ତୁଟିଗଲା ବୁଝାମଣା, ସରିଗଲା କାହାଣୀ

nag archana

ଭୁବନେଶ୍ୱରରୁ ସୁନ୍ଦରଗଡ଼ ଯାଏ ହକି ପାଇଁ ସାରା ସହର ରଙ୍ଗୀନ । ରାସ୍ତାଘାଟରେ ଚାଲିଚି ରଙ୍ଗବୋଳା ସାଙ୍ଗକୁ ସୌନ୍ଦର୍ଯ୍ୟ କରଣ । ରାସ୍ତା କଡ଼ ପରିବାପତ୍ର ଦୋ । ହକି ସାଙ୍ଗକୁ ରାଜନୀତି ମଧ୍ୟ ଏମିତି କଲାଣି ଯେ ଶୀତ ଆଉ ଜଣାପଡୁନି । ଯିଏ ଯାହା ଢଙ୍ଗରେ ପ୍ରଚାର କରିଦେଲାଣି ଆରମ୍ଭ । ନଡ୍ଡା ମଧ୍ୟ ଦିନକ ପାଇଁ ଆସି ପଦ୍ମଚିହ୍ନ ପାଇଁ ଭୋଟ ମାଗି ସାରିଲେଣି । 

ମୁଖ୍ୟମନ୍ତ୍ରୀ ବି କହିଲେଣି ଯେ ଆମ ପାଖରେ ମହିଳାଙ୍କ ଭୋଟ ଅଛି । ଶହେ ବର୍ଷ ଯାଏ ଚାଲିବ ଶଙ୍ଖ ରାଜୁତି । ମୋଗଲ ଓ ଇଂରେଜ ପରେ ଓଡ଼ିଶାରେ ସବୁଠୁ ବେଶି ଦିନ ରାଜ କରିବ ଶଙ୍ଖ ବୋଲି କଟାକ୍ଷ କରି ବିରୋଧୀ କହୁଛନ୍ତି । 

କିନ୍ତୁ ସାରା ରାଜ୍ୟରେ ଚହଳ ପକାଇଥିବା ନାଗ ଅପେରାର ନାଗଫାସର କାହାଣୀ ଆଉ ଲୋକଙ୍କୁ ଆକୃଷ୍ଟ କରୁ ନାହିଁ କି ବିରୋଧୀ ଏହି ପ୍ରସଙ୍ଗ ଆଉ ଉଠାଉ ନାହିଁ । ନାୟିକା ଶ୍ରଦ୍ଧାଞ୍ଜଳି ଏ ପର୍ଯ୍ୟନ୍ତ ଗିରଫ ହେଇନି । ସବୁ କିଛି ଥମିଗଲା ପରି ଲାଗୁଛି । ଜଗବନ୍ଧୁ ଗିରଫ ହେବାପରେ କିଛି ବି ପକ୍କା ଖବର ବାହାରକୁ ଆସୁନି । ନାଗ କାହାଣୀର ଫଟୋ ପ୍ରଦର୍ଶନୀ ପରେ ଯେଉଁ ନେତା ଓ ମନ୍ତ୍ରୀ ମାନଙ୍କର ହୋସ ଉଡ଼ି ଯାଇଥିଲା ସେମାନେ ପୁଣି ଥରେ ଆକ୍ଟିଭ ହୋଇ ଉଠିଲେଣି । କଥା ପଡ଼ିଲେ ସେମାନେ ଏବେ ହସି, ନାଗକୁ ବିଦ୍ରୁପ କରୁଚନ୍ତି । ରାଜ୍ୟ ବଦଳେଇବାକୁ ବାହାରିଥିବା ନାଗ ନିଜେ ବଦଳି ଗଲାଣି ବୋଲି କଟାକ୍ଷ କରୁଚନ୍ତି ସେମାନେ । ଗୋବିନ୍ଦର ମୃତ୍ୟୁ ପରେ ନାଗ ବି ଡରି ଯାଇଛନ୍ତି ବୋଲି ଚର୍ଚ୍ଚା ହଉଚି । 

ଓଲଟା ସରକାରଙ୍କୁ ଅଡ଼ୁଆରେ ପକାଇବାକୁ ଯିଏ ବି ଚେଷ୍ଟା କରିଛି ତାହାର ଫଳ କେବେ ବି ଭଲ ହେଇନି ବୋଲି ବିରୋଧୀ କହି ବୁଲୁଛନ୍ତି । ସିବିଆଇ ପରି ଇଡି ବି ଥଣ୍ଡା ପଡ଼ିଗଲା କେମିତି ? ତେବେ ଚର୍ଚ୍ଚା ଚାଲିଚି ଯେ ମୁଖୁଆ ଥରେ ଦିଲ୍ଲୀ ଯାଇ ଲେଉଟିବା ପରେ ଆଉ ଇଡିର ତାକତ ଅଛି କି ? ସବୁ କଳା ଓ ଶକ୍ତି ହରଣ ହେଇଯାଇଛି। ଆଉ ଏହା ବି ଆଲୋଚନା ହଉଛି ଯେ ବିଶ୍ୱକପ୍ ହକି ପାଇଁ ଇଡି ବାଲା ତୁନି ପଡିଛନ୍ତି । ଖେଳ ସରିବା ପରେ ପୁଣି ପାୱାର ଦେଖେଇବ ଇଡି । କାରଣ ଯାହା ବି ହେଉ ନା କାହିଁକି ସିବିଆଇ ପରେ ଇଡିକୁ ନେଇ ଆଉ କାହାର ଭରସା ନାହିଁ ।

Share this story