ଧାମନଗର ଫଳାଫଳକୁ ନେଇ କଂଗ୍ରେସରେ କୁହୁଳୁଛି ନିଆଁ

ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଉପ-ନିର୍ବାଚନ ପରାଜୟ ପରେ କଂଗ୍ରେସରେ ପୁଣି ଆରୋପ-ପ୍ରତ୍ୟାରୋପର ପର୍ବ ଆରମ୍ଭ ହୋଇଛି। ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଏବଂ ନରସିଂହ ମିଶ୍ର ଗଣମାଧ୍ୟମରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି। ପୂର୍ବ ତୁଳନାରେ କଂଗ୍ରେସକୁ କମ୍ ଭୋଟ ମିଳିଥିବାରୁ ଏହାର ଅନୁଧ୍ୟାନ କରିବା ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ମତ ଦେଇଛନ୍ତି । ଏସବୁ ପରେ ଶ୍ରୀ ରାଉତରାୟଙ୍କ ଆଉ ଏକ ମନ୍ତବ୍ୟ ଚର୍ଚ୍ଚା ସୃଷ୍ଟି କରିଛି । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅଙ୍କ ପ୍ରତି ସୁର ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।
ସୁର ରାଉତରାୟ କହିଛନ୍ତି ଯେ ପିସିସି ସଭାପତି ହେବା ପାଇଁ ପୁଣି କିଛି ଲୋକ ସ୍ଵପ୍ନ ଦେଖୁଣି | କଂଗ୍ରେସର ଗୋଟେ ରୋଗ ଅଛି। ଯେଉଁ ଦିନ କିଏ ପିସିସି ସଭାପତି ହୁଏ, ତା’ ପରଦିନ ତାହାକୁ ହଟାଇବା ପାଇଁ ଯୋଜନା ଆରମ୍ଭ କରାଯାଏ । ଏବେ ଆଉ ଜଣେ ନେତା ପିସିସି ସଭାପତି ହେବାକୁ ସ୍ଵପ୍ନ ଦେଖୁଛନ୍ତି। ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ପିସିସି ସଭାପତି ହେବାକୁ ଉଦ୍ୟମ କରୁଥିବା ଶ୍ରୀ ରାଉତରାୟ କହିଛନ୍ତି । ଏହାକୁ କଂଗ୍ରେସର କେତେକ ଗୋଷ୍ଠୀ ହାଲୁକା ଭାବେ ନେଇ ନାହାନ୍ତି। କେତେକଙ୍କ କହିବାନୁଯାୟୀ, ବାଲେଶ୍ୱର ଲୋକସଭା କିମ୍ବା ବାଲେଶ୍ୱର ସଦର ବିଧାନସଭା ଆସନରୁ ନବଜ୍ୟୋତି ପଟ୍ଟନାୟକ କଂଗ୍ରେସ ପ୍ରାର୍ଥୀ ହେବାକୁ ପ୍ରାଥମିକ ଭାବେ ଉଦ୍ୟମ କରିବେ ।
ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ସକ୍ରିୟ ରହିବାପାଇଁ ନୂଆଦିଲ୍ଲୀରେ କମଲନାଥଙ୍କ ଲବି କ୍ରମେ ପିସିସି କାର୍ଯ୍ୟକାରୀ ସଭାପତି ପଦ ହାତେଇବାକୁ ଚାହିଁବେ । ଯଦି ଏପରି ନ ହୁଏ, ତେବେ ଏଆଇସିସି ସମ୍ପାଦକ ହୋଇ ଜାତୀୟ ନେତୃତ୍ବ ନଜରରେ ରହିବେ । ଏହା ଭବିଷ୍ୟତରେ ତାଙ୍କୁ ପ୍ରଦେଶ କଂଗ୍ରେସରେ ମଜଭୁତ୍ ସ୍ଥିତିରେ ରଖୁ । ତେଣୁ ନବଜ୍ୟୋତିଙ୍କ ରାଜନୈତିକ ଭବିଷ୍ୟତ ସୁରକ୍ଷିତ ରଖିବା ପାଇଁ ନିରଞ୍ଜନ ପଟ୍ଟନାୟକ ସାମୟିକ ଭାବେ ଶରତ ପଟ୍ଟନାୟକଙ୍କୁ ସମସ୍ତ ପ୍ରକାର ସହଯୋଗ କରିପାରନ୍ତି ।
ଧାମନଗର ଉପନିର୍ବାଚନରେ ଦଳ ମଧ୍ୟରେ ଅଭାବ ରହିବା ମଧ୍ୟ ବିଧାୟକ ସୁରେଶ ରାଉତରାୟ ମାନିଛନ୍ତି।ସମନ୍ବୟ କଥାକୁ ସେହିପରି ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ଯେ, କେଉଁଠି ଭୁଲ୍ ରହିଲା,ଦଳର ନୀତି ଆଦର୍ଶରେ ଭୁଲ୍ ରହିଲ, କି ନୀତି ଆଦର୍ଶ ଭୁଲ୍ ରହିଲା । କିମ୍ବା କାହାର ଅବହେଳା ରହିଛି । ତୁରନ୍ତ ଏହାର ନିଷ୍ପତ୍ତି କରିବାର ଆବଶ୍ୟକତା ରହିଛି। ନ ହେଲେ ଆଗାମୀ ଦିନରେ କଂଗ୍ରେସ ନିଶ୍ଚିହ୍ନ ହୋଇଯାଇ ପାରେ ବୋଲି ଶ୍ରୀ ମିଶ୍ର କହିଛନ୍ତି।