ଧାମନଗର ଉପରେ ଅନନ୍ତଙ୍କ ଆଖି : କଣ' କରିବ ଦଳ ?

ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ। ଏହାରି ଭିତରେ ବିଜେପି ତାର ପ୍ରାର୍ଥୀ ଘୋଷଣା କରି ସାରିଛି । ବାକି ରହିଲେ ଆଉ ଦୁଇ ଦଳ । ବିଜେପିରୁ ଦିବଙ୍ଗତ ନେତା ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ଧାମନଗର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଭାବେ ଘୋଷିତ ହୋଇଛନ୍ତି । ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗ କାରଣରୁ ଧାମନଗରରେ ଉପନିର୍ବାଚନ ହେଉଛି । ପଞ୍ଚଦଶ ବିଧାନସଭାକୁ ଯେଉଁମାନେ ନିର୍ବାଚିତ ହେଇଥିଲେ ୨୦୧୯ରେ ସେମାନଙ୍କ ଭିତରୁ ପାଞ୍ଚ ଜଣଙ୍କର ଅକାଳ ବିୟୋଗ ହେଇଛି । ବାଲେଶ୍ବର ସଦରରୁ ମଦନ ମୋହନ ଦତ୍ତ, ତିର୍ତ୍ତୋଲରୁ ବିଷ୍ଣୁ ଚରଣ ଦାସ, ପିପିଲିରୁ ପ୍ରଦୀପ ମହାରଥି, ବ୍ରଜରାଜନଗରରୁ କିଶୋର ମହାନ୍ତି ଏବଂ ଶେଷକୁ ଧାମନଗରରୁ ବିଷ୍ଣୁ ସେଠୀ। ତିନି ଜଣ ଶଙ୍ଖ ଦଳର । ଦୁଇଜଣ ପଦ୍ମ ଦଳର ।
ପଦ୍ମ ଦଳରୁ ବିଷ୍ଣୁଙ୍କ ପୁଅ ସୂର୍ଯ୍ୟବଂଶୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ବିଜେଡିରୁ କିଏ ଟିକେଟ ପାଇବ ତାହାକୁ ନେଇ ଚର୍ଚ୍ଚା । ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଭାରି ଆଗ୍ରହୀ। ସ୍ଥାନୀୟ ଲୋକଙ୍କ ସମର୍ଥନ ମଧ୍ୟ ରାଜୁଙ୍କ ପ୍ରତି ଅଛି । ରାଜୁଙ୍କ ମେଳାପୀ ସ୍ଵଭାବ ଦଳ ପାଇଁ ପ୍ଲସ ପଏଣ୍ଟ ହେବ ବୋଲି କୁହାଯାଉଛି । ସେପଟେ ମୁକ୍ତିକାନ୍ତ ମଣ୍ଡଳ ମଧ୍ୟ ରାଜୁଙ୍କୁ ସମର୍ଥନ ଦେଉଛନ୍ତି। କିନ୍ତୁ ଏହାରି ଭିତରେ କ୍ୟାପିଟାଲ ହସ୍ପିଟାଲରେ ଚାକିରୀ କରିଥିବା ଜଣେ ଡାକ୍ତର ଙ୍କ ନାଁ ଚର୍ଚ୍ଚାର ପରିସରକୁ ଆସିଛି । ଜନୈକ ଯୁବ ବିଧାୟକ ତାଙ୍କ ପାଇଁ ଲବି କରୁଛନ୍ତି । ତେବେ ସର୍ବୋପରେ ବିଜେଡିର ସୁପ୍ରିମୋଙ୍କ ନିଷ୍ପତ୍ତି । ଆଜି ବିଜେଡି ପ୍ରାର୍ଥୀ ନାମ ଘୋଷଣା କରିବ ବୋଲି ଶୁଣା ଯାଉଥିବା ବେଳେ ବିଜେଡି ପକ୍ଷରୁ କିଏ ରଣକ୍ଷେତ୍ରକୁ ଓହ୍ଲାଇବେ ତାହାକୁ ନେଇ ଚାରିଆଡେ ଚର୍ଚ୍ଚା ।
ସେପଟେ ଧାମନଗରରୁ କଂଗ୍ରେସର ଶେଷ ବିଧାୟକ ଥିଲେ ଜଗନ୍ନାଥ ରାଉତ। ୧୯୯୫ରେ ସିଏ ଜିତିଥିଲେ ଆଉ ଆଗରୁ ବି ଜିତିଛନ୍ତି। ମନ୍ତ୍ରୀ ବି ହେଇଛନ୍ତି। କିନ୍ତୁ ୨୦୦୦ ପରଠାରୁ ଏହି ଆସନରୁ ଆଉ କଂଗ୍ରେସ ଜିତିପାରି ନାହିଁ । ଗଲାଥର ତ ଅମାନତ ହରାଇଥୁଲା କଂଗ୍ରେସ । ତେଣୁ, ଗଲା ଦୁଇ ଇଲେକ୍ସନରେ ଯେଉଁ ମାନେ ହାତ ଟିକଟରେ ଲଢ଼ିଥିଲେ ସେମାନେ ଏଥର ଭାଗ୍ୟ ପରୀକ୍ଷା କରିବାକୁ ଆଗ୍ରହୀ । କିନ୍ତୁ ଏହା ଭିତରେ କେଁ ଭର୍ତ୍ତି କରି ସାରିଲେଣି ଅନନ୍ତ ସେଠୀ ।
ଆଗରୁ ଶୁଣା ଯାଉଥିଲା ଯେ ତାଙ୍କ ଝିଅ ଏଠାରୁ ପ୍ରାର୍ଥୀ ହେବେ । ଏବେ ଚର୍ଚ୍ଚା ଅନନ୍ତଙ୍କୁ ନେଇ। ଅନନ୍ତ ପୂର୍ବତନ ସାଂସଦ ସହ କଂଗ୍ରେସର ବରିଷ୍ଠ ନେତା ମଧ୍ୟ। ଆଗରୁ ନିରଞ୍ଜନ ବାବୁଙ୍କ ଖାସ୍ ଲୋକ ଥିଲେ । ଏବେ ଅନ୍ୟ କ୍ୟାମ୍ପରେ ଅଛନ୍ତି। କଂଗ୍ରେସ ୮ଜଣିଆ କମିଟି କରିଛି । ଏତେ ବଡ଼ କମିଟି କରିବା ପଛର କାରଣ ଆମଭଳି ମୁର୍ଖମାନେ କଦାପି ଠଉରେଇ ପାରିବେ ନାହିଁ । ଜିତିବା ସମ୍ଭାବନା ଥାଉ କି ନଥାଉ କମିଟି ବଡ଼ କରି ସମସ୍ତଙ୍କୁ ଖୁସି କରିବା ଏକ ବିରାଟ ଫର୍ମୁଲା ହେଇଗଲାଣି ହାତ ଦଳର । ଅନନ୍ତଙ୍କ ପରି ବରିଷ୍ଠ ନେତା ଧାମନଗର ଉପରେ ନଜର ପକାଇବା କାରଣରୁ ଅଡ଼ୁଆ ବଢ଼ିବ କି ଛିଡ଼ିବା ବୁଝିବା ମୁସ୍କିଲ । ତଥାପି ଦେଖାଯାଉ ଅନନ୍ତଙ୍କ ଦାବୀଦାରୀକୁ ଠୁକୁରେଇ କମିଟି କାହା ନାମ ସୁପାରିଶ କରୁଛନ୍ତି ?