୩ ଥରର ବିଧାୟକଙ୍କୁ କାହିଁକି ଏମିତି ହୀନସ୍ତା ହେବାକୁ ପଡିଲା ?
ପଦ୍ମପୁର ପାଲା ସରିଲା। ପଦ୍ମ ଦଳର ଧାମନଗର ସୁଖ ଶୀତି ଦିନିଆ ବର୍ଷାରେ ଧୋଇଗଲା ପଦ୍ମପୁରରେ। ଧାମନଗର ଝଟକାରେ ଝାଉଁଳି ପଡ଼ିଥିବା ଶଙ୍ଖ ଦଳ ଏବେ ଆନନ୍ଦରେ ମସଗୁଲ । କିନ୍ତୁ ସବୁଠୁ ସ୍ଥିର ସ୍ଥିତିରେ ହାତ । ଧାମନଗରରେ ଯାହା ପଦ୍ମପୁରରେ ସେଇଆ । କିନ୍ତୁ ଦୁଃଖ ଲାଗୁଚି ସତ୍ୟଭୂଷଣଙ୍କ ପାଇଁ । ଶେଷବେଳକୁ ଇମିତି ହୀନସ୍ତା ଯୋଗ ଥିଲା ?
ତିନି ତିନି ଥର ବିଧାୟକ । ମୁଖ୍ୟ ସଚେତକ ବି ଥିଲେ। ଗଲାଥର ଲଢ଼ି ପାଖାପାଖୁ ୩୩ ହଜାର ଭୋଟ ପାଇଥିଲେ । ୨୦୧୪ରେ ଲଢ଼ି ନଥିଲେ ବି ହାତ ଦଳକୁ ମିଳିଥିଲା ୩୧ ହଜାର ଭୋଟ। କିନ୍ତୁ ଏଥର ଦି ପରସେଣ୍ଟ ଭୋଟ ବି ପାଇଲେନି । ଅମାନତ ଉଡ଼ି ଗଲା। ରାଜନୀତିରେ ଇମିତି ପୂର୍ଣ୍ଣଚ୍ଛେଦ ଲୋକେ ପକାନ୍ତି କି ? ଗୋଟିଏ ଗୋଟିଏ ରାଉଣ୍ଡରେ ଶହେ ଦୁଇଶହ ଭୋଟ ବି ମିଳିଲାନି ସତ୍ୟଙ୍କୁ। ନୋଟା ସପକ୍ଷରେ ଯଦି କିଏ ପ୍ରଚାର କରିଥାନ୍ତା ଲାଗୁଚି ହାତ ଦଳଠାରୁ ନୋଟାକୁ ଅଧିକ ଭୋଟ ମିଳିଥାନ୍ତା।
ସତ୍ୟବାବୁ ଏବେ ଲୋକଙ୍କ ଉପରେ ଦୋଷ ଲଦିଚନ୍ତି। ଏହା ଜନାଦେଶ ନୁହେଁ ଧନାଦେଶ ବୋଲି କହିଚନ୍ତି । ସତେ ଯେମିତି କଂଗ୍ରେସ କର୍ମୀମାନଙ୍କର କିଛି ଦୋଷ ବି ନାହିଁ । ସେମାନେ ଧନ କାରଣରୁ ବିକ୍ରି ହେଇଗଲେ। ଦୋଷ ଭୋଟରଙ୍କ ନୁହେଁ, ଧନର । ଏମିତି କହି ସତ୍ୟବାବୁ ମନବୋଧ ଚଉତିଶା ଗାଇଚନ୍ତି। କିନ୍ତୁ ମରମ କଥାଟି ହେଲା ଯେ ତାଙ୍କ ଦଳ ବିକ୍ରି ପାଇଁ ଉପଲବ୍ଧ ବୋଲି କହିବାକୁ ସାହସ ଜୁଟାଇ ପାରିନାହାନ୍ତି ।
ସେଥିପାଇଁ ତ କୁହାଯାଉଚି ଯେ ଶରତ ବାବୁଙ୍କୁ ମୁଖିଆ ହିଁ ସଭାପତି ବନେଇଚନ୍ତି । ଯେମିତି ଆରାମରେ କିଣାବିକା କରାଯାଇପାରିବ। ଏକଥା ମଧ୍ୟ ଦାଣ୍ଡରେ ପଡ଼ୁଚି ଯେ ଶରତ ବାବୁ କୁଆଡ଼େ ବାବି ବାବୁଙ୍କ ପକେଟରେ ଅଛନ୍ତି । ଛାଡ଼ନ୍ତୁ ଯିଏ ଯାହା ପକେଟରେ ଥିଲେ ଥାଉ। ୨୦୨୪ରେ ସତ୍ୟବାବୁ ଆଉ ଲଢ଼ିବାକୁ ମନ ବଳେଇବେକି ନାହିଁ ଜଣାନାହିଁ । ବିଜେପୁର ଦୁର୍ଦ୍ଦଶା ପଦ୍ମପୁରରେ ବି ଭୋଗିଲା ହାତ ଦଳ। ଏହାପରେ ସାହୁ ବାବୁଙ୍କ ମନୋବଳ ଭାଙ୍ଗି ରୁଜି ଚୁରମାର ହେଇଯାଇଥିବ ।
ଆମକୁ କାହିଁକି ଲାଗିଲାଣି ଯେ ଥୋଡ଼େ ହାତ ନେତା ୨୪ ପୂର୍ବରୁ ମାଙ୍କଡ଼ ଡେଇଁଲା ପରି ସେପଟକୁ ଅଲବତ ଡେଇଁବେ । ପ୍ରତି ନିର୍ବାଚନ ପୂର୍ବରୁ ଏହି ଡିଆଁ ଦେଖିବାକୁ ମିଳୁଛି । ହାତ ଦଳ ଯେମିତି ବିକି ହବାକୁ ଧାରାରେ ପରିଣତ କରିସାରିଲାଣି, ତାକୁ ଦେଖୁବା ପରେ ମନେ ହଉନି ଲଢ଼ିବା ମୁଡରେ ଦଳ ନେତାମାନେ ରହିବେ ବୋଲି।