ହାତ ଟେକି ଭାଷଣ ଦେବାରେ ମାହିର ହେଲେଣି ଅଶ୍ୱିନୀ

aswini baishnba

ନେତା ହେବାର କଳା ଜନ୍ମଗତ । ଅନ୍ୟ ବୃତ୍ତିରୁ ଆସି ରାଜନୀତିକୁ ବୃତ୍ତି କରିଥିବା ଲୋକମାନେ ଯେତେବେଳେ ନେତା ସହଜରେ ସାଧାରଣ ଲୋକଙ୍କ ପାଇଁ ହଜମ ହୋଇପାରେ ନାହିଁ । ରାଜଧାନୀରେ ଅଫିସରରୁ ନେତ୍ରୀ ପାଲଟିଥିବା ସାଂସଦ ବିଲରେ ଧାନ ରୋଇବାର ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିବା ଆମେ ଦେଖୁଛୁ; ମାତ୍ର କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜିକାଲି ସଭା ସମିତିରେ ଯେମିତି ଦୁଇ ହାତ ଟେକି ଭାଷଣ ଦେଉଛନ୍ତି; ତାହା ତାଙ୍କ ଦଳର ଦିଲ୍ଲୀ ନେତାଙ୍କ ଭାଷଣକୁ କୁଆଡ଼େ ଟପି ଯାଇଥିବା ରାମମନ୍ଦିର ଆଖଡ଼ାରେ ଭାରି ଚର୍ଚ୍ଚା ।

କିଛି ଦିନ ତଳେ ଭୁବନେଶ୍ବର ରେଳ ଷ୍ଟେସନରେ ମୋଦୀଙ୍କ ଷ୍ଟାଇଲ୍‌ରେ ଭାଷଣ ଦେବାକୁ ପ୍ରୟାସ କରିଥିଲେ; ଶଙ୍ଖ ପତି ନବୀନଙ୍କ ‘ଆପଣମାନେ ଖୁସି ତ’ ସମ୍ଭାଷଣ ଅନୁରୂପ ଦଳୀୟ କର୍ମୀଙ୍କୁ ଖୁସି କି ନାହିଁ ପଚାରିଥିଲେ। ମାତ୍ର କେଇଦିନ ତଳେ ୫-ଜି ଲଞ୍ଚ ପ୍ରସଙ୍ଗରେ ତାଙ୍କ ଦଳର ଶୀର୍ଷନେତାଙ୍କ ନାମ ନେଇ ଯାହା ସବୁ ଗପିଲେ, ସେ ସବୁ ଦେଶବିଦେଶ ଖବର ସମ୍ପର୍କରେ ଅଜ୍ଞ ନିପଟ ମଫସଲ ଗାଁ ଲୋକଙ୍କୁ ନନ୍ଦନକାନନ ଭାଲୁ ଦେଖାଇବା ପରି ବୋଲି କେହି କେହି କହୁଥିବା ଆମ କାନରେ ବାଜିଛି । ପ୍ରତ୍ୟେକ କ୍ଷେତ୍ରରେ ସମସ୍ତେ କାହାରି ନା କାହାକୁ ଅନୁକରଣ କରନ୍ତି ।

ମାତ୍ର ବୈଷ୍ଣବ ମହାଶୟ ଅନୁକରଣ କରୁକରୁ ଯେଉଁ ହନୁକରଣର ଅତ୍ୟାନୁଗତ୍ୟ ପୋଷଣ କରୁଛନ୍ତି ସେ କଥା ତାଙ୍କରି ଦଳର ନେତାମାନେ ବି କୁଆଡ଼େ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

Share this story