ମୋକିମଙ୍କ ଶାରଦୀୟ ବନ୍ଧୁମିଳନ ପଛରେ ନାହିଁ ତ ଆଉ କିଛି ରହସ୍ୟ ?

congres cuttck

କଂଗ୍ରେସରୁ ଦଳ ଡେଇଁବା ନେଇ ମୋକିମ୍‌ଙ୍କ ପାଖରୁ ଆସିଲା ଗ୍ରୀନ ସିଗନାଲ । ଆଉ ଏହି ଗ୍ରୀନ ସିଗନାଲ ଆସିଛି ମୋକିମଙ୍କ ଶାରଦୀୟ ବନ୍ଧୁମିଳନ ପୂର୍ବରୁ ।  ମୋକିମଙ୍କ ଏହି ବନ୍ଧୁମିଳନରେ କଂଗ୍ରେସର ଦୁଇ ବରିଷ୍ଠ ନେତା ଅନୁପସ୍ଥିତ ରହିବା ଅନେକ ଦିଗକୁ ଦର୍ଶାଉଛି । ମହାମାରୀ କରୋନା ପରେ ଭାଇଚାରାର ସହର କଟକରେ ମୋକିମଙ୍କର ଏହା ପ୍ରଥମ ଶାରଦୀୟ ବନ୍ଧୁମିଳନ ରହିଥିଲା । ଦ୍ୱିତୀୟ ତଥା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଟି ହେଉଛି, କଂଗ୍ରେସ ବିଧାୟକ ମୋକିମ୍‌ଙ୍କ ବନ୍ଧୁମିଳନରେ କଟକର ଦୁଇ କଂଗ୍ରେସ ମୁଖିଆଙ୍କ ଅନୁପସ୍ଥିତ ରହିବା ଘଟଣା । ମୋକିମ୍‌ଙ୍କ ବନ୍ଧୁମିଳନରେ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର ଓ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଯୋଗ ନ ଦେବା ଘଟଣା ଆଜି ବିଭିନ୍ନ ମହଲରେ ଆଲୋଚନାର ପ୍ରସଙ୍ଗ ହୋଇଛି । 

ସାଧାରଣ କର୍ମୀ ଏହାକୁ ହାଲୁକା ଭାବେ ନେଇ ପାରୁନାହାନ୍ତି । କାର୍ଯ୍ୟବ୍ୟସ୍ତତା ପାଇଁ ସୁରେଶ ମହାପାତ୍ର ଆସିପାରି ନାହାନ୍ତି ବୋଲି ବିଧାୟକ ମୋକିମ୍ ସଫେଇ ଦେଉଛନ୍ତି, ତଥାପି ଏହାକୁ କେହି ଗ୍ରହଣ କରିପାରୁନାହାନ୍ତି । ବାରବାଟୀ-କଟକ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ୍ ଆଜି ସିଡିଏସ୍ଥିତ ୱିଣ୍ଡିର୍ସ ପ୍ୟାଲେସ୍‌ରେ ଶାରଦୀୟ ବନ୍ଧୁମିଳନର ଆୟୋଜନ କରିଥିଲେ । କଟକ ମହାନଗର ପୂଜା କମିଟିର ସାଧାରଣ ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ କଟକ ମହାନଗର ଅନ୍ତର୍ଗତ ସମସ୍ତ ପୂଜା କମିଟିର କର୍ମକର୍ତ୍ତା, ଉଭୟ ମହାନଗର ଶାନ୍ତି କମିଟି, ଜିଲ୍ଲାପାଳ, ପୁଲିସ୍ କମିସନର, ନିର୍ବାଚିତ ସମସ୍ତ କର୍ପୋରେଟର, ବିଜେଡି ବିଜେପି, କଂଗ୍ରେସ, ସିପିଆଇ, ସିପିଏମ୍ ଦଳର ପ୍ରମୁଖ ନେତାଙ୍କ ସହ ସହରର ମୁରବି, ଯୁବଗୋଷ୍ଠୀ ଯୋଗଦେଇଥିଲେ । କିନ୍ତୁ ବନ୍ଧୁମିଳନ କାର୍ଯ୍ୟକ୍ରମରେ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର ଓ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କୁ ଦେଖିବାକୁ ମିଳି ନଥିଲା । ଚଳିତ ପୌର ନିର୍ବାଚନରେ ବିଧାୟକ ମୋକିମ୍ ଓ ସୁରେଶ ଏକାଠି ହୋଇ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ପାଇଁ ସଂକଳ୍ପ ନେଇଥିବା ବେଳେ ସୁରେଶଙ୍କ ଅନୁପସ୍ଥିତି ନେଇ ଆଜିର ବନ୍ଧୁମିଳନରେ ଚର୍ଚ୍ଚା ହୋଇଥିଲା । 

