୨୪ ପାଇଁ ୨୬ରୁ ମୂଳଦୁଆ : ତାଲବଣିଆରେ ୫୦ ହଜାର ସମାଗମ

ଶ୍ରୀକ୍ଷେତ୍ରରେ ରୌପ୍ୟ ଜୟନ୍ତୀ ପାଳିବ ବିଜୁ ଜନତା ଦଳ। ୨୫ତମ ପ୍ରତିଷ୍ଠା ଦିବସକୁ ଶାସକ ବିଜେଡି ବଡ଼ ଆଡ଼ମ୍ବରରେ ପାଳନ କରିବ। ପୁରୀ ତାଳବଣିଆ ପଡ଼ିଆରେ ହେବ ବିରାଟ ଜନସଭା। ଯୋଗଦେବେ ପ୍ରାୟ ୫୦ ହଜାରରୁ ଅଧିକ କର୍ମୀ ଓ ସାଧାରଣ ଜନତା। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ୧୯୯୭ ମସିହାରେ ଜନ୍ମ ନେଇଥିବା ବିଜୁ ଜନତା ଦଳ ଆସନ୍ତା ୨୬ ତାରିଖରେ ୨୫ତମ ପ୍ରତିଷ୍ଠା ଦିବସ (ରୌପ୍ୟ ଜୟନ୍ତୀ) ପାଳନ କରିବ।
ଏଥିପାଇଁ ଶୁକ୍ରବାର ସକାଳେ ଦଳର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପ୍ରଣବ ବଳବନ୍ତରାୟ, ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରଣବ ବଳବନ୍ତରାୟ, ଦିବ୍ୟଶଙ୍କର ମିଶ୍ର, ଯୁବ ବିଜେଡି ରାଜ୍ୟ ସଭାପତି ବ୍ୟୋମକେଶ ରାୟ, ଛାତ୍ର ବିଜେଡି ସଭାପତି ଦେବୀ ପ୍ରସାଦ ତ୍ରିପାଠୀ, ମହିଳା ସଂଗଠନ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଉପସ୍ଥିତ ଥିଲେ।
ସୂତ୍ରରୁ ଜଣାପଡ଼ିଛି, ବିଜେଡି ୨୫ତମ ପ୍ରତିଷ୍ଠା ଦିବସକୁ ମହାସମାରୋହରେ ରାଜ୍ୟବ୍ୟାପୀ ପାଳନ କରିବ। ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୨୬ରେ ପୁରୀ ତାଳବଣିଆ ପଡ଼ିଆରେ ବିରାଟସଭା ହେବ । ଏଥିରେ ସମସ୍ତ ବିଧାୟକ, ସାଂସଦ, ରାଜ୍ୟ ପଦାଧିକାରୀ, ଛାମୁଆ ସଂଗଠନ ନେତା, ପ୍ରତି ପଞ୍ଚାୟତ ଓ ବ୍ଳକର ବରିଷ୍ଠ ନେତା, ଛାମୁଆ କର୍ମକର୍ତ୍ତାମାନେ ଯୋଗଦେବେ। ପ୍ରାୟ ୫୦ ହଜାର ଜନସମାଗମ ଲକ୍ଷ୍ୟ ରଖାଯାଇଛି। ବିରାଟ ସଭାରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଉଦ୍ବୋଧନ ଦେବେ। ଆଗାମୀ ଦିନର କାର୍ଯ୍ୟପନ୍ଥା ଓ ଭୂମିକା ନେଇ ଆହ୍ବାନ ରଖିବେ । ପରବର୍ତ୍ତୀ ପର୍ଯ୍ୟାୟରେ ୧୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ନିର୍ବାଚନମଣ୍ଡଳୀ ସ୍ତରରେ ପ୍ରତିଷ୍ଠା ଦିବସ ପାଳିବ ବିଜେଡି ।
ଏହାବାଦ୍ ବର୍ଷେ ବ୍ୟାପୀ ବିଭିନ୍ନ ଜୋନ୍ରେ ଦଳ କାର୍ଯ୍ୟକ୍ରମ ଜାରି ରଖିବ। ବର୍ଷେ ବ୍ୟାପୀ କାର୍ଯ୍ୟକ୍ରମ ନେଇ ଚୂଡ଼ାନ୍ତ ରୂପରେଖ ଖୁବଶୀଘ୍ର ପ୍ରସ୍ତୁତ ହେବ। ଏନେଇ ଆସନ୍ତା ଦୁଇଦିନ ଭିତରେ ଦଳର ଆଉ ଏକ ବୈଠକ ବସିବ। ପ୍ରତିଷ୍ଠା ଦିବସ ପାଳନ ନେଇ ଏକ ପ୍ରତିନିଧି ଦଳ ଆଜି ଭୁବନେଶ୍ବରରୁ ପୁରୀ ଗସ୍ତ କରିଥିଲେ। ତାଳବଣିଆ ପଡ଼ିଆର ସ୍ଥିତି ଅନୁଧ୍ୟାନ କରିବା ସହ ସେଠାରେ କିଭଳି କାର୍ଯ୍ୟକ୍ରମ ଆୟୋଜନ ହେବ, ସେ ନେଇ ରିପୋର୍ଟ ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ବିଜେଡିର ୨୦ତମ ପ୍ରତିଷ୍ଠା ଦିବସ ମଧ୍ୟ ପୁରୀ ତାଳବଣିଆରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାରେ ଆଗୁଆ ନିର୍ବାଚନ ନେଇ ରାଜନୈତିକ ଚର୍ଚ୍ଚା ଚାଲିଥିବାବେଳେ ବିଜୁ ଜନତା ଦଳ ନିଜ ପ୍ରସ୍ତୁତିକୁ ଆହୁରି ଜୋରଦାର କରିଛି । ସାଂଗଠନିକ କାର୍ଯ୍ୟକ୍ରମ ଓ ନିର୍ବାଚନ ପ୍ରସ୍ତୁତିରେ ସବୁବେଳେ ଆଗୁଆ ରହୁଥିବା ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟସ୍ତରରୁ ତୃଣମୂଳ ପର୍ଯ୍ୟନ୍ତ ସାଂଗଠନିକ ଟିମ୍କୁ ଆହୁରି ସକ୍ରିୟ କରାଇବାକୁ ଯୋଜନା ରଖିଛି।