ବିଜେପିରେ କିଛି ଠିକ ଚାଲୁନି : ଥରେ ଏ ଘଟଣାରେ ନଜର ପକାନ୍ତୁ

nitesh

ଚାରିଆଡେ ଶଙ୍ଖ ଦଳରେ ବିଦ୍ରୋହର ପଦଧ୍ଵନି ଶୁଭିବା କଥା ଲେଖିଥିଲୁ। କିନ୍ତୁ ପଦ୍ମ ଦଳ କେଉଁ ଭଲ ସ୍ଥିତିରେ ଅଛି ଯେ ? ସେ ଦଳରେ ବି ଏବେ ଚାଲିଲାଣି ଝଟାପଟା। ଗୋଟିଏ  ଉଦାହରଣ ଏଠାରେ ଦିଆଯାଇପାରେ । ଉଦାହରଣଟି ପାଇଛୁ ଦେବଗଡ଼ରୁ  । ସମ୍ବଲପୁର ସାଂସଦ ହେଲେ ନୀତେଶ ଗଙ୍ଗଦେବ। ସିଏ ମଧ୍ୟ ଆଗରୁ ଦେବଗଡ ବିଧାୟକ ଥିଲେ । ଏବେ ବିଧାୟକ ହେଉଛନ୍ତି ସୁବାସ ପାଣିଗ୍ରାହୀ । ସିଏ ଆଗରୁ ବି ପଦ୍ମ ଦଳର ବିଧାୟକ ରହିଛନ୍ତି । ସାଂସଦ ପଦ୍ମ ଦଳର । ବିଧାୟକ ବି ସେହି ଦଳର। କିନ୍ତୁ ଦି’ଜଣଙ୍କ ଭିତରେ ଆଦୌ ମେଳ ନାହିଁ । ସେଥିପାଇଁ ଏହି ବିବାଦ ଥମେଇବାକୁ ଯାଇ ଗଲାଥର ନୀତେଶଙ୍କୁ ଲୋକସଭା ଦିଆଗଲା। ସୁବାସ ପାଇଲେ ବିଧାନସଭା ଟିକଟ । ଯାହାହଉ ଏହି ଫର୍ମୁଲା ସଫଳ ଟିକଟ ହେଇଗଲା।

କିନ୍ତୁ ଏବେ ତ ଅବସ୍ଥା ଭାରି ସାଂଘାତିକ । ଦି’ଜଣଙ୍କ ବିବାଦ ଭିତରେ ଏଣ୍ଟ୍ରି ମାରିଛନ୍ତି ଅରୁନ୍ଧତୀ ଦେବୀ। ସିଏ ହେଲେ ନୀତେଶଙ୍କ ଧର୍ମ ପତ୍ନୀ। ପୂର୍ବରୁ ଦି’ଜଣଙ୍କର ଭଲ ପଡୁନଥିଲା। କିନ୍ତୁ ଏବେ ଜବରଦସ୍ତ ମେଳ। କିନ୍ତୁ ବିବାଦଟି ଘନଉଛି ଏଥିପାଇଁ ଯେ ଅରୁନ୍ଧତୀ ଦେବୀ ଶଙ୍ଖ ଦଳରୁ ଟିକଟ ପାଇବାକୁ ଆଗ୍ରହୀ ହେଇପଡ଼ିଛନ୍ତି । ତାଙ୍କ କଥା ଓ କାମରେ ଶଙ୍ଖ ଓ ମୁଖିଆ ଝଲସି ଯାଉଛନ୍ତି । ସ୍ଵାମୀ ନୀତେଶ ଶଙ୍ଖ ଦଳର ସାଂସଦ। ଅରୁନ୍ଧତୀ ଚାହାନ୍ତି ଦେବଗଡରୁ ବିଧାନସଭାକୁ ଲଢିବେ। ସେଥିପାଇଁ ଶଙ୍ଖ ପ୍ରଶଂସାରେ ଶତମୁଖ ହୋଇଉଠୁଛନ୍ତି । ଏହାକୁ ଦଳୀୟ କର୍ମୀ ଓ ନେତାମାନେ କରିପାରୁ ନାହାନ୍ତି ବରଦାସ୍ତ ।

ବିଶ୍ୱକପ ହକି ଓ ଦେବଗଡ ରାଜପ୍ରାସାଦକୁ ନେବା ଘଟଣାକୁ ନେଇ ଦଳର ଆରମ୍ଭ ହେଇଯାଇଛି ତୁମୁଳକାଣ୍ଡ । ଅରୁନ୍ଧତୀ ଦେବୀଙ୍କୁ କୁଆଡେ ବିଧାୟକଙ୍କ ଭାଇ ତିଲୁ ପ୍ରାଣିଗ୍ରାହୀ କୂଆଡେ ଗାଳିଗୁଲଜ କରିଛନ୍ତି। ସଭାକୁ ଭଣ୍ଡୁର କରିବା ପାଇଁ ତିଲୁ ଗଣ୍ଡଗୋଳ କରିବା ସହିତ ଅଭଦ୍ର ଭାଷାରେ ଗାଳିଗୁଲଜ କରିଛନ୍ତି। ମହାରାଣୀଙ୍କ ସହ ରହିଥାନ୍ତି ଅନ୍ୟ ମହିଳାମାନଙ୍କ ଜାତି କୁ ନେଇ ମଧ୍ୟ ସେ ଖରାପ କଥା କହିଛନ୍ତି ବୋଲି ଥାନାରେ ଏତଲା ଦେଇଛନ୍ତି ମହାରାଣୀ। ଏ କଥା ନୀତେଶ ଗଙ୍ଗଦେବ ସାମାଜିକ ଗଣମାଧ୍ୟମରେ ଲେଖିବା ସହ ଏହାକୁ ମୁଖିଆ, ପାଣ୍ଡିଆନ ଓ ଦେବଗଡ ଏସପିଙ୍କୁ ଟ୍ୟାଗ୍ କରିଦେଇଛନ୍ତି। ବୁଝିହଉଛି ଯେ ଦେବଗଡ ରାଜନୀତି କୁଆଡକୁ ଯାଉଛି ? ରାଣୀ ସାହେବା ଗୋଡ ବଢେଇ ସାରିଲେଣି ଶଙ୍ଖ ଅପେରା ଆଡକୁ । କେବଳ ସମୟକୁ ଅପେକ୍ଷା। ନୀତେଶ ପତ୍ନୀଙ୍କର ନହେଇ ଆଉ କ’ଣ ପଦ୍ମ ଦଳର ହେବେ କି ? ଆରଥରକୁ ଯାହା ଲାଗୁଛି ନୀତେଶ ସମ୍ବଲପୁର ଟିକଟ ପାଇବେନି । 

ତେଣୁ ଆଗରୁ ବାଟ କାଟି ଦେବଗଡ ସକାଶେ ପତ୍ନୀଙ୍କ ବାଟ ସହଜ କରିଦେଲେ କ୍ଷତି କ’ଣ ? ପୁରା ଅନୁଗୋଳ ରାଜନୀତି ଭାରି ଜଟିଳ ହେଇପଡ଼ିଲାଣି । ନୀତେଶ ଓ ସୁବାସଙ୍କ ବିବାଦ ତେଜୁଛି । ୨୦୨୪ ବେଳକୁ ବୋମା ଫୁଟିବା ଆଶଙ୍କାକୁ କେହି ଏଡାଇ ଦେଇପାରିବେନି । କ୍ଷତି ତ ପଦ୍ମ ଦଳର ନିହାତି ହବ। ହେଲେ ଅରୁନ୍ଧତୀଙ୍କ ସପ୍ନ ସାକାର ହେବ ବୋଲି କଦାପି କୁହାଯାଇପାରିବ ନାହିଁ । ଅନେକ ଜିଲାରେ ଶଙ୍ଖ ଦଳ ପରି ପଦ୍ମ ଦଳରେ ବି ଅଛି ଅଡୁଆ। ଦେଖାଯାଉ କ୍ଷମତାକୁ ଫେରିବାର ସପ୍ନ ଦେଖୁଥିବା ପଦ୍ମ ଦଳ କିଭଳି ଆଭ୍ୟନ୍ତରୀଣ ବିବାଦର ସମାଧାନ କରୁଛି ?

Share this story