ଶପଥ ନେବ କଂଗ୍ରେସ : ପୁରୁଣାଙ୍କୁ ଫେରାଇ ଆଣିବ, ଅସଜଡ଼ା ଘର ସଜାଡିବ

sarata pattnaik congres

ପିସିସି ସଭାପତି ହେବା ପରେ ରାଜ୍ୟ କଂଗ୍ରେସକୁ ପୁଣି ଥରେ ଛିଡ଼ା କରିବାକୁ କମର କଷିଛନ୍ତି ଶରତ ପଟ୍ଟନାୟକ । ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର ସରିବା ସହ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି କଂଗ୍ରେସ । ଏଥିପାଇଁ ରଣନୀତି ପ୍ରସ୍ତୁତ କରିବା ସହ ୨ ବର୍ଷିଆ ଖସଡ଼ା ପ୍ରସ୍ତୁତ ଲାଗି କଂଗ୍ରେସ କରିବ ଦୁଇଦିନିଆ ମାନସ ମନ୍ଥନ । 

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜୁନ୍ ୧ ଓ ୨ରେ ୟୁନିଟ୍‌-୪ ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ ଇଞ୍ଜନିୟର୍ସଠାରେ ଏହି ସମାବେଶ ଅନୁଷ୍ଠିତ ହେବ। ଏହି ସମାବେଶ‌େ‌ର ଦଳକୁ କିଭଳି ସୁଦୃଢ଼ କରାଯିବ ସେନେଇ ଚିନ୍ତନ କରାଯିବ। ଏଥିରେ ଦଳର ବରିଷ୍ଠ ନେତାଙ୍କ ସମେତ, ବିଧାୟକ, ସାଂସଦ, ବ୍ଲକ୍‌, ଜିଲା ସଭାପତି, ସବୁ ସେଲ୍‌ର ମୁଖ୍ୟ, ପୂର୍ବତନ ବିଧାୟକ ଓ ସାଂସଦଙ୍କ ସମେତ ଛାମୁଆ ସଙ୍ଗଠନର କର୍ମକର୍ତ୍ତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସମାବେଶରେ ଦଳ ପକ୍ଷରୁ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ। ନୂଆ ପିସିସି ସଭାପତି ହେବା ପରେ ଦଳ ପକ୍ଷରୁ ଏହା ପ୍ରଥମ ସାଙ୍ଗଠନିକ କାର୍ଯ୍ୟକ୍ରମ। ତୃଣମୂଳସ୍ତରରେ କଂଗ୍ରେସକୁ ସୁଦୃଢ଼ କରିବାକୁ ନେତାମାନେ ନିଜ ନିଜର ମତ ରଖିବେ। ସେହିପରି ଦଳୀୟ ଶୃଙ୍ଖଳା‌ ଭିତରେ କିପରି ଦଳକୁ ମଜଭୁତ କରିହେବ ସେ ନେଇ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡିଛି।

ଆସନ୍ତା ୮ତାରିଖରେ କଂଗ୍ରେସ ଭବନରେ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେବ। ଏଥିରେ ନବ ନିଯୁକ୍ତ ସଭାପତିଙ୍କୁ ନିଯୁକ୍ତି ଦେବାର କାର୍ଯ୍ୟକ୍ରମ ରହିଛି। ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ୨୦୨୪ ନିର୍ବାଚନରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ତାକୁ ନେଇ ଏବେଠାରୁ ରୋଡ଼ମ୍ୟାପ୍‌ ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ନବ ସଂକଳ୍ପ ସମାବେଶ ଆୟୋଜନ କରିବାକୁ ଯାଉଛି। ଏଆଇସିସିର ନିଷ୍ପତ୍ତିକ୍ରମେ ଜୁନ୍‌ ୧ ଓ ୨ରେ ସଂକଳ୍ପ ଶିବିର ଆୟୋଜନ ହେବ। କଂଗ୍ରେସର ସବୁ ନେତା ଓ କର୍ମୀ ଏଥିରେ ଯୋଗଦେବେ। କଂଗ୍ରେସର ଓଡ଼ିଶା ପ୍ରଭାରୀ ଚେଲା କୁମାରଙ୍କ ସହ ଅନ୍ୟ କିଛି ବରିଷ୍ଠ ନେତା ମଧ୍ୟ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Share this story