conges

ଏସଂକ୍ରାନ୍ତରେ ଆୟୋଜକ ବିଧାୟକ ଇଞ୍ଜିନିୟର ମୋକିମ୍ କହିଛନ୍ତି ଯେ, ସୁରେଶ ମହାପାତ୍ରଙ୍କୁ ବନ୍ଧୁମିଳନକୁ ଡକାଯାଇଥିଲା । କିନ୍ତୁ ଜୟରାମ ରମେଶଙ୍କ କାର୍ଯ୍ୟକ୍ରମ ପାଇଁ ଶ୍ରୀ ମହାପାତ୍ର ଭୁବନେଶ୍ୱରରେ ବ୍ୟସ୍ତ ଥିଲେ ଓ ସମୟ ମିଳିଲେ ଆସିବେ ବୋଲି କହିଥିଲେ । କାର୍ଯ୍ୟବ୍ୟସ୍ତତା ପାଇଁ ସେ ଆସିପାରିନାହାନ୍ତି ବୋଲି ବିଧାୟକ ମୋକିମ୍ କହିଛନ୍ତି । କିନ୍ତୁ ଯେହେତୁ ଏହା କଟକ ଦୁର୍ଗାପୂଜାର ବନ୍ଧୁମିଳନ କାର୍ଯ୍ୟକ୍ରମ, ତେଣୁ ମାନସଙ୍କୁ ଏହି ବନ୍ଧୁମିଳନକୁ ଡକାଯାଇ ନ ଥିଲା ବୋଲି ଶ୍ରୀ ମୋକିମ୍ କହିଛନ୍ତି । ଏହି ବନ୍ଧୁମିଳନ ଉତ୍ସବରେ ମେୟର୍ ସୁବାସ ଚନ୍ଦ୍ର ସିଂହ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ଡେପୁଟି ମେୟର୍ ମୟନ୍ତୀ ମାଝୀ, କଟକ ମହାନଗର ପୂଜା କମିଟି ସଭାପତି ତଥା ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ରନାଥ ସାହୁ, ସାଧାରଣ ସଂପାଦକ ଭିକାରି ଦାସ, ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ବିଜୟ କୁମାର ସାହୁ, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପିନାକ୍ ମିଶ୍ର, ବିଜେପି ନେତା ନୟନ କିଶୋର ମହାନ୍ତି, ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡ଼ୁ, ସିପିଆଇ ଜିଲ୍ଲା ସଂପାଦକ ଅମରେନ୍ଦ୍ର ମହାନ୍ତି, ନଗର ବିଜେଡି ସଭାପତି ମଧୁସୂଦନ ସାହୁ, ବିଜେଡି ନେତା ତଥା ହାସ୍ୟ ଅଭିନେତା ପପୁ ପମ୍ପମ୍ ପ୍ରମୁଖ କଟକର ଭାଇଚାରାକୁ ଅକ୍ଷୁଣ୍ଣ ରଖି ଆଗାମୀ ଦଶହରା, କାଳୀପୂଜା ଓ ବାଲିଯାତ୍ରାକୁ ଶାନ୍ତିଶୃଙ୍ଖଳାରେ ପାଳନ କରିବାକୁ କରିବାକୁ ଆହ୍ୱାନ ଦେଇଥିଲେ । 

କାର୍ଯ୍ୟକ୍ରମରେ ବିଧାୟକ ମୋକିମ୍ ସମସ୍ତ ଅତିଥି ଓ ବନ୍ଧୁମାନଙ୍କୁ ଉତ୍ତରୀୟ ଓ ଫୁଲଚନ୍ଦନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହିତ କଟକ ସହରର ଭାଇଚାରା ସଂପର୍କକୁ ଅତୁଟ ରଖି ଶାନ୍ତିଶୃଙ୍ଖଳାରେ ଚଳିତବର୍ଷର ପୂଜାପାର୍ବଣ ପାଳନ କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

Share this story