ଧର୍ମେନ୍ଦ୍ରଙ୍କ ନେତୃତ୍ୱ ପ୍ରତି କାହିଁକି ଏତେ ଅସହିଷ୍ଣୁତା ?

juel aparanita sursh dharmendra

ବିଜେପିରେ ଆରମ୍ଭ ହେଲାଣି ଗୋଛିକଟା ରାଜନୀତି । ଧର୍ମେନ୍ଦ୍ରଙ୍କ ବିରୋଧରେ ଷଡଯନ୍ତ୍ର । ଜାଣିଶୁଣି ବିଜେପିକୁ ହରାଇଦେଲେ କି ? ପଦ୍ମପୁରରେ ଧର୍ମେନ୍ଦ୍ର ୪ ଦିନ ପ୍ରଚାର କରିଥିଲେ । ୩୦ ରୁ ଅଧିକ ଜନସଭା ଏବଂ ରୋଡ୍ ସୋ କରିଥିଲେ । ସବୁ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ନିଶାନା କରିଥିଲେ । କଠୋର ଭାଷା ପ୍ରୟୋଗ କରିଥିଲେ । ଏଭଳି ଭାବେ ବିଜେଡି ସହିତ ବିଜେପିର ଗୋପନ ସମ୍ପର୍କ ନେଇ ଲୋକମାନଙ୍କ ମଧ୍ୟରେ ରହିଥିବା ଧାରଣାକୁ ସେ ବଦଳାଇବାକୁ ଚେଷ୍ଟା କରିଥିଲେ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ପଦ୍ମପୁର ଉପନିର୍ବାଚନ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିଲା । କେବଳ ତାଙ୍କ ସମ୍ମାନର ପ୍ରଶ୍ନ ନ ଥିଲା ବରଂ ଓଡ଼ିଶାରେ ତାଙ୍କ ଭବିଷ୍ୟତର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଥିଲା । ସେଥିପାଇଁ ଏହି ଉପନିର୍ବାଚନ କର ବା ମର ପରିସ୍ଥିତି ଛିଡ଼ା କରାଇଥିଲା । ଧର୍ମେନ୍ଦ୍ର ବି କୌଣସି ସୁଯୋଗକୁ ହାତଛଡ଼ା କରିବାକୁ ଚାହିଁ ନ ଥିଲେ । ଭିନ୍ନ ମତବାଦୀ ସବୁ ନେତାଙ୍କୁ ଏକାଠି ସାଙ୍ଗରେ ଧରି ଉପନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । କିନ୍ତୁ ଧର୍ମେନ୍ଦ୍ର କାହିଁକି ରାଜ୍ୟ ବିଜେପିର ସ୍ୱପ୍ନକୁ ଧୁଳିସାତ କରିଦେଲେ ବଜେପିର ତିନି ବରିଷ୍ଠ ନେତା । 

ଖାଲି ସେତିକି ନୁହେଁ, ବିଜେଡି ତରଫରୁ ଉଠାଯାଇଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଏବଂ ରେଳ ପ୍ରକଳ୍ପକୁ କାଉଣ୍ଟର କରିବା ଲାଗି ବିଭାଗର ଦୁଇ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ଅଣାଗଲା । କିନ୍ତୁ ବର୍ଷାଙ୍କୁ ପର ଓ ବିଦେଶିନୀ ଆଖ୍ୟା ଦିଆଯାଇଥିଲା । ନିଜେ ପ୍ରାର୍ଥୀ ଶ୍ରୀ ପୁରୋହିତ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ୍ ବର୍ଷାଙ୍କ ବିରୋଧରେ ଟିପ୍ପଣୀ ଦେବା ବୁମେରାଂ ହୋଇଗଲା । ଶେଷରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ନିଆଁରେ ଘିଅ ଢ଼ାଳିଥିଲେ । ଦିନକ ପାଇଁ ପ୍ରଚାର କରିବାକୁ ଯାଇଥିବା ଅପରାଜିତା, ବର୍ଷାଙ୍କୁ ସତ୍ୟବାଦୀର ବୋହୁ କହି ଛିଗୁଲେଇଲେ । ଏଭଳି ଆଭିମୁଖ୍ୟକୁ ପ୍ରଶ୍ନ କରିବା ସହ ଜଣେ ମହିଳାଙ୍କୁ ଏହା ଘୋର ଅପମାନ ବୋଲି କହି ବର୍ଷାଙ୍କ ପାଇଁ ଭୋଟ ମାଗିଥିଲେ ନବୀନ ପଟ୍ଟନାୟକ । ଅବଶ୍ୟ, କିଛି ବିଜେପି ନେତାଙ୍କ ମୁହଁରେ ବିଦେଶିନୀ ପ୍ରସଙ୍ଗକୁ ଧର୍ମେନ୍ଦ୍ରଙ୍କ ବିରୋଧରେ ଷଡ଼ଯନ୍ତ୍ରର ଅଂଶ ବୋଲି ଆଲୋଚନା ହେଉଛି । 

ପଦ୍ମପୁରରେ ବିଜେପି ପ୍ରାର୍ଥୀ ଜିତିଲେ ଧର୍ମେନ୍ଦ୍ରଙ୍କ ପତିଆରା ବଢ଼ିଯିବ ବୋଲି କାଳେ ଏହି ନେତା, ନେତ୍ରୀଙ୍କର ବିଶ୍ୱାସ ଥିବାରୁ ଉଦେ୍‌ଦଶ୍ୟମୂଳକ ନେଗେଟିଭ୍ ପ୍ରଚାର କରାଯାଇଥିଲା । ରାଜନୈତିକ ସମୀକ୍ଷକଙ୍କ ମତରେ ପ୍ରଦୀପ ପୁରୋହିତ ଯୋଗ୍ୟ ପ୍ରାର୍ଥୀ ଥିଲେ । ତାଙ୍କର ନିଜର ଦୃଢ଼ ସଂଗଠନ ଥିଲା । ଆରମ୍ଭରୁ ବିଜେଡି ସପକ୍ଷରେ ହାୱା ବି ନ ଥିଲା । ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଚାରି ଚାରି ଜଣ କେନ୍ଦ୍ରମନ୍ତ୍ରୀ ପ୍ରଚାର କରିଥିଲେ । ଅଞ୍ଚଳର ସମସ୍ୟା, ଭୌଗୋଳିକ ସ୍ଥିତି, ଜାତି ସମ୍ପ୍ରଦାୟ ଆଦି ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗକୁ ଶୀର୍ଷ ନେତୃତ୍ୱ ଠିକ୍ ଭାବେ ବୁଝି ପାରି ନ ଥିଲେ । ତାହା ହୋଇଥିଲେ, କେନ୍ଦ୍ରମନ୍ତ୍ରୀ ତୋମାର ପଦ୍ମପୁର ସର୍କିଟ୍ ହାଉସ୍ ରେ ଚାଷୀ ସଂଗଠନର ନେତାମାନଙ୍କୁ ଉପେକ୍ଷା କରି ନ ଥାନ୍ତେ । ବର୍ଷା ସିଂ ବରିହାଙ୍କୁ ବିଜେପି ନେତାମାନେ ଲଗାତର ଆକ୍ଷେପ କରି ନ ଥାନ୍ତେ ।

Share this story