କାଳିଆ ଠାକୁରଙ୍କୁ ନେଇ ଶସ୍ତା ରାଜନୀତି : ପ୍ରଭୁ ସହିଲେ ହେଲା

ରାଜନୀତିରେ ଜଗନ୍ନାଥ ! ବିଜେପି- ବିଜେଡି ବୟାନବାଜି । ଓଡିଶା ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦ୍ଵିତୀୟ ଦିନରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଫେରିବା ପରେ କୋଟି କୋଟି ଓଡ଼ିଆଙ୍କ ମଉଡମଣି ଶ୍ରୀ ଜଗନ୍ନାଥଙ୍କ ନାଁରୁ ଆରମ୍ଭ କରିଥିଲେ ଅଭିଭାଷଣ । ଛାମୁଆ ସଂଗଠନର ନେତାମାନଙ୍କୁ ସମ୍ବର୍ଦ୍ଧନା କରିବା ଅବସରରେ ବିଜେଡିର ଆକ୍ଷେପକୁ କଟାକ୍ଷ କରିଥିଲେ। ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଭଳି ଓଡିଶାରେ ଧର୍ମକୁ ନେଇ ରାଜନୀତି ଚାଲେନି । ଠାକୁରଙ୍କୁ ନେଇ ପ୍ରାୟ ରାଜନୀତି କମ ହୋଇଥାଏ । ହେଲେ ଓଡ଼ିଶାରେ ଏବେ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳିଛି । ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିଜେଡିର ଆକ୍ଷେପ ପରେ କଟାକ୍ଷ କରି ନଡ୍ଡା କହିଛନ୍ତି ଦିଲ୍ଲୀରେ ଆମର କେହି ବସ ନାହାନ୍ତି । ଦିଲ୍ଲୀରେ ଆମର ପ୍ରଧାନ ସେବକ ଅଛନ୍ତି । ସମସ୍ତ ଭାରତୀୟଙ୍କ ବସ ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ ।
ବିଜେଡି ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଜେପି ନଡ୍ଡା ଜଗନ୍ନାଥ ଦର୍ଶନରେ ଯିବାକୁ ନେଇ ଏକ ଟ୍ୱିଟ କରିଥିଲେ ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ରଣେନ୍ଦ୍ର ଟ୍ୱିଟ କରି ଲେଖିଥିଲେ ଜଗନ୍ନାଥଙ୍କୁ ଦର୍ଶନ କରନ୍ତୁ ହେଲେ ଜଗନ୍ନାଥଙ୍କୁ ନେଇ ରାଜନୀତି କରନ୍ତୁ ନାହିଁ । ଏହା ଆମର ଫ୍ରି ଆଡ଼ଭାଇସ । ଗ୍ରହଣ କଲେ କରନ୍ତୁ ନହଲେ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗନ୍ନଥଙ୍କ ପରମ ଭକ୍ତ । ଅନେକ ଲୋକ ମୁଖ୍ୟମନ୍ତ୍ରୀ ହେବାପାଇଁ ଓଡିଶା ସାରା ବୁଲୁଛନ୍ତି । ସ୍ବପ୍ନ ଦେଖନ୍ତୁ ମନା ନାହିଁ । ବିଜେଡି ବିଜେପି ବୟାନ ବାଜି ଭିତରେ ଆଉ ପାଦେ ଆଗେଇ ଯାଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ପୂର୍ବରୁ ଜଗନ୍ନାଥଙ୍କ ନାଁରେ ଓଡିଶା ପରିଚିତ ହେଉଥିଲା । ଏବେ ନବୀନ ପଟ୍ଟନାୟକ କହିଲେ ଓଡିଶାକୁ ଲୋକେ ଚିହ୍ନୁଛନ୍ତି ।
ପୂର୍ବରୁ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର କହିଥିଲେ ବିଜେପି ନେତା ସମ୍ବିତ ପାତ୍ର ପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବାପରେ ଦେଶବାସୀ ଜାଣିଲେ ଯେ ପୁରୀ ଓଡ଼ିଶାରେ । ଯାହାକୁ ଅନେକ ସମାଲୋଚନା କରିଥିଲେ । ତେବେ ରାଜନୀତିର ଏହି ଟ୍ରେଣ୍ଡକୁ ଲୋକେ କେତେ ଗ୍ରହଣ କରୁଛନ୍ତି ତାହା ଉପରେ ନଜର ।