ସିଡବ୍ଲୁସି ବଦଳରେ ଷ୍ଟିୟରିଙ୍ଗ କମିଟି ଗଠନ କଲେ ଖଡଗେ 

khadge congres

ଆକ୍ସନ ମୋଡରେ ଖଡଗେ । ରଦ୍ଦ କଲେ ସିଡବ୍ଲୁସି । ୪୭ ଜଣ ନେତାଙ୍କୁ ନିଯୁକ୍ତି ଦେଲେ ଖଡଗେ । କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବାପରେ ଗତକାଲି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ମଲ୍ଲିକାର୍ଜୁନ ଖଡଗେ । ଏହାପରେ ସେ ଆକ୍ସନ ମୁଡ୍ କୁ ଆସିଛନ୍ତି । ଖଡଗେ ବୁଧବାର ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିର ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଆଗାମୀ ଦିନରେ ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ଉପରେ ଆଲୋଚନା ହୋଇଛି । ