋଟି ଟଙ୍କା ରୋଜଗାର କରୁଥିଲା। ମାତ୍ର ୫ ବର୍ଷରେ ଅର୍ଜନା ଏତେ ସମ୍ପତ୍ତି କିପରି ଅର୍ଜନ କଲେ ତାର ହିସାବ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ବୁଧବାର ଇଡି ୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ନାଗ ହୁଙ୍କାରେ ଇଡି ପଶିବା ପରେ ବହୁ ଗୁମର ପଦାକୁ ଆସିବ ବୋଲି ଆଶା କରାଯାଉଛି। ବ୍ଲାକମେଲିଂର ମାଷ୍ଟର ମାଇଣ୍ଡ ଅର୍ଚ୍ଚନା ନାଗ, ସ୍ଵାମୀ ଜଗବନ୍ଧୁ ଚାନ୍ଦ, ଖଗେଶ୍ଵର ସାହୁ ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ଇଡି ମାମଲା ରୁଜୁ କରିଛି। ମାମଲାର ତଦନ୍ତ ଭାର ଜଣେ ସହକାରୀ ନିର୍ଦ୍ଦେଶକଙ୍କୁ ଦିଆଯାଇଛି। ତାଙ୍କ ନେତୃତ୍ବରେ ୪ଜଣିଆ ତଦନ୍ତକାରୀ ଟିମ୍ ଗଠନ କରାଯାଇଛି। ପ୍ରଥମ ଦିନରେ ଇଡି ଅଭିଯୁକ୍ତମାନଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ ଖୋଳତାଡ଼ କରିଛି। ଗତକାଲି ଖଣ୍ଡଗିରି ଥାନା ପୁଲିସ୍ ଇଡି ଅଫିସକୁ ଯାଇ ଘଟଣାର ତଦନ୍ତ ବିଷୟରେ ସବୁ ତଥ୍ୟ ଦେଇଥିଲା। ତା’ଛଡ଼ା କମିଶନରେଟ୍ ପୁଲିସ୍ ଯେଉଁ ୫ଟି ଆକାଉଣ୍ଟର ଷ୍ଟେଟମେଣ୍ଟ ବାହାର କରିଥିଲା ସେ ସବୁର ନକଲ କପି ମଧ୍ୟ ଇଡିକୁ ଦେଇଛି। 

ମୁଖ୍ୟତଃ ଆର୍ଥିକ କାରବାର ବାବଦରେ ଅଧିକ ତଥ୍ୟ ହାସଲ କରିବା ଇଡି ତଦନ୍ତର ଲକ୍ଷ୍ୟ । କେଉଁ କେଉଁ ଆକାଉଣ୍ଟରୁ ଅର୍ଜନାଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି ତାହା ସ୍ପଷ୍ଟ ହେବ। ଜଣେ ବାହୁବଳୀ ନେତାଙ୍କ ପୁତୁରା ଆକାଉଣ୍ଟରୁ ଅର୍ଜନା ପାଖକୁ ଲକ୍ଷ ଲକ୍ଷ ଟଙ୍କା ଆସିଥିଲା। ଏ ସବୁ ପ୍ରମାଣ ପୁଲିସ୍ ପାଖରେ ରହିଛି। ହେଲେ ସେ ବାହୁବଳୀ ନେତା କି ପୁତୁରାକୁ ପୁଲିସ୍ ଜେରା କରିନଥିଲା। କେଉଁମାନେ କାର୍, ସୁନା, ପ୍ଲଟ୍ଓ  ଦାମୀ ଉପକରଣ ଗିଫୁ କରିଛନ୍ତି ସେମାନଙ୍କୁ ମଧ୍ୟ ଇଡି ଖୋଜିବ। ଏଥିରେ ସଂପୃକ୍ତ ଥିବା ଲୋକଙ୍କୁ ପ୍ରଥମେ ଇଡ଼ି ନୋଟିସ୍ କରିବ । ତା’ପରେ ଅର୍ଚ୍ଚନାଙ୍କ ସହ ତାଙ୍କର ଆର୍ଥିକ କାରବାରର କାରଣ ଖୋଜିବ। ବଡ଼ କଥା ହେଲା ଶ୍ରଦ୍ଧାଞ୍ଜଳି ଦୀର୍ଘ ଦିନ ହେବ ଅର୍ଚ୍ଚନା ସହ କାମ କରୁଥିଲା। ତା’ ମାଧ୍ୟମରେ ମଧ୍ୟ ଟଙ୍କା ଆଦାୟ କରୁଥିଲା। କିଛି ମାସ ତଳେ ଶ୍ରଦ୍ଧାଞ୍ଜଳି ଜରିଆରେ ଅର୍ଚ୍ଚନା ଦକ୍ଷିଣ ଓଡ଼ିଶାର ଜଣେ ନେତାଙ୍କଠାରୁ ୩୦ ଲକ୍ଷ ଟଙ୍କା ଆଣିଥିଲେ।  ଯାହାକୁ ନେଇ ବିବାଦ ହୋଇଥିଲା। ଶେଷରେ ଶ୍ରଦ୍ଧାଞ୍ଜଳି ଅର୍ଜନା ବିରୋଧରେ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ । ଏହି ଟଙ୍କା ବିଷୟରେ ଶ୍ରଦ୍ଧାଞ୍ଜଳିକୁ ଇଡି ପଚରାଉଚରା କରିବ ବୋଲି ଜଣାପଡ଼ିଛି । ଏହା ବ୍ୟତୀତ ଅର୍ଜନାକୁ ଜେଲ୍‌ରେ ଜେରା କରାଯିବ ବୋଲି ଜଣାପଡ଼ିଛି। 

୨୦୧୬ରେ ଭୁବନେଶ୍ଵରରେ ଘର ଭଡ଼ା ନେଇ ରହୁଥିବା ଅର୍ଚ୍ଚନା ୨୦୨୦ ମସିହା ଶେଷ ବେଳକୁ କୋଟି କୋଟି ଟଙ୍କାର ମାଲିକ ପାଲଟିଥିଲା। ନିଜକୁ ଜଣେ ପୁରୁଣା କାର୍ ବ୍ୟବସାୟୀ ବୋଲି ପରିଚୟ ଦେଉଥିଲେ । ଗିରଫ ହେବା ପରେ ଅନେକ ତଥ୍ୟ ପଦାକୁ ଆସିଛି। ଇଡିର ମୁଖ୍ୟ ଲକ୍ଷ୍ୟ ରହିଛି, ଅର୍ଚ୍ଚନା ପୁରୁଣା କାର୍ ବ୍ୟବସାୟକୁ ଛାଡ଼ିଲେ ଆଉ କ’ଣ ବ୍ୟବସାୟ କରୁଥିଲେ ? କେଉଁ ଉପାୟରେ କୋଟି କୋଟି ଟଙ୍କା ଅର୍ଜନ କରିଛନ୍ତି ? ଆକାଉଣ୍ଟକୁ ଛାଡ଼ିଲେ କେତେ ଟଙ୍କା ନଗଦ କାରବାର ହୋଇଛି ? ଯେଉଁମାନଙ୍କ ସହ ଆକାଉଣ୍ଟରେ କାରବାର ହୋଇଛି କ’ଣ ପାଇଁ ହୋଇଛି ? ପ୍ରତି ମାସରେ ଜଗବନ୍ଧୁଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ୍ ପଛରେ କାରଣ କ’ଣ ? ଏମିତି ଅନେକ ପ୍ରଶ୍ନ ଖୋଜିବ ଇଡି। 

ସୂଚନା ମୁତାବକ, ଅର୍ଜନା ରାଜ୍ୟର ବଡ଼ ବଡ଼ ନେତା ଓ ବ୍ୟବସାୟୀଙ୍କୁ ନିଜ ଜାଲରେ ଫସାଇ ସେମାନଙ୍କର ଅଶ୍ଳୀଳ ଫଟୋ ଓ ଭିଡିଓ ରଖି ବ୍ଲାକ୍‌ମେଲିଂ କରି କୋଟି କୋଟି ଟଙ୍କା ମାଗୁଥିଲେ। ଲୋକଲଜ୍ଜା ଭୟରେ ନେତାମନ୍ତ୍ରୀମାନେ ଟଙ୍କା ଦେଉଥିଲେ । କିନ୍ତୁ ଓଲିଉଡ୍ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକ୍‌ମେଲିଂ ପରେ ଅର୍ଚ୍ଚନାର କାରନାମା ପଦାକୁ ଆସିଥିଲା।

Share this story