କୋଳି ଖାଇ ମଞ୍ଜି ପୋତିଥିଲେ କି ସୂର୍ଯ୍ୟ ବାବୁ ?

baplaba

ଏବେ କା’ ଯୁଗ । ଇମିତି ହେଲାଣି ଯେ କ୍ରିକେଟରେ ମଧ୍ୟ କା’ ପଶି ଗଲାଣି । ଜଣେ ଖେଳୁ ଖେଳୁ ପଳେଇବେ। ତାଙ୍କ ସ୍ଥାନରେ ଆଉ ଜଣେ ଆସିବେ । ୟାଙ୍କୁ କୁହାଯାଇଛି କା' ଖେଳାଳି। ଏବେ ଚାରିଆଡ଼େ ଏଇ କା’ ରୋଗ ବ୍ୟାପି ଗଲାଣି । ମା’ ବଦଳରେ ଝିଅ ପାଠ ପଢ଼ାଇଲାଣି । ମା’ ଶିକ୍ଷୟିତ୍ରୀ କିନ୍ତୁ ତାଙ୍କ କା’ରେ ଝିଅ ପାଠ ପଢ଼ାଉଥିବା ଭିଡିଓ ଏବେ ଭାଇରାଲ। ରାଜକନିକାର ଏକ ସ୍କୁଲରେ ଏହି ଅଜବ ଦୃଶ୍ୟ ସାରା ରାଜ୍ୟରେ ପକାଇଲାଣି ଚହଳ। କିନ୍ତୁ ଏହା ପଛରେ ଏକ ମହତ ଉଦ୍ଦେଶ୍ୟ ଅଛି। ଝିଅକୁ ଦୋଷ ଦେଲେ ଚଳିବନି । ମା’ ଅସୁସ୍ଥ, ସ୍କୁଲ ନଆସିଲେ ପିଲାଙ୍କ ପାଠ ପଢ଼ା କ୍ଷତି ହେବ। ତେଣୁ ଝିଅ ଆସି ଯଦି ପଢ଼ାଇଲେ କ୍ଷତି କ’ଣ ବରଂ ଲାଭ। ଝିଅକୁ ତ ସରକାର ଦୋହରା ଦରମା ଦେବେନି । ତେଣୁ ୟାକୁ ଏକ ଧର୍ତ୍ତବ୍ୟ ଅପରାଧ ବୋଲି ଧରିବା ଠିକ ନୁହେଁ । 

ଏବେ ତ ଜାଣିଥିବେ  ମହିଳା ସରପଞ୍ଚ ନାଁକୁ । ସାମୀ ସବୁକିଛି, ପଞ୍ଚାୟତ ଦାୟିତ୍ବ ସ୍ୱାମୀ ମୁଣ୍ଡ ଉପରେ। ଏମିତି ଭଦାହରଣ ଅନେକ । ୟାକୁ କି ମହିଳା ସଶକ୍ତିକରଣ କହିବ ? କିନ୍ତୁ ବଡ଼ ବଡ଼ ନେତାଙ୍କୁ ଗ୍ରାସିଲାଣି କା' ରୋଗ। ବାପା ବିଧାୟକ । ଯାଇଦାୟି ବିଧାୟକ ନୁହଁନ୍ତି । ବରିଷ୍ଠ ପୂର୍ବତନ ମନ୍ତ୍ରୀ, ବାଚସ୍ପତି ବି ଥିଲେ । ତାଙ୍କ ପୁଅ ବାପାଙ୍କ ଠାରୁ କା’ ନେଇ ସ୍କୁଲରେ ରାଜନୀତି ଆରମ୍ଭ କରିଦେଲେଣି । ବାପା ଅନୁପସ୍ଥିତ ବୋଲି ପୁଅ ହୋଇଯିବେ କି ବିଧାୟକ ? ଆମେ ସୂର୍ଯ୍ୟ ବାବୁ ଓ ତାଙ୍କ ପୁଅ ବିପ୍ଳବଙ୍କ କଥା କହୁଛୁ ଏ ଭିଡିଓ ମଧ୍ୟ ଭାଇରାଲା ହେଲାଣି । ସତ କି ମିଛ ବାପାପୁଅ ଜାଣିଥିବେ। 

ଦିଗପହଣ୍ଡି  ନିର୍ବାଚନ ମଣ୍ଡଳୀରେ ଏକ ସରକାରୀ ବିଦ୍ୟାଳୟରେ ପୋଷାକ ବାଣ୍ଟୁଛନ୍ତି ପୁଅ ବିପ୍ଳବ । ଏମିତି ଅଧିକାର ତାଙ୍କୁ ଦେଲା କିଏ ? ସୂର୍ଯ୍ୟ ବାବୁ ବିଧାୟକ ବୋଲି ବାଣ୍ଟିପାରିବେ । ତାଙ୍କ ଅନୁପସ୍ଥିତିରେ ଶିକ୍ଷା ବିଭାଗ ଅଧିକାରୀ କିମ୍ବା ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ବାଣ୍ଟିପାରିବେ ସ୍କୁଲ ଡ୍ରେସ କିନ୍ତୁ ପୁଅ ବିଦ୍ୟାଳୟରେ ବି ରାଜନୀତିର ଖଡ଼ିପାଠ ଆରମ୍ଭ କରିଦେଲେ କି ? ଏହି ଭିଡିଓଟି ପ୍ରସାରିତ ହେବାପରେ ଗଞ୍ଜାମ ଜିଲ୍ଲା ସାରା ଭାରି ଚର୍ଚ୍ଚା । ପୁତ୍ରର ରାଜନୀତି ପ୍ରବେଶ ପାଇଁ ସୁଯୋଗ ସୃଷ୍ଟି କରୁଛନ୍ତି କି ସୂର୍ଯ୍ୟବାବୁ ? ଏହା ଉପରେ ଆରମ୍ଭ ହେଲାଣି ଚର୍ଚ୍ଚା । 

ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ସ୍କାର୍ଟ ସ୍କୁଲ ଓ ଆଉ କେତେକଣ ଯୋଜନା କରାହେଇଛି । କିନ୍ତୁ ରାଜନୀତିକରଣ ପାଇଁ ସରକାର କିଛି ଅଘୋଷିତ ଗାଇଡଲାଇନ ଜାରି କରିଦେଇଛନ୍ତି କି ? କିମ୍ବା ମୁଖିଆଙ୍କ ଛବି ବିଗାଡ଼ିବା ପାଇଁ ଚକ୍ରାନ୍ତ ଚାଲିଛି କି ? ଏସବୁ ପ୍ରଶ୍ନ ଲୋକଙ୍କ ମୁହଁରୁ ଶୁଣାଗଲାଣି । ଜିଲ୍ଲାପାଳ ସ୍ପଷ୍ଟ କରିବା ଉଚିତ ଯେ ସରକାରୀ ବିଦ୍ୟାଳୟରେ ପୁରସ୍କାର ବିତରଣ ଉତ୍ସବରେ ନିର୍ବାଚିତ ଜନପ୍ରତିନିଧିଙ୍କ ଛଡ଼ା ଆଉ କେଉଁ ନେତା ବିଜଦର କାର୍ଯ୍ୟକାରିଣୀ ସବସ୍ୟ ବୋଲି ଭାଗ ନେଇପାରିବେ କି ?

Share this story