ବଲାଙ୍ଗୀର ରାଜପରିବାରର ଶେଷ ହୋଇଯାଇଥିବା ଜମାନା ପୁଣି ଫେରିବ କି ?

kalikesha balangir

୨୦୨୪ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳର ତୁଙ୍ଗ ନେତାଙ୍କୁ ବିଭିନ୍ନ ପଦ ପଦବୀରେ ଥାଇଥାନ କରୁଛି ବିଜେଡି । ବିଜେଡି ହାଇକମାଣ୍ଡ ଅନେକ ବିଭାଗରେ ପୁରୁଣାଙ୍କୁ ବାଦ ଦେଇ ନୁଆଁ ମୁହଁଙ୍କୁ ନିଯୁକ୍ତି କରିଛନ୍ତି । ତେବେ ଏହି ଥଇଥାନ ପର୍ବ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି ବଲାଙ୍ଗୀର ରାଜପରିବାର । ସମସ୍ତେ ଭାବିଥିଲେ ରାଜ୍ୟ ରାଜନିତୀରେ ବଲାଙ୍ଗିର ରାଜପରିବାର ନିଜର ସକ୍ରିୟତା ହରାଇଛି । କିନ୍ତୁ ହଠାତ୍ କଳିକେଶଙ୍କୁ ହାଉସିଂବୋର୍ଡର ଅଧ୍ୟକ୍ଷ କରି ଦଳର ହାଇକମାଣ୍ଡ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ୨୦୧୯ ରେ ବଲାଙ୍ଗୀର ଲୋକସଭା ଆସନରୁ ହାରିଯାଇଥିଲେ କଳିକେଶ ସିଂଦେଓ । ବଲାଙ୍ଗୀର ବିଧାନସଭା ଆସନ ରୁ ପରାଜିତ ହୋଇଥିଲେ ଅର୍କେଶ ସିଂଦେଓ । ସେପଟେ ରାଜ୍ୟସଭା ଅବଧି ସରିବା ପରେ ଆଉ ରାଜ୍ୟ ରାଜନୀତିରେ ପ୍ରାୟ ସକ୍ରିୟ ନାହାନ୍ତି ଅନଙ୍ଗ ଉଦୟ ସିଂଦେଓ । ଏକଦା ବଲାଙ୍ଗୀର ରାଜଉଆସ ଶୈଳଶ୍ରୀ ପ୍ୟାଲେସରୁ ନିୟନ୍ତ୍ରଣ ହେଉଥିବା ଜିଲ୍ଲା ରାଜନୀତି ଏବେ ଧୀରେ ଧୀରେ ଦୁର୍ବଳ ହୋଇଯାଇଛି । 

ଅନ୍ୟପଟେ ଅନଙ୍ଗ ଉଦୟଙ୍କ ବଡ ପୁଅ କଳିକେଶ ସିଂଦେଓ ଯଦିଓ ଲୋକସଭା ମୁହଁ ଦେଖି ସାରିଛନ୍ତି ହେଲେ ସାନପୁଅ ଅର୍କେଶ ବିଧାନସଭା ମାଟି ମାଡିପାରିନାହାନ୍ତି । ତେଣୁ ସାନପୁଅର ରାଜନୈତିକ କ୍ୟାରିୟରକୁ ଆଗକୁ ବଢାଇବାକୁ ବାପା ଏଉ ସିଂଦେଓ ପଂଚାୟତ ନିର୍ବାଚନ ବେଳେ ମଇଦାନକୁ ଓହ୍ଲାଇଥିଲେ । କିନ୍ତୁ ତାହା ସଫଳ ହୋଇପାରିଲା ନାହିଁ । ବଲାଙ୍ଗୀର ରାଜନୀତିରେ ଆଉ ଦୁଇ ବଡ ଚେହେରା ମୁଣ୍ଡ ଟେକିବା ପରେ ରାଜ ପରିବାରର ଗୋଟି ଚାଳନା କମିଚାଲିଛି । ଟୁକୁନି ସାହୁ କ୍ୟାବିନେଟ ମନ୍ତ୍ରୀ ଭାବେ ଉଭୟ ରାଜ୍ୟ ଓ ଜିଲ୍ଲା ରାଜନୀତିରେ ବେଶ ସକ୍ରିୟ ଅଛନ୍ତି । ସେହିଭଳି ଶ୍ରୀମୟୀ ମିଶ୍ର ମଧ୍ୟ ନିଜ ରାଜନୈତିକ କ୍ୟାରିୟର ବଲାଙ୍ଗୀରରେ ଆଗକୁ ବଢାଇବାକୁ ସୁଯୋଗ ଅପେକ୍ଷାରେ ଅଛନ୍ତି ।

କିନ୍ତୁ ପରେ ବଲାଙ୍ଗୀର ରାଜନୀତିରୁ ଏୟୁ ପରିବାରକୁ ଏକଘରକିଆ କରିଦିଆଯାଇଥିଲା । ରାଜ ଚାଲିଲା ଶ୍ରୀମୟୀ ଓ ଟୁକୁନିଙ୍କର । ସଂଗଠନ ରହିଲା ଟୁକୁନିଙ୍କ ହାତରେ । ଶ୍ରୀମୟୀ ପାୱାରଫୁଲ, ଟୁକୁନି ମନ୍ତ୍ରୀ । ସେପଟେ ଖେଳ କରୁଥିଲେ ସୁଶାନ୍ତ ସିଂ ।ରାଜପରିବାରର ନେତାମାନଙ୍କୁ ଅଖା ଛଅ ପଟରେ ବି ପଚାରିଲେ ନାହିଁ ଦୁଇ ମହିଳା । କିନ୍ତୁ ହଠାତ ଏବେ କଳିକେଶଙ୍କୁ ହାଉସିଂବୋର୍ଡର ଅଧ୍ୟକ୍ଷ କରି ଦିଆଯାଇଛି । ଏହି ଜାଗାରେ ଆଗରୁ ଥିଲେ ପ୍ରିୟଦର୍ଶୀ । ତାଙ୍କ ଶ୍ବଶୁରଙ୍କୁ ଥଇଥାନ କରିବାକୁ ଯାଇ ପ୍ରିୟଦର୍ଶୀଙ୍କୁ ଆଉ କିଛି ସୁଯୋଗ ଦେଲେନି ମୁଖିଆ । କଳିକେଶ ନୂଆ ପଦବୀ ପାଇବା ପରେ ଖୁସିଥିବା ଜଣାପଡୁଛନ୍ତି ।ତେବେ କଳିକେଶଙ୍କ ଉପରେ ହଠାତ ମୁଖିଆ ମେହେରବାନ୍ ହେଲେ କେମିତି ? ଦି'ଟା କଥା ହେଇପାରେ । ପ୍ରଥମଟି ହେଲା ବଲାଙ୍ଗୀର ଜିଲ୍ଲାରେ ଶଙ୍ଖ ସଂଗଠନର ଅବସ୍ଥା ସୁଧାରିବାର ପ୍ରୟାସ । ଶ୍ରୀମୟୀ-ଟୁକୁନି ମହିଳାଙ୍କ ଯୋଡ଼ି ଉପରେ ଦଳ ସେତେଟା ଭରଷା କରିନପାରି। ଅନ୍ୟଟି ହେଲା ରାଜପରିବାର ର କିଛି ପକେଟ ଭୋଟ ଅଛି। ଲୋକେ ଆଜିବି ରାଜାସାହେବ ଯାହା କହିବେ, ସେହି ଅନୁସାରେ କରୁଛନ୍ତି । କଳିକେଶ ବାବୁ ହାଉସିଂ ବୋର୍ଡରେ କିଭଳି ସୁଧାର ଆଣିବେ ତାହା ଦେଖିବାକୁ ବାକି ରହିଲା । ଥଇଥାନ ହେବାପରେ ଏୟୁ ପରିବାରରେ କି ପ୍ରକାର ଖୁସି ଆସୁଛି ଓ ଦଳ କି ପ୍ରକାର ଫାଇଦା ପାଉଛି,  ନିର୍ବାଚନ ବେଳକୁ ଜଣାପଡ଼ିବ ।

Share this story