ଆମେରିକୀୟ ଖବର କାଗଜରେ ମୋଦି ସରକାର ବିରୋଧୀ ବିଜ୍ଞାପନ, କଣ ଏହା ପଛର କାରଣ ?

nirmala sita raman

ଆମେରିକୀୟ ଖବର କାଗଜରେ ମୋଦି ସରକାର ବିରୋଧୀ ବିଜ୍ଞାପନ । ମହଁଗାମାଡ଼ ଏବଂ ବଜାରର ଅସ୍ଥିରତା, ବେରୋଜଗାରୀ, ଆର୍ଥିକ ମସାମାନ୍ୟତା ସାଧାରଣ ଜନତା ଏବେ କ’ଣ କରିବେ ବୋଲି ରାସ୍ତା ମିଳୁନାହିଁ। ଇତି ମଧ୍ୟରେ ଆମେରିକୀୟ ଖବର କାଗଜରେ ମୋଦି ସରକାର ବିରୋଧରେ ବିଜ୍ଞାପନ ପ୍ରଦର୍ଶିତ କରାଯାଇଛି । ଏହାକୁ ନେଇ ଭାରତରେ ଜୋରଦାର ବିରୋଧ କରାଯାଇଛି । ଟ୍ୱିଟରରେ ମଧ୍ୟ ଘଟଣାକୁ ବିରୋଧ କରାଯାଇ ଟ୍ରେଣ୍ଡିଂ କରାଯାଇଛି । ଏହି ବିଜ୍ଞାପନରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ୧୦ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ବିଦେଶୀ ନିବେଶକଙ୍କ ବିରୋଧୀ ଉଲ୍ଲେଖ କରାଯାଇ ସେମାନଙ୍କୁ ୱାଣ୍ଟେଡ କୁହାଯାଇଛି ।

ଏହି ବିଜ୍ଞାପନକୁ ନେଇ ଭାରତରେ ବଡ଼ ବିବାଦ ଦେଖାଯାଇଛି । ସେମାନଙ୍କୁ 'ଓ୍ବାଣ୍ଟେଡ' ଭାବରେ ମଧ୍ୟ ଫଟୋରେ ଦର୍ଶାଇବା ସହ ଏମାନଙ୍କ ପାଇଁ ଭାରତ ଆଜି ନିବେଶକଙ୍କ ପାଇଁ ଏକ ଅସୁରକ୍ଷିତ ସ୍ଥାନରେ ପରିଣତ ହୋଇଥିବା ମଧ୍ୟ ଉକ୍ତ ବିଜ୍ଞାପନରେ ଉଲ୍ଲେଖ କରାଯାଇଛି । ତେବେ ଏହି ବିଜ୍ଞାପନ ଏକ ଆମେରିକୀୟ ବେସରକାରୀ ସଂଗଠନ ଦ୍ବାରା ଉକ୍ତ ଖବର କାଗଜ ସଂସ୍ଥାକୁ ମିଳିଥିବା ସୂଚନା ମିଳିଛି । ଏପରି ବିଜ୍ଞାପନ ପ୍ରକାଶ ପାଇବା ପରେ ବିବାଦ ବଢିବା ସହ ଭାରତ ପକ୍ଷରୁ ନିନ୍ଦା କରାଯାଇଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶଦାତା କାଞ୍ଚନ ଗୁପ୍ତା ଏହି ବିଜ୍ଞାପନ ଉପରେ ଆପତ୍ତା ଜଣାଇବା ସହ ଦୃଢ ପ୍ରତିକ୍ରିୟା ରଖୁଛନ୍ତି । କାଞ୍ଚନ କହିଛନ୍ତି, "ଆମେରିକୀୟ ଗଣମାଧ୍ୟମକୁ ଅସ୍ତ୍ର ଭାବରେ ବ୍ୟବହାର କରି ଏପରି କରିବା ଲଜ୍ଜାଜନକ । ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ ପରି ଗଣମାଧ୍ୟମରେ ଭାରତ ସରକାର ଏବଂ ଭାରତକୁ ଟାର୍ଗେଟ କରି ଏପରି ବିଜ୍ଞାପନ ପ୍ରକାଶନ କରାଇବା ଏକ ଘୃଣ୍ୟ ବିଷୟ ।

ବିଜ୍ଞାପନ ଏପରି ସମୟରେ ପ୍ରକାଶିତ କରାଯାଇଛି ଯେବେ ନିର୍ମଳା ସୀତାରମଣ ଜି୨୦ର ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣରଙ୍କ ବୈଠକରେ ଭାଗ ନେବା ପାଇଁ ଆମେରିକା ଗସ୍ତରେ ଅଛନ୍ତି । ୧୩ ଅକ୍ଟୋବରରେ ପ୍ରକାଶିତ ଏହି ବିଜ୍ଞାପନରେ ନିର୍ମଳା ସୀତାରଣଙ୍କ ବ୍ୟତୀତ ଏଣ୍ଟ୍ରିକ୍ସ କର୍ପର ଅଧ୍ୟକ୍ଷ ରାକେଶ ଶଶିଭୂଷଣ, ସଲିସିଟର ଜେନେରାଲ ତୁଷାର ମେହତା, ସୁପ୍ରିମକୋର୍ଟର ଜଜ ହେମନ୍ତ ଗୁପ୍ତା, ବି ରାମସୁବ୍ରମଣ୍ୟମ, ସ୍ପେଶାଲ ପିସି (ଦୁର୍ନୀତି ନିବାରଣ) ଆକ୍ଟ ଜଜ ଚନ୍ଦ୍ରଶେଖର, ସିବିଆଇ ଡିଏସପି ଆଶିଷ ପାରିକ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରା ଏବଂ ଅତିରିକ୍ତ ସଲିସିଟର ଜେନେରାଲ ଏନ ଭେଙ୍କଟରମଣଙ୍କ ନାଁ ରହିଛି ।

ଏହି ବିଜ୍ଞାପନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସହାୟକ ନିର୍ଦ୍ଦେଶକ ଆର ରାଜେଶ ଏବଂ ଉପ ନିର୍ଦ୍ଦେଶକ ଏ ସାଦିକ ମହମ୍ମଦଙ୍କ ନାଁ ମଧ୍ୟ ସାମିଲ ଅଛି । ବିଜ୍ଞାପନରେ ଆରୋପ ରହିଛି ଯେ, ଏମାନେ ସରକାରୀ ସଂସ୍ଥାର ଅପବ୍ୟବହାର କରି ଭାରତକୁ ନିବେଶକଙ୍କ ପାଇଁ ଅସୁରକ୍ଷିତ କରିଦେଇଛନ୍ତି । ବିଜ୍ଞାପନର ସବୁଠୁ ତଳେ ଏକ କ୍ୟୁଆର୍ କୋଡ୍ ମଧ୍ୟ ଅଛି, ଯାହାକୁ ସ୍କାନ କଲେ ଆମେରିକୀୟ ଥିଙ୍କ ଟ୍ୟାଙ୍କ ଫ୍ରଣ୍ଟିୟର୍ସ ଅଫ୍ ଫ୍ରିଡମର ୱେବସାଇଟ୍ ଖୋଲୁଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶଦାତା କାଞ୍ଚନ ଗୁପ୍ତା ଦାବି କରିଛନ୍ତି ଏହି ଅଭିଯାନକୁ ମଲ୍ଡିମିଡିଆର ପୂର୍ବତନ ସିଇଓ ରାମଚନ୍ଦ୍ରନ ବିଶ୍ୱନାଥନ ଚଳାଉଛନ୍ତି ।
 

Share this story