ବିଜେଡି ଯୋଗାଯୋଗରେ ଚିରଞ୍ଜୀବ : ପ୍ରଶାନ୍ତ, ଅମରେନ୍ଦ୍ର ସଭିଏଁ ଛାନିଆ

bjd chirnjib and ranjib

ଚର୍ଚ୍ଚାରେ ଜଗତସିଂହପୁର ରାଜନୀତି । ୨୦୨୪ରେ ଅନେକ ଅଦଳବଦଳ ଦେଖିବାକୁ ମିଳିବ । ବିଜେଡି, ବିଜେପି ଓ କଂଗ୍ରେସରେ ନୂଆ ପ୍ରାର୍ଥୀ ଉଭା ହେବେ ବୋଲି ଚର୍ଚ୍ଚା ହେଉଛି । ନେତା ସମାନ ରହିବେ ହେଲେ ଦଳ ଓ ଚିହ୍ନ ବଦଳିବାର ସମ୍ଭାବନା ରହିଛି । ୨୦୧୯ରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳଙ୍କୁ ପରାସ୍ତ କରି ବିଧାନସଭା ଯାଇଥିଲେ । ପ୍ରଶାନ୍ତଙ୍କୁ ୭୦ ହଜାରରୁ ଉର୍ଦ୍ଧ୍ୱ ଭୋଟ ମିଳିଥିବାବେଳେ କଂଗ୍ରେସକୁ ୬୧ ହଜାରରୁ ଅଧିକ ଭୋଟ ମିଳିଥିଲା । ହେଲେ ଏବେ ପ୍ରଶାନ୍ତଙ୍କ ନଜର ବାଲିକୁଦା ଏରସମା ଉପରେ । ବାଲିକୁଦା ବିଧାୟକ ରଘୁନନ୍ଦନ ଦାସ ଦୀର୍ଘଦିନ ଧରି ଅସୁସ୍ଥ ଥିବା ବେଳେ ସେଠାରୁ ଟିକେଟ ପାଇବାକୁ ଲକ୍ଷ ରଖିଛନ୍ତି ପ୍ରଶାନ୍ତ । ଯଦି ପ୍ରଶାନ୍ତ ବାଲିକୁଦା ଯିବେ ତେବେ ଜଗତସିଂହପୁରରୁ ଲଢ଼ିବେ କିଏ ?

ବିଜେଡି ଟିକେଟ ଦୋୖଡରେ ଏବେ ଆଗରେ ରହିଛନ୍ତି ଅମରେନ୍ଦ୍ର ଦାସ । କିନ୍ତୁ ତାଙ୍କ ବାଟରେ ଚିରଞ୍ଜୀବ କଣ୍ଟା ସାଜିବେ ବୋଲି କୁହାଯାଉଛି । ୨୦୧୯ପରେ ଚିରଞ୍ଜୀବ ଙ୍କ ଆଭିମୁଖ୍ୟ ବଦଳିଯାଇଛି । ତାଙ୍କୁ ଆଉ କଂଗ୍ରେସର କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନାହିଁ । ଚିରଞ୍ଜୀବ ବିଜେଡି ସହ ଯୋଗ ସୂତ୍ରରେ ରହିଛନ୍ତି ବୋଲି କୁହାଯାଉଛି । ହେଲେ ଚିରଞ୍ଜୀବ ଓ ରଞ୍ଜୀବ ବିଶ୍ୱାଳ ଉଭୟ ଟିକେଟ ଚାଁହୁଥିବାରୁ ଡ଼ିଲ ଫାଇନାଲ ହୋଇପାରୁନଥିବା ଚର୍ଚ୍ଚା ହେଉଛି । ଏବେ ବି ଜଗତସିଂହପୁରରେ ଚିରଞ୍ଜୀବଙ୍କ ଦୃଢ ସଂଗଠନ ରହିଛି । ତାଙ୍କ ହାତରେ ୫୦ ହଜାରରୁ ଅଧିକ ଭୋଟ ରହିଛି । ଚିରଞ୍ଜୀବ ଙ୍କ ପୁଅ ଖଣି ବେପାର କରିବାକୁ ଯାଇ ବିଜେଡିର ଜଣେ ଯୁବନେତା ଙ୍କ ସମ୍ପର୍କରେ ଅଛନ୍ତି । କୁହାଯାଉଛି ବାପାଙ୍କୁ ବିଜେଡିକୁ ଆଣିବାକୁ ସେ ଫୁଲ ଦମରେ ଲାଗିପଡିଛନ୍ତି । 

ଖାଲି ଜଗତସିଂହପୁର ନୁହେଁ ତିର୍ତ୍ତୋଲ, ପାରାଦୀପ, ବାଲିକୁଦା, ଏରସମାରେ ବି ତାଙ୍କର କର୍ମୀ ରହିଛନ୍ତି । ଯଦି ଚିରଞ୍ଜୀବ ବିଜେଡିକୁ ଯାଆନ୍ତି ତେବେ ବିଜେଡି ଏକପାଖିଆ ଭାବେ ବାଜିମାତ କରିପାରିବ ବୋଲି ଅଙ୍କ କଷା ହେଉଛି । କିନ୍ତୁ ବିଜେଡି ଦୁଇ ଭାଇଙ୍କୁ ଟିକେଟ ଦେବା ନେଇ ମନବଳାଇ ପାରୁନାହିଁ । ରଞ୍ଜୀବ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ଏଯାଏଁ ଦେଇନାହାନ୍ତି । ରାଜନୀତି, କ୍ରୀଡା, ସାମ୍ବାଦିକତା ସବୁଠୁ ସେ ଦୁରେଇ ରହିଛନ୍ତି । କୁରାଙ୍ଗ ରେ ଥିବା ଫାର୍ମ ହାଉସରେ ସେ ଅଧିକ ସମୟ କଟାଉଥିବା ବେଳେ ଆଗାମୀ ରଣନୀତି ନେଇ ସେ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି । 

ଏଣୁ ବିଜେଡି ଗୋଟିଏ ପରିବାରରୁ ଗୋଟିଏ ଟିକେଟ ଦେବା ପାଇଁ ସ୍ଥିର କରିଥିବାରୁ ଚିରଞ୍ଜିବଙ୍କ ଶଙ୍ଖ ଫୁଙ୍କା ଅଭିଯାନ ଉପରେ ରୋକ ଲାଗିଥିବା ଜଣିବାକୁ ମିଳିଛି । ଚିରଞ୍ଜୀବ ବିଜେଡିରେ ମିଶିଲେ ସେ ଜଗତସିଂହପୁରରୁ ଟିକେଟ ପାଇବା ନିଶ୍ଚିତ । ଏ କ୍ଷେତ୍ରରେ ଅମରେନ୍ଦ୍ର କରିବେ କଣ ସେ ନେଇ ବି ଚର୍ଚ୍ଚା ଆଲୋଚନା ଚାଲିଛି । ଗତ ଥର ଆମେରେନ୍ଦ୍ର ଟିକେଟ ପାଇବେ ବୋଲି ଆଶା ବାନ୍ଧିଥିଲେ ବି ନିରାଶ ହେବାକୁ ପଡିଥିଲା । ପ୍ରଶାନ୍ତଙ୍କ ପ୍ରାର୍ଥୀତ୍ୱକୁ ସେ ପ୍ରଥମେ ବିରୋଧ କରିଥିଲେ ବି ପରେ ସ୍ୱୀକାର କରିବାକୁ ବାଧ୍ୟ ହୋଇଥିଲେ କିନ୍ତୁ ଏଥର ତାଙ୍କୁ ଟିକେଟ ନ ମିଳିଲେ ସେ ବିଜେପିରେ ମିଶି ପାରନ୍ତି ବୋଲି କୁହାଯାଉଛି । 

ବିଜେପି ନେତା ସତ୍ୟବ୍ରତ ମହାପାତ୍ର ଆଉ ଆଗ ଭଳି ସକ୍ରିୟ ନାହାନ୍ତି । ଆମେରେନ୍ଦ୍ର ବି ଇତିମଧ୍ୟରେ ନିଜର ଭୋଟ ବ୍ୟାଙ୍କ ଗଢି ପାରିଛନ୍ତି । ତେଣୁ ବିଜେଡି ତାଙ୍କୁ ଆଡେଇ ଦେଲେ ସେ ବିଜେପିରେ ହିଁ ଭାଗ୍ୟ ପରୀକ୍ଷା କରିପାରିବାର ସମ୍ଭାବନା ରହିଛି । ନଚେତ ଦଳୀୟ ଥୋପ ପାଇଁ ନିରବ ରହିପାରନ୍ତି ବୋଲି କୁହା ଯାଉଛି । ସେହିପରି କନକପ୍ରଭା ଲେଙ୍କା ଅନେକ ଦିନ ହେଲା ଟିକେଟ ଦୋୖଡରେ ରହିଛନ୍ତି । ଗତଥର ତାଙ୍କ ଜ୍ୱାଇଁ ଙ୍କୁ ଟିକେଟ ମିଳିବାରୁ କନକ ନିରବ ରହିଥିଲେ । ଆଗାମୀ ଦିନରେ ତାଙ୍କର ରଣନୀତି କଣ ରହିବ ଏବେ ତାହା ସ୍ପଷ୍ଟ ହୋଇନାହିଁ । ତେବେ ସେ ଯାହା ହେଉନା କାହିଁକି ୨୪ରେ ଜଗତସିଂହପୁର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହେବା ନିଶ୍ଚିନ୍ତ ବୋଲି କୁହାଯାଇପାରେ  ଏବଂ ବିଶ୍ୱାଳ ପାରିବାର ର ଅଙ୍କ ସବୁକିଛି ବିଗାଡି ଦେଇପାରେ ବୋଲି ଏବେଠୁ ପାୱାର୍ କରିଡର ରେ ଚର୍ଚ୍ଚା ଜୋର ଧରିଛି । 

Share this story