୨୩ ବର୍ଷ ପରେ ବି ଅପରାଜେୟ ନବୀନ, ପ୍ରମାଣ ଦେଲା ପଦ୍ମପୁର

ପଦ୍ମପୁରରୁ ମିଳିଳା ୨୪ର ସୁତ୍ର । ନବୀନଙ୍କ ଆଗରେ ଫେଲ୍ ମାରିଗଲା ଆରୋପ ପ୍ରତ୍ୟାରୋପ ରାଜନୀତି । ପଦ୍ମପୁରରେ କେବଳ ବିଜେଡିର ବିଜୟ ନୁହଁ, ନବୀନ ବିଜେପି ପାଇଁ ଏକ ଆଶଙ୍କା ମଧ୍ୟ ତିଆରି କରିଦେଲେ । ଆଉ ଏହି ଆଶଙ୍କା ହେଉଛି ନବୀନଙ୍କ ଆଗରେ ନା କେନ୍ଦ୍ରମନ୍ତ୍ରୀଙ୍କ କ୍ରେଜ୍ ରହିଲା ନା ବିଜେପିର ବିଭ୍ରାନ୍ତିକାରୀ ପ୍ରସଙ୍ଗ । ତେବେ ବିଜେପି ୨୪କୁ ନେଇ ଦେଖୁଥିବା ସ୍ୱପ୍ନ ପଦ୍ମପୁରରେ ମଉଳି ଯାଇଛି । ଯାହା ୨୪ରେ ମଧ୍ୟ ପ୍ରତିଫଳନ ହେବ ।
ପଦ୍ମପୁର ଉପନିର୍ବାଚନରେ ବିଜେଡି ବିପୁଳ ଭୋଟରେ ବିଜୟ ହାସଲ କରିଛି । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ରେକର୍ଡ ୪୨ ହଜାର ୬୫ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଶ୍ରୀମତୀ ବରିହା ୧ ଲକ୍ଷ ୧୮ ହଜାର ୮୫୮ ଭୋଟ ପାଇଥିବା ବେଳେ ଶ୍ରୀ ପୁରୋହିତ ୭୭ ହଜାର ୧୮୫ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀଙ୍କ ଅମାନତ ଉଡ଼ିଯାଇଛି । ତିନି ଥରର ବିଧାୟକ ସତ୍ୟଭୂଷଣ ସାହୁ ମାତ୍ର ୩ ହଜାର ୫୩୧ ଭୋଟ ପାଇବାକୁ ସକ୍ଷମ ହୋଇଛନ୍ତି ।
ସମୁଦାୟ ୨୩ ରାଉଣ୍ଡ ଭୋଟ ଗଣତି ହୋଇଥିଲା । ବିଜେଡି ପ୍ରାର୍ଥୀ ବର୍ଷା ପ୍ରଥମ ରାଉଣ୍ଡ ଗଣତିରୁ ଆଗୁଆ ରହିଥିଲେ । ଶେଷ ପର୍ଯ୍ୟନ୍ତ ସବୁ ରାଉଣ୍ଡରେ ସେ ଥିଲେ ଆଗୁଆ । ପଦ୍ମପୁର ଆସନରୁ ଏତେ ଭୋଟ ବ୍ୟବଧାନରେ ବିଜୟୀ ହେବାରେ ବର୍ଷା ରେକର୍ଡ ସୃଷ୍ଟି କରିଛନ୍ତି । ପୂର୍ବରୁ ପଡୋଶୀ ନିର୍ବାଚନମଣ୍ଡଳୀ ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ମଧ୍ୟ ରେକର୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ୯୭,୯୯୦ ଅଧିକ ଭୋଟରେ ସେ ଜିତିଥିଲେ ।
ପଦ୍ମପୁର ଆସନରୁ ଗତ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହା ବିଜେପିର ପ୍ରଦୀପ ପୁରୋହିତଙ୍କଠାରୁ ମାତ୍ର ୫,୭୩୪ ଖଣ୍ଡ ଅଧିକ ଭୋଟ ପାଇ ଜିତିଥିଲେ । ୨୦୧୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ଶ୍ରୀ ପୁରୋହିତ ୪,୫୧୩ ଭୋଟରେ ବିଜୟୀ ହୋଇଥିଲେ । ଶ୍ରୀ ବରିହାଙ୍କ ବିୟୋଗ ଯୋଗୁଁ ପଦ୍ମପୁରରେ ଅନୁଷ୍ଠିତ ଉପନିର୍ବାଚନରେ ଝିଅ ବର୍ଷାଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା । ପଦ୍ମପୁର ଉପନିର୍ବାଚନ ଉଭୟ ବିଜେଡି ଓ ବିଜେପି ପାଇଁ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିଲା । ଧାମନଗର ଉପନିର୍ବାଚନରୁ ଶକ୍ତ ଝଟକା ପାଇଥିବା ବିଜେଡି ପାଇଁ ପଦ୍ମପୁର କର ବ । ମର ପରିସ୍ଥିତି ସୃଷ୍ଟି କରିଥିଲା । ସେଥିପାଇଁ ପ୍ରାର୍ଥୀ ଚୟନଠାରୁ ଆରମ୍ଭ କରି ଉପନିର୍ବାଚନ ପରିଚାଳନା ସବୁ କ୍ଷେତ୍ରରେ ଦଳର ପରାକାଷ୍ଠା ଦେଖିବାକୁ ମିଳିଥିଲା ।
ଅନ୍ୟପକ୍ଷରେ ବିଜେପି ଏହି ଆସନ ଅକ୍ତିଆର କରିବାର କୌଣସି ସୁଯୋଗକୁ ହାତଛଡ଼ା କରିବା ମାନସିକତାରେ ନ ଥିଲା । ଧାମନଗର ଫଳାଫଳରେ ଉତ୍ସାହିତ ଦଳ ପଦ୍ମପୁରରେ ଏକ ହୋଇ ଲଢ଼ିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୪ ଦିନ ଧରି ପ୍ରଚାର କରିଥିଲେ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟ ପ୍ରଚାର କରିଥିଲେ । ମାତ୍ର ତୃଣମୂଳସ୍ତରରେ ପରିଚାଳନାଗତ ତ୍ରୁଟି ଦଳ ପାଇଁ ସମସ୍ୟା ହୋଇଥିଲା । ବିଜେପି ନେତାମାନେ ବିଜେଡିକୁ ଟକ୍କର ଦେଇପାରି ନ ଥିଲେ । ପଦ୍ମପୁରରେ କଂଗ୍ରେସର ୨୫ ହଜାରରୁ ୩୦ ହଜାର ପକେଟ୍ ଭୋଟ ଅଛି ବୋଲି ବିଶ୍ୱାସ କରାଯାଉଥିଲା । ମାତ୍ର ସତ୍ୟଭୂଷଣଙ୍କ ପ୍ରତି ଭୋଟରଙ୍କ ସମର୍ଥନ ଦେଖିଲା ପରେ କଂଗ୍ରେସ ଭୋଟକୁ ନେଇ ପ୍ରଶ୍ନ ଉଠିଛି । ସମସ୍ତେ ବୁଝି ସାରିଛନ୍ତି ବିଜେଡି ବ୍ରାଣ୍ଡ ଓ ନବୀନ ନାଁ ହିଁ ବାଜିମାତର ଚାବିକାଠି ।