କାଲି ଫଳାଫଳ : ବିଜେଡି, ବିଜେପିର ଛାତି ଧଡ଼ଧଡ଼
ସରିଛି ଧାମନଗର ଉପନିର୍ବାଚନ ପାଇଁ ମତଦାନ । ଇଭିଏମରେ ସିଲ ହୋଇ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ । କେନ୍ଦ୍ରୀୟ ପୁଲିସ ଟିମ୍ର କଡ଼ା ସୁରକ୍ଷା ବଳୟ ଭିତରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଛି ଭିଭିପାର୍ଟ ମେସିନ୍। ଚର୍ଚ୍ଚାରେ ଏବେ ଅନୁକମ୍ପା ବନାମ ମିସନ୍ ଶକ୍ତି ଲଢ଼େଇ ଏହା ଭିତରେ କାହାର ହେବ ବିଜୟ, ସେ ନେଇ କିଛି ସ୍ପଷ୍ଟ ଜଣାପଡୁନଥିଲେ ମଧ୍ୟ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର୍ ହେବ ବୋଲି କୁହାଯାଉଛି।
ଉପନିର୍ବାଚନରେ ଦିବଂଗତ ନେତା ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କ ସପକ୍ଷରେ ଅନୁକମ୍ପା ଭୋଟ୍ ଯାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ସପକ୍ଷରେ ମିସନ୍ ଶକ୍ତିର ମହିଳା ଭୋଟ୍ ଅଧିକ ଯାଇଥିବା ନେଇ ଚର୍ଚ୍ଚା ହେଉଛି। ସେହିପରି ପ୍ରଥମେ ରାଜୁଙ୍କୁ ନେଇ ଧାମନଗର ରାଜନୀତି ସରଗରମ ହୋଇଥିଲା । କୁହାଯାଉଥିଲା ରାଜୁ ବିଜେଡା ରାସ୍ତାରେ କଣ୍ଟା ସାଜିବେ । ରାଜେନ୍ଦ୍ର ଦାସ ବିଦ୍ରୋହୀ ପ୍ରାର୍ଥୀ ଭାବେ ଛିଡା ହେବା ପରେ ତାଙ୍କୁ ଅନେକ ନେତାଙ୍କ ସମର୍ଥନ ମିଳୁଥିବାର ଚିତ୍ର ବି ସାମ୍ନାକୁ ଆସିଥିଲା । ରାଜେନ୍ଦ୍ର ଦାସଙ୍କ ଭୋଟ୍ହାରକୁ ନେଇ ଚାଲିଛି ଅଙ୍କକଷା। ରାଜେନ୍ଦ୍ରଙ୍କ ଭୋଟ୍ ସଂଖ୍ୟା ୧୫ ହଜାର ଉପରେ ହେଲେ ଏହା କାହା ପାଇଁ ଫରକ ପଡୁ ବା ନପଡୁ ବିଜେଡି ପାଇଁ ଫରକ୍ ପଡିପାରେ ବୋଲି କୁହାଯାଉଛି। ବିଜେପି ଓ ବିଜେଡିର ହାର୍ଜିତ୍କୁ ନେଇ କଂଗ୍ରେସ ଭୋଟ୍ ମଧ୍ୟ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇପାରେ।
କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଯେତେ କମ୍ ଭୋଟ୍ ପାଇବେ, ଅର୍ଥାତ୍ ୫ ହଜାର ତଳକୁ ଖସିଲେ ତାହା ବିଜେଡି ପ୍ରାର୍ଥୀଙ୍କ ପାଇଁ ସୁହାଇବ ବୋଲି କୁହାଯାଉଛି। କଂଗ୍ରେସର କିଛି ଭୋଟ୍ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଯାଇଥିବା ବେଳେ କିଛି ଅସନ୍ତୁଷ୍ଟ ବିଜେଡି ଭୋଟ୍ ବିଜେପି ଆଡକୁ ଯାଇଥିବା ଆଲୋଚନା ହେଉଛି। ମତଦାନ ପରଠାରୁ ହାର୍ଜିତକୁ ନେଇ ସବୁ ମହଲରେ ସମୀକ୍ଷା ଚାଲିଛି।
ବିଜେଡି ପ୍ରାର୍ଥୀ ମୁଖ୍ୟମନ୍ତ୍ରୀଙ୍କ ଚେହେରା ଓ ରାଜ୍ୟ ସରକାରଙ୍କ ବିକାଶକୁ ନେଇ ଲଢେଇ କରୁଥିବା ବେଳେ ବିଜେପି ପ୍ରାର୍ଥୀ ସିମ୍ପାଥି ଭୋଟ ହାତେଇବାକୁ ଲକ୍ଷ ରଖିଛନ୍ତି। ସେହିପରି କଂଗ୍ରେସ ନିଜ ପକେଟ ଭୋଟ ଓ ବିଜେଡି ଏବଂ ବିଜେପି ବିରୋଧରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଲଢେଇ କରିଛି। ଅନ୍ୟପଟେ ସ୍ଵାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ତାଙ୍କ ପ୍ରତି ଧୋକା ହୋଇଥିବା କହି ଭୋଟରଙ୍କୁ ମନେଇବାକୁ ଚେଷ୍ଟା କରିଥିଲେ। ତେବେ ଧାମନଗର ବାସୀ ନିଜର ନିଷ୍ପତ୍ତି ନେଇ ସାରିଛନ୍ତି। ଭୋଟ ବାକ୍ସରେ ପ୍ରାର୍ଥୀଙ୍କ ଭାଗ୍ୟ ବନ୍ଦ୍ ହୋଇ ସାରିଛି। ୬ ତାରିଖ ଗଣତି ପରେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳୁଛି ତାହା ଦେଖିବାକୁ ବାକି ରହିଲା।