ପରାଜୟ ପାଇଁ କେନ୍ଦ୍ରମନ୍ତ୍ରୀ ଦାୟୀ : କାହାକୁ ଇଙ୍ଗିତ କଲେ ଅପରାଜିତା ?
ପରାଜୟ ପରେ ଆରମ୍ଭ ହେଲା ଗୋଷ୍ଠୀ କନ୍ଦଳ । ପଦ୍ମପୁରରେ ପଦ୍ମ ଫୁଟାଇବା ଆଶା ମଉଳିଲେ ପରେ ଏବେ ଦଳରେ ଲାଗିଛି ନିଆଁ । ପଦ୍ମପୁର ପରାଜୟ ପରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯାହା କହିଛନ୍ତି ତାକୁ ନେଇ ପଦ୍ମ ଦଳରେ ସୃଷ୍ଟି ହୋଇଛି ଗୁଞ୍ଜରଣ। ପଦ୍ମପୁରରେ ଦଳର ଷ୍ଟ୍ରାଟେଜି ଭୁଲ ହୋଇଛି ବୋଲି ଅପରାଜିତାଙ୍କ ସ୍ବୀକାରୋକ୍ତି କୁଆଡ଼େ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଆଡ଼କୁ ଇଙ୍ଗିତ କରୁଛି ବୋଲି ରାଜଧାନୀରେ ଭାରି ଚର୍ଚ୍ଚା ।
‘ପଦ୍ମପୁରରେ ପଦ୍ମଫୁଲ' ସ୍ଲୋଗାନ ଦେଇ ପଦ୍ମ ଦଳିଆ ନିର୍ବାଚନକୁ ଓହ୍ଲାଇଥିଲେ। ଦଳର ଏହି ସ୍ଲୋଗାନକୁ ବି ଅପରାଜିତା ଦୋହରାଇଥିଲେ। ଶୁମ୍ଭ- ନିଶୁମ୍ଭଙ୍କୁ ଧରି ମହିଷାସୁର ସ୍ଵର୍ଗ ଅଧିକାର ପାଇଁ ରଣହୁଙ୍କାର ଦେବା ପରି ପଦ୍ମପୁରକୁ ଖେଦିଯାଇଥିଲେ ପଦ୍ମଫୁଲିଆ ନେତା । ଆମଦାନୀ ନେତା ଓ କର୍ମୀଙ୍କୁ ନେଇ ଘମାଘୋଟ ପ୍ରଚାର କଲେ । ପ୍ରତିପକ୍ଷକୁ ପିଟିଲେ, ସାମ୍ବାଦିକ, ସରକାରୀ ଅଧିକାରୀ ବି ବାଦ ପଡ଼ିଲେ ନାହିଁ ।
ମାତ୍ର ଯେତେବେଳେ ଫଳ ବାହାରିଲା, ସେତେବେଳେ ପଦ୍ମଫୁଲିଆ ମୁହଁ କାଗଜ ପରି ଶେତା ପଡ଼ିଗଲା। ଷ୍ଟ୍ରାଟେଜି ଭୁଲ ଯୋଗୁଁ ପଦ୍ମପୁରରେ ପଦ୍ମ ଦଳିଆ ହାରିଲା ବୋଲି ଅପରାଜିତାଙ୍କୁ ସ୍ବୀକାର କରିବାକୁ ପଡ଼ିଲା । ତେବେ ପଦ୍ମପୁର ଷ୍ଟ୍ରାଟେଜି କିଏ ତିଆରି କରିଥିଲା ସେ କଥା ଅପରାଜିତା କହୁନାହାନ୍ତି। ପଦମପୁରରେ କେନ୍ଦ୍ରମନ୍ତ୍ରୀ ତୋମାର, ବୈଷ୍ଣବ, ପ୍ରଧାନ, ଟୁଡୁ ପ୍ରଚାର କରିଥିଲେ ରାଜ୍ୟ ସଭାପତି ସମୀର, ପ୍ରଭାରୀ ସୁନୀଲ ବଂଶଲ ବି ସେଠି ଉପସ୍ଥିତ ଥିଲେ ।
ତେଣୁ ସେମାନଙ୍କ ମଧ୍ୟରୁ କେହି ବା ମିଳିତ ଭାବରେ ସମସ୍ତେ ଷ୍ଟ୍ରାଟେଜି କରିଥିବା ସ୍ବାଭାବିକ । ଅବଶ୍ୟ ପଦ୍ମପୁର ଷ୍ଟ୍ରାଟେଜି ଅପରାଜିତା ନିଶ୍ଚୟ କରି ନ ଥିବେ ଏ କଥା ସମସ୍ତଙ୍କୁ ଜଣା । କାରଣ ସିଏ ତ ମାତ୍ର ଦିନକ ପାଇଁ ପ୍ରଚାର ପାଇଁ ଯାଇଥିଲେ, ତେଣୁ ଯିଏ ଷ୍ଟ୍ରାଟେଜି କରିଥିଲେ, ଅପରାଜିତାଙ୍କ ମତରେ ସେ ହିଁ ଦୋଷୀ I ହେଲେ ଏବେ ପ୍ରଶ୍ନ ଉଠୁଛି କିଏ ସେ ....?