ସଂଗଠନ ଶୂନ, ଭାବମୂର୍ତ୍ତି ନେଇ କେତେଦିନ ବଞ୍ଚିବେ ମହତାବ ?

bhartuhari

ଭର୍ତ୍ତୃହରି ବିଜେଡିର ବଳ ହେବେ ନା ବିଜେପି ପାଇଁ କାଳ ହେବେ ? ୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି, ଭର୍ତ୍ତୁହରି ଙ୍କୁ ନେଇ କନ୍ଦଳ ସେତିକି ଫୁଟି ବାହାରୁଛି । ପ୍ରାୟ ପ୍ରତ୍ୟେକ ଜିଲ୍ଲାରେ କେହି ନା କେହି ବିଦ୍ରୋହୀ ମୁଣ୍ଡ ଟେକୁଛନ୍ତି । ଅବଶ୍ୟ ବିଦ୍ରୋହୀଙ୍କୁ ଦମନ କରି ମଳିଛିଆ ଭାବମୂର୍ତ୍ତୀ ରଖିଥିବା ନେତାଙ୍କୁ ବିଦା କରିବା ପାଇଁ ବିଜେଡି କାଳେ ଚିଠା ପ୍ରସ୍ତୁତ କରିସାରିଛି । କିନ୍ତୁ ଯେଉଁମାନଙ୍କର ଭାବମୂର୍ତ୍ତୀ ଏବେ ବି ସଫା ଅଛି, ସେଭଳି କିଛି ନେତା ବି ଅଛନ୍ତି । ତାଙ୍କ ଭିତରୁ ଆମେ ଆଜି କଟକ ଜିଲ୍ଲାର ସବୁଠୁ ବଡ଼ ଅସନ୍ତୁଷ୍ଟ ନେତା ଭର୍ତ୍ତୃହରି ମହତାବଙ୍କ କଥା କହୁଛୁ । ଭର୍ତ୍ତୃହରି ବାରମ୍ବାର ସୂଚନା ଦେଇସାରିଲେଣି ଯେ ସେ ବିଜେଡିରେ ସନ୍ତୁଷ୍ଟ ନାହାନ୍ତି । ଅମିତ ଶାହାଙ୍କୁ ଆଣି ସଭାସମିତି ବି କରିସାରିଲେଣି । ଅବଶ୍ୟ ସେଥିରେ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ କିନ୍ତୁ ବିଜେପି ପ୍ରତି ତାଙ୍କର ଆନୁଗତ୍ୟ ଜଳ ଜଳ ହୋଇ ଦିଶିଲାଣି । ସେ ବର୍ତମାନ ବିଜେଡିରେ ଥାଇ ବି ନଥିବା ଭଳି ଅଛନ୍ତି ବୋଲି ତାଙ୍କରି ଦଳର ସମର୍ଥକମାନେ କହୁଛନ୍ତି । ଏବେ ସେ କହିଲେଣି ଠିକ ସମୟ ଆସିଲେ ମୁଁ ଚାରୋଟି କଥା କହିବି । ଅର୍ଥାତ ବିଜେଡ଼ିକୁ ସେ ଅକଳରେ ପକାଇପାରନ୍ତି । 

ଯଦି ଭର୍ତ୍ତୃହରି ବିଜେଡି ବିରୋଧରେ ଛିଡା ହୁଅନ୍ତି ତେଣୁ ସବୁଠୁ ପୁରୁଣା ସାଂସଦ ଭାବେ କିଛି ନା କିଛି ସେ ବିଜେଡି ଉପରେ ପ୍ରଭାବ ପକାଇବେ । ହେଲେ ଯଦି ଆପୋସ ବୁଝାମଣା କରନ୍ତି ତେବେ ବି କ୍ଷତି ହୋଇପାରେ କାରଣ ଦୀର୍ଘ ବର୍ଷ ହେବ ସେ କାଳେ ଦଳରେ କଣଠେସା ହୋଇ ରହିଛନ୍ତି । ଦଳରେ ତାଙ୍କୁ ଆଉ ପୂର୍ବ ଭଳି ଗୁରୁତ୍ୱ ଦିଅ ଯାଉନଥିବା ତାଙ୍କ ସମର୍ଥକମାନେ କହୁଛନ୍ତି । ସେ ବି କାଳେ ଏବେ ଦଳୀୟ କାର୍ଯ୍ୟକ୍ରମ ଠୁ ନିଜକୁ ଦୁରେଇ ରଖୁଛନ୍ତି । ଯାହାର ଏକ ଉଢାହରଣ ହେଉଛି ନିକଟରେ ବିଜେଡିର ରୌପ୍ୟ ଜୟନ୍ତୀ ଅବସରରେ ପୁରୀରେ ଆୟୋଜିତ ହେଉଥିବା ବିଶାଳ ସମାବେଶରେ ସେ ଅନୁପସ୍ଥିତ ରହିବା । ଏହି ଗୋଟେ ଘଟଣା ନୁହେଁ ଏମିତି ଅନେକ ଦଳୀୟ କାର୍ଯ୍ୟକ୍ରମରେ ଆଉ ତାଙ୍କୁ ଦେଖିବାକୁ ମିଳୁନି । 

କଟକର ସାଂସଦ ଭାବେ ସେ ଦୀର୍ଘଦିନ ଧରି ବିଜେଡି ଟିକେଟରୁ ଜିତିଆସିଛନ୍ତି । ୨୦୧୯ ନିର୍ବାଚନରେ ତାଙ୍କୁ ଟିକେଟ ଦେବ କି ନାହିଁ ସେ ନେଇ ଦ୍ବନ୍ଦରେ ଥିଲେ ମୁଖିଆ । ଯାହା ହେଉ ଶେଷ ମୁହୂର୍ତ୍ତରେ ତାଙ୍କୁ ଟିକେଟ ଦେଲେ । ତା ପରେ ସଂସଦୀୟ ଦଳର ନେତା ପଦରୁ ଭର୍ତ୍ତୃହରିଙ୍କୁ ହଟାଇ ପିନାକୀ ମିଶ୍ରଙ୍କୁ ଦାୟିତ୍ୱ ଦିଆଗଲା । ଯାହାକୁ ନେଇ ଭର୍ତ୍ତୃହରି ମନ ଊଣା କରିଥିବା ଚର୍ଚ୍ଚା ହେଲା । ତେଣୁ ପୂର୍ବରୁ ଅନେକ ବାର ଭର୍ତ୍ତୃହରି ଦଳର ପରିଚାଳନାଗତ ତ୍ରୁଟିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିସାରିଛନ୍ତି । ଏବେ ଏସବୁ ଦେଖିଲେ ଲାଗୁଛି ଭର୍ତ୍ତୃହରି ବିଜେଡି ସାଙ୍ଗରେ ପ୍ରାୟତଃ ନାହାନ୍ତି । ଛାପ ବିଜେଡିରେ ଅଛି କିନ୍ତୁ ମନ ବିଜେଡିରେ ନାହିଁ । ଏପରିକି ତାଙ୍କ ବହିକୁ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିଥିଲେ ।

ତେଣୁ ବର୍ତମାନ ଯଦି ତାଙ୍କୁ ବିଜେଡି ଛାଡେ ତେବେ ସେ ବିଜେଡି ପାଇଁ କ୍ଷତି କାରକ ହୋଇପାରନ୍ତି ବୋଲି ତାଙ୍କ ସମର୍ଥକ କହୁଛନ୍ତି। କିନ୍ତୁ ଅନ୍ୟ ପଟେ ଦେଖିବାକୁ ହେଲେ ତାଙ୍କର ସଂଗଠନ ନାହିଁ। ନିଜର ସାଂଗଠନିକ ଦକ୍ଷତା ବି ନାହିଁ। ସେପଟେ ବିଜେପି ଯଦି ତାଙ୍କୁ କଟକରୁ ଟିକେଟ ଦିଏ, ତେବେ ଲୋକେ କଣ ତାଙ୍କୁ ଭରସି ପାରିବେ କି ନାହିଁ, ତାହାକୁ ନେଇ ଚର୍ଚ୍ଚା।  ତେବେ ଆଗକୁ ଦେଖିବାକୁ ବାକି ରହିଲା ୨୦୨୪ ନିର୍ବାଚନରେ ଭର୍ତ୍ତୃହରି କେଉଁ ନିଷ୍ପତି ନେଉଛନ୍ତି ।

Share this story