ଗୋଛିକଟାରେ ବ୍ୟସ୍ତ ରାଜ୍ୟ ବିଜେପି : ଘର କଳି ଏବେ ମୁଣ୍ଡବିନ୍ଧାର କାରଣ

bjp

୨୦୨୪ ନିର୍ବାଚନକୁ ନେଇ ରାଜନୈତିକ ପରିବେଶ ଖୁବ୍‌ ସରଗରମ ହୋଇଉଠିଛି । କ୍ଷମତାସୀନ ଶାସକ ଦଳ ଓ କ୍ଷମତା ଦଖଲ ଆଶାୟୀ ବିଜେପି କଂଗ୍ରେସ ମଧ୍ୟରେ ଛକାପଞ୍ଝା ଚରମ ସ୍ଥିତିରେ । କେତେବେଳେ ବିଜେପି ଟାର୍ଗେଟ କଲାଣି ତ କେତେବେଳେ କଂଗ୍ରେସ । ଆଉ କିଛି ନିର୍ବାଚନକୁ ଆଖିଆଗରେ ରଖି ଦଳ ଡିଆଁ ଆରମ୍ଭ କରିଦେଇଛନ୍ତି । ସେପେଟ ବିଜେପି ରାଜ୍ୟରେ କ୍ଷମତାଦଖଲ ଲାଗି ଦେଖୁଥିବା ଦିବା ସ୍ୱପ୍ନ ସତ ହେବେ ତ ? ଦଳର ନେତାମାନେ କ୍ଷମତା ହାସଲ ପାଇଁ ଆବଶ୍ୟକ ପଡ଼ିଲେ ମାର୍‍ପିଟ୍‍ କରିବାକୁ ପଛାଇବେ ନାହି ବୋଲି ସ୍ପଷ୍ଟ ସୂଚନା ଦେଇଛନ୍ତି । କିଛି ବରିଷ୍ଠ ନେତା ଏକାଠି ବସିବା ଓ ଏକାଠି କାମ କରିବାକୁ ଆହ୍ୱାନ ଦେଉଥିବା ବେଳେ ଦଳରେ ଫାଟ ଦିନକୁ ଦିନ ଯୋଡି ହେବା ପରିବର୍ତ୍ତେ ଭାଙ୍ଗିଭାଙ୍ଗି ଯାଉଛି। ସାଂଗଠନିକ ଦୁର୍ବଳତା ଓ ଗୋଷ୍ଠୀ ବିବାଦର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭୁବନେଶ୍ୱର ସାଂଗଠନିକ ଜିଲ୍ଲାରେ । ରାଜଧାନୀ ବିଜେପି ଦୁଇ ଫାଳ ହେବା ରାଜ୍ୟ ନେତୃତ୍ୱଙ୍କୁ ବିଚଳିତ କରିଛି। ଅତୀତରେ ଦଳର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ ଜିଲ୍ଲା ବିଜେପି ଏକ ପ୍ରକାର ବିଭାଜିତ ହୋଇଥିବାବେଳେ ସମ୍ପ୍ରତି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପରିବର୍ତ୍ତନକୁ ନେଇ ସୃଷ୍ଟି ହୋଇଛି ବିବାଦ।  ରାଜଧାନୀ ଭୁବନେଶ୍ୱର ପିଲଟିକ୍ସରେ ବିଜେପି ଭିତରରେ ଚାଲିଥିବା ଭୟଙ୍କର ଗୋଷ୍ଠୀ କନ୍ଦଳ ପୁଣି ପଦାରେ ପଡ଼ିଲା ।

ଅତୀତରେ ଦଳର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ ଜିଲ୍ଲା ବିଜେପି ଏକ ପ୍ରକାର ବିଭାଜିତ ହୋଇଥିବାବେଳେ ସମ୍ପ୍ରତି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପରିବର୍ତ୍ତନକୁ ନେଇ ସୃଷ୍ଟି ହୋଇଛି ବିବାଦ । ଜିଲ୍ଲା ସଭାପତି ବାବୁ ସିଂହଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ଯୁବ ବିଜେପି ସଭାପତି ରଶ୍ମି ରଞ୍ଜନ ମୁଦୁଲିଙ୍କୁ ସଭାପତି ପଦରୁ ଅବ୍ୟାହତି ଦିଆଯିବା ପରେ ଜିଲ୍ଲା ବିଜେପିରେ କନ୍ଦଳ ପ୍ରବଳ ରୂପ ଧାରଣ କରିଛି । ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଏହି ନିଷ୍ପତ୍ତିକୁ ସଠିକ୍ ଓ ତାଙ୍କ ଅଧିକାର ପରିସରଭୁକ୍ତ କହିଥିବାବେଳେ ଜିଲ୍ଲା ସାଧାରଣ ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ ଜିଲ୍ଲା ସଭାପତିଙ୍କ ନିଷ୍ପତ୍ତିକୁ ଅଯଥାର୍ଥ ଓ ବ୍ୟକ୍ତିଗତ ବୋଲି କହିଛନ୍ତି ।

ଶନିବାର ଭୁବନେଶ୍ୱର ଜିଲ୍ଲା ବିଜେପିର ଲେଟର ପ୍ୟାଡରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲିଙ୍କୁ ତାଙ୍କ ପଦରୁ ଅବ୍ୟାହତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜିଲ୍ଲା ବିଜେପି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ରଶ୍ମିରଞ୍ଜନଙ୍କୁ ପଦରୁ ଅବ୍ୟାହତି ଦିଆଯାଇଛି ବୋଲି ସଙ୍ଗଠନର ସାଧାରଣ ସମ୍ପାଦକ ହିମାଂଶୁ ଛୋଟରାୟ ଏଥିରେ ଉଲ୍ଲେଖ କରିଥିଲେ । ଏହାର କିଛି ସମୟ ପରେ ଆଉ ଜଣେ ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ ତାଙ୍କ ପ୍ୟାଡରେ ଏକ ବିଜ୍ଞପ୍ତି ପ୍ରକାଶ କଲେ ଯେ, ଭାରତୀୟ ଜନତା ଯୁବମୋର୍ଚ୍ଚା ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ସଭାପତି ରଶ୍ମି ରଞ୍ଜନ ମୁଦୁଲିଙ୍କ ଅଦଳବଦଳର କୌଣସି ନିଷ୍ପତ୍ତି ହୋଇ ନାହିଁ । ଗଣମାଧ୍ୟମରେ ପ୍ରକାଶ ପାଉଥିବା ଭାରତୀୟ ଜନତା ଯୁବମୋର୍ଚ୍ଚା ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ସଭାପତି ପରିବର୍ତ୍ତନର ଖବର ସମ୍ପୂର୍ଣ ମିଥ୍ୟା ଅଟେ । ଆଜି ବି ରଶ୍ମି ରଞ୍ଜନ ମୁଦୁଲୀ ଭାରତୀୟ ଜନତା ଯୁବମୋର୍ଚ୍ଚା ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ସଭାପତିର କାର୍ଯ୍ୟ ତୁଲାଉଛନ୍ତି ଏବଂ ଆଗକୁ ମଧ୍ୟ ତାଙ୍କ ନେତୃତ୍ୱରେ ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚାର କାର୍ଯ୍ୟକ୍ରମ ଜାରି ରହିବ । ଏହି ସମାନ କଥାକୁ ସମର୍ଥନ ଜଣାଇ ଅଭିଷେକ ଆଚାର୍ଯ୍ୟଙ୍କ ପ୍ୟାଡରେ ଲିଖିତ କଥାକୁ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ୍ କଲେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମନ୍ଦାକିନି ପାତ୍ର । 

ତେବେ, ଏଠାରେ ସୂଚନାଯୋଗ୍ୟ ଯେ ଏଇ କିଛି ଦିନ ତଳେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମନ୍ଦାକିନୀ ପାତ୍ର ରାତି ଅଧରେ ନିଜ ପଦବୀରୁ ଇସ୍ତଫା ଦେଲେ ବୋଲି ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ୍ କରିଥିଲେ । ତେବେ, ନାଟକୀୟ ଢଙ୍ଗରେ ପରଦିନ ନିଜ ଇସ୍ତଫା ପୁଣି ଫେରାଇ ନେଇଥିଲେ । ଏହାକୁ ନେଇ ଖୁବ୍ ହାସ୍ୟାସ୍ପଦ ହୋଇଥିଲେ ମନ୍ଦାକିନୀ । ଏହା ସହ ଜିଲ୍ଲା ସଙ୍ଗଠନ ଭିତରର ବିଶୃଙ୍ଖଳା ପୁଣି ପଦାରେ ପଡ଼ିଥିଲା । ସେହିପରି ଏଠାରେ ଆଉ ଏକ କଥା ସୂଚନାଯୋଗ୍ୟ ଯେ ପ୍ରାୟ ବର୍ଷେ ତଳେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମହାପାତ୍ରଙ୍କୁ ଏକ ବିବାଦୀୟ ଢଙ୍ଗରେ ଅପସାରିତ କରାଯାଇ ରଶ୍ମିରଞ୍ଜନ ମୁଦୁଲିଙ୍କୁ ଯୁବ ମୋର୍ଚ୍ଚା ସଭାପତି ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଏ ଘଟଣା ଏବେ ରାଜ୍ୟ ବିଜେପିର ଅସଲ ରୂପ ପଦାରେ ପକାଇଛି । ଯିଏ ନିଜ ଦଳ ସଜାଡି ପାରୁନି, ସିଏ ରାଜ୍ୟ ସଂଗଠନ କଣ ସଜାଡିବ ? ସେପଟେ ଧର୍ମେନ୍ଦ୍ର କ୍ୟାମ୍ପର ଏଭଳି ଅବସ୍ଥା ସଭିଙ୍କୁ ଅଧିକ ବିଚଳିତ କରିଛି ।

Share this story