ଓଡିଶା ରାଜନୀତିରେ ପ୍ରଥମଥର ହେବ ପଲିଟିକାଲ ଏକ୍ସଚେଞ୍ଜ ମେଳା
upasana sanjay

ଓଡ଼ିଶା ରାଜନୀତିରେ ପ୍ରଥମଥର ପାଇଁ ବ୍ରହ୍ମଗିରିରେ ହେବ ପଲିଟିକାଲ ଏକ୍ସଚେଞ୍ଜ ମେଳା । ଏହା କୌଣସି ଦ୍ରବ୍ୟର ନୁହେଁ, ରାଜନୈତିକ ପ୍ରାର୍ଥୀଙ୍କର ଏକ୍ସଚେଞ୍ଜ ହେବ । ଏକଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ପୂର୍ବରୁ ଦଳ ଡିଆଁ ଥିଲା, ମାତ୍ର ଏବେ ସିଧା ସଳଖ ଏକ୍ସଚେଞ୍ଜ ହେବ । ଏକଥା କାନକୁ ଅଡ଼ୁଆ ଲାଗୁଥିବ ନିଶ୍ଚିତ, ହେଲେ କଥାଟା ଏବେ ଚର୍ଚ୍ଚାର ଶୀର୍ଷରେ । ପଲିଟିକାଲ ଏକ୍ସଚେଞ୍ଜ ବୋଲି ଆମେ ଏଠି ବ୍ରହ୍ମଗିରି ବିଧାନସଭା ପ୍ରାର୍ଥୀଙ୍କ ଏକ୍ସଚେଞ୍ଜ କଥା ହିଁ କହୁଛୁ । 

ଏକଥା କହିବାର ଅନେକ କାରଣ ବି ରହିଛି  । ସଦ୍ୟ ରାଜନୈତିକ ଘଟଣାକୁ ଟିକେ ପରଖିଲେ ଏକଥା ଜଳ ଜଳ ହୋଇ ଦିଶିବ ଏବେ ରାଜ୍ୟରେ ବିଜେଡି ଓ ବିଜେପି ସକ୍ରିୟ ରହିଛନ୍ତି । ବିଜେଡି ରାଜନୀତିରେ ପ୍ରତିଦିନ ନୂଆ ଘଟଣା ଘଟୁଛି । ଏବେ ଯଦି ଦେଖିବା ବ୍ରହ୍ମଗିରିର ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସ ବର୍ମା ଦଳ ଉପରେ ଖପ୍ପା । ବିଷ ଉଦ୍ଗାର କରୁଛନ୍ତି । ଦଳ ବି ତାଙ୍କୁ ସାଇଡ କରିବାକୁ କାଳେ ଯୋଜନା କରିସାରିଲାଣି । ଏଥିରେ ଭିଲିୟାନ ଯିଏ ବି ଥାଉ କଥାଟା ସ୍ପଷ୍ଟ ହେବାର ଲାଗିଲାଣି । କାରଣ ବିଜେଡି ଭିତରେ ଥାଇ ବିଜେଡି ମୁଖିଆଙ୍କ ଓ ପରାମର୍ଶ ଦାତାଙ୍କ ବିରୋଧରେ ଏପରି ବାକ୍ୟ କହିବା ସମ୍ଭବ ନୁହେଁ । ସଞ୍ଜୟ ଓ ବିଜେଡିର ସମ୍ପର୍କ ଦେଖିଲେ ସ୍ତିତି ସ୍ପଷ୍ଠ ଭାବେ ବୁଝା ପଡୁଛି । ସମ୍ପର୍କ ତୁଟିବା  ପୂର୍ବରୁ ସଂଞ୍ଜୟ ଏବେ ବିଜେପି ଆଡକୁ ହାତ ବଢା଼ଉଥିବା ଚର୍ଚ୍ଚା ହେଉଛି । ବିଜେଡିର କିଛି ନେତାଙ୍କ କହିବା କଥା ହେଉଛି ବିଜେଡି ପୁରୁଖାଙ୍କ ସହ ସଞ୍ଜୟଙ୍କ କାଳେ ବୈଠକର ପ୍ରଥମ ପର୍ଯ୍ୟାୟ ସରିଲାଣି । ଏକଥା ସତ ହେଲେ ସଞ୍ଜୟ ବିଜେପିକୁ ଯିବେ ।

ସେପଟେ ଏବେ ଉପାସନା ମହାପାତ୍ରଙ୍କ ରାସ୍ତା ବିଜେଡି ଆଡକୁ ତିଆରି ହେଉଛି । ତାଙ୍କ ପଛରେ କାଳେ ବିଜେଡିର ପୁରୁଖା ପିନାକୀ ମିଶ୍ରଙ୍କ ସମର୍ଥନ ରହିଛି । ଏହା ବ୍ୟତୀତ ବିଜେଡି ଭିତରେ ତାଙ୍କର ଅନେକ ସମ୍ପର୍କୀୟ ବି ରହିଛନ୍ତି । ବିଜେଡ଼ିକୁ ସେ ଗଲେ ବ୍ରହ୍ମଗିରିରେ ସଂଗଠନ ଶୁଦୃଢ଼ କରିପାରିବ ବିଜେଡି । ଯଦି ସଞ୍ଜୟ ବିଜେପିକୁ ଯିବେ ତେବେ ଉପାସନା ବିଜେଡ଼ିକୁ ଯିବା ଏକପ୍ରକାର ନିଶ୍ଚିନ୍ତ ହୋଇଯିବ । ଏହା ହେଲେ ଓଡିଶା ରାଜନୀତିରେ ପ୍ରଥମ ଥର ପାଇଁ ବ୍ରହ୍ମଗିରିରେ ବିଧାନସଭା ପ୍ରାର୍ଥୀ ଏକ୍ସଚେଞ୍ଜ ହେବେ । ଏଥିପାଇଁ ଉଭୟ ସଂଞ୍ଜୟ ଏବଂ ଉପାସନାଙ୍କ ସମର୍ଥକ ମାନେ ଲାଗିପଡିଛନ୍ତି । ତେବେ ଏହି ପଲିଟିକାଲ ଏକ୍ସଚେଞ୍ଜ ରେ କେବେ ଓ କେମିତି ହେବ ତାହା ଦେଖିବାକୁ ବାକି ରହିଲା ।

Share this story