ରଣେନ୍ଦ୍ର ବୁଝିବେ ଦଳୀୟ ସଂଗଠନ ? ରାଜ୍ୟସଭା ଯିବା ନେଇ ଚର୍ଚ୍ଚା

ଆଦିତ୍ୟ ଧରିବେ ଆଠଗଡ ନିର୍ବାଚନ ମଣ୍ଡଳୀର ମଙ୍ଗ ! ରଣେନ୍ଦ୍ର ବୁଝିବେ ଦଳୀୟ ସଂଗଠନ ନା ଯିବେ ରାଜ୍ୟସଭା ? ପୁଅକୁ ନେଇ ଚିନ୍ତା ! ରାଜ୍ୟ ରାଜନୀତିରେ ଆଠଗଡ ବିଧାନସଭା କ୍ଷେତ୍ରର ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି । ବିଗତ ଦିନରେ ଏହି ନିର୍ବାଚନ ମଣ୍ଡଳୀରୁ ଯାଇ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନେତା । କେବଳ ସେତିକି ନୁହେଁ ବିଧାନସଭାରେ ଓ ମନ୍ତ୍ରୀମଣ୍ଡଳରେ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିଛନ୍ତି । ପଦ୍ମଭୂଷଣ ଡଃ ରାଧାନାଥ ରଥ, ଅଚ୍ୟୁତାନନ୍ଦ ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଭଳି ବହୁ ରାଜନେତା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ବିଧାନସଭାରେ ଗୌରବ ବୃଦ୍ଧି କରିଥିଲେ ।
ହେଲେ ଏବେ ଆଠଗଡ ରାଜନୀତିରେ ବେଶ ସକ୍ରିୟ ହୋଇପଡିଛନ୍ତି ଆଦିତ୍ୟ ପ୍ରତାପ ସ୍ୱାଇଁ । କେତେବେଳେ ଶ୍ରମିକମାନଙ୍କ ସ୍ୱାର୍ଥ ସାଧନ ପାଇଁ ଅଣ୍ଟାଭିଡୁଛନ୍ତି ତ, ପୁଣି କେତେବେଳେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ଜନକଲ୍ୟାଣ କାର୍ଯ୍ୟରେ ଯୋଗଦେଉଛନ୍ତି । ଏପରିକି ଦଳୀୟ ପଦଯାତ୍ରାରେ ମଧ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ବାର୍ତ୍ତା ଦେଉଛନ୍ତି ।ଆଦିତ୍ୟଙ୍କ ନିର୍ବାଚନମଣ୍ଡଳୀକୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ଏକ ପ୍ରକାରର ସୁଚାଇ ଦେଇଛି ଆଗାମୀ ବିଧାନସଭା ନିର୍ବାଚନରେ ସେ ଧରିବେ ଆଠଗଡର ମଙ୍ଗ । ଏଥିରେ ବାପା ରଣେନ୍ଦ୍ର ମଧ୍ୟ ଏକ ପ୍ରକାର ସମ୍ମତି ଓ ସୁଯୋଗ ମଧ୍ୟ ଦେଉଛନ୍ତି । ନିଜେ ରଣେନ୍ଦ୍ର ବରିଷ୍ଠ ଦଳୀୟ ନେତା ପ୍ରଫୁଲ ଚନ୍ଦ୍ର ଘଡେଇଙ୍କ ଭଳି ନିଜର ପୁତ୍ରକୁ ମଧ୍ୟ ଆଠଗଡରେ ଉତ୍ତରାଧିକାରୀ ଭାବରେ ବାଛି ଦେଇଛନ୍ତି । କିଛି ନେତା ସ୍ୱର୍ଗବାସୀ ହୋଇଗଲେଣି, ଆଉ ଯେଉଁମାନେ ଅଛନ୍ତି ଦଳରେ ସେମାନଙ୍କ ସେତେ ପ୍ରଭାବ ନାହିଁ । ହେଲେ ରଣେନ୍ଦ୍ରଙ୍କ ବ୍ୟକ୍ତିତ୍ୱ ସେମାନଙ୍କ ଠାରୁ ସ୍ୱତନ୍ତ୍ର ଓ ନିଆରା ।
ଜଣେ ସଂକଟମୋଚକ ରାଜନେତା ଓ ତାରକା ପ୍ରଚାରକ ଭାବରେ ବିରୋଧୀ ପକ୍ଷକୁ ମାତ୍ ଦେଇ ଦଳ ସପକ୍ଷରେ ଭୋଟ କରାଇବାରେ ମାହିର ଅଟନ୍ତି । ଯାହାକି ଉପନିର୍ବାଚନ ଓ ବିଭିନ୍ନ ନିର୍ବାଚନ ମଣ୍ଡଳୀର ନିର୍ବାଚନରୁ ବେଶ ବାରିହୋଇପଡେ । ଏଥିରୁ ବୁଝାପଡି ଯାଉଛି ରଣେନ୍ଦ୍ର ଆଠଗଡ ନିର୍ବାଚନ ମଣ୍ଡଳୀ ନିଜ ପୁଅ ଆଦିତ୍ୟ ପାଇଁ ଛାଡିଦେବା ପରେ ଦଳର ସାଂଗଠନିକ ଦାୟିତ୍ୱରେ ସକ୍ରିୟ ରହି ଦଳକୁ ମଜବୁତ କରିବେ । ହେଲେ ଦଳୀୟ ସଂଗଠନ ଦାୟିତ୍ୱରେ ଥିବା ନେତୃତ୍ୱ ରଣେନ୍ଦ୍ରକୁ ସଂଗଠନ ଦାୟିତ୍ୱ ଦେବ ନା ଅନୁଭବୀ ନେତା ଭାବରେ ରାଜ୍ୟର ସ୍ୱାର୍ଥ ଓ ପଦ ମର୍ଯ୍ୟାଦା ବୃଦ୍ଧି ପାଇଁ ରାଜ୍ୟ ସଭାକୁ ପଠାଇବ ତାହା ସେମାନଙ୍କ ଉପରେ ନିର୍ଭର କରୁଛି ।