କଂଗ୍ରେସର ପ୍ରଚଣ୍ଡ ବିପର୍ଯ୍ୟୟ ପରେ ଦଳରେ କମ୍ପନ

ବସନ୍ତ ଋତୁ ପରେ ଶରତକୁ ଅନେକ ଲୋକ ପସନ୍ଦ କରନ୍ତି । ଶରତ ଆଗମନରେ ଛିଡ଼ାଛିଡ଼ା ଭସା ବଉଦ ଆଉ କାଶତଣ୍ଡୀ ଅନେକଙ୍କୁ ସ୍ବାଭାବିକ ଭାବରେ ସମ୍ମୋହିତ କରିଥାଏ । ହେଲେ କଂଗ୍ରେସରେ ଶରତ ଋତୁ କୁଆଡ଼େ ନିଷ୍ଠୁର ଶୀତଦିନରେ ପରିଣତ ହୋଇଛି। ଦୁଇଦୁଇଟି ଉପ ନିର୍ବାଚନରେ ଦଳର ପ୍ରଚଣ୍ଡ ବିପର୍ଯ୍ୟୟ ପରେ ଦଳର ନେତାମାନେ ସାଙ୍କୁଡ଼ି ଯାଇଛନ୍ତି । ସୁର- ତାରାଙ୍କ ପରି କିଛି ନେତା ଦିନରାତି ନିଜନିଜ ଭିତରେ ଖୁମ୍ପାଖୁମ୍ପି ହେଉଥିବାବେଳେ କଟକୀ ମୋକିମ ଏଇ ମଉକାରେ ଦଳର ନେତାଙ୍କ ଉପରେ ରାଗ ଶୁଝାଇବାକୁ ଆଦୌ ଅବହେଳା କରି ନାହାନ୍ତି।
ନିର୍ବାଚନ କିପରି ପରିଚାଳନା କରାଯାଏ ତାହା ଶଙ୍ଖପତିଙ୍କଠାରୁ ଶିଖିବା ଆବଶ୍ୟକ ବୋଲି ମୋକିମଙ୍କ ତୀର କୁଆଡ଼େ ସୁରଙ୍କ ଚଉଡ଼ା ଛାତିରେ ଲାଗିଛି। ‘ଡ଼ିଲ୍’ କଥା ଉଠାଇ ମୋକିମ୍କୁ ଆକ୍ରମଣ କରିଛନ୍ତି ସୁର ଆଉ କୋରାପୁଟ ଆଡ଼ ଭାଲୁ ଗର୍ଜନରେ ମିଳିଛି ସୁରଙ୍କୁ ପାଲଟା ଉତ୍ତର । ଏହି ସ୍ଥିତିରେ ବିଚରା ଶରତଙ୍କ ଅବସ୍ଥା ଖରାପ ।
ଘରେ ନ ପଶୁଣୁ ଚାଳ ବାଜିବା ପରି ଦଳରେ ସୃଷ୍ଟି ହୋଇଥିବା ସ୍ଥିତି ସମ୍ପର୍କରେ ଦିଲ୍ଲୀକୁ ଅବଗତ କରିବାକୁ କୁଆଡ଼େ ସିଏ ନିଷ୍ପତ୍ତି ନେଇଛନ୍ତି। ଅବଶ୍ୟ ଏହି ପ୍ରସଙ୍ଗରେ ଶରତ କାହାକୁ ଦୋଷ ଦେଉ ନାହାନ୍ତି। ମୁଖ୍ୟମନ୍ତ୍ରୀ ବା ବିରୋଧୀ ଦଳ ନେତା ପଦ ଅପେକ୍ଷା ହାତ ଦଳିଆ ନେତାଙ୍କ ପାଇଁ ପିସିସି ସଭାପତି ପଦଟି ଢେର ବଡ଼ ।
ଏଥିପାଇଁ ବିଭିନ୍ନ ସମୟରେ ଟଣାଭିଡ଼ାରୁ ଆରମ୍ଭ କରି କଥା ମାରପିଟ୍ ଯାଏ ଯିବାର ଦୃଷ୍ଟାନ୍ତ ରହିଛି। ଯିଏ ପିସିସି ସଭାପତି ହୁଅନ୍ତି ଛଅମାସ ନ ଯାଉଣୁ ତାଙ୍କୁ ହଟାଇବା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଏ । ଶରତ ଏହି ପ୍ରକ୍ରିୟା ଓ ପ୍ରଥାରୁ ବାଦ ପଡ଼ିବେ କେମିତି ?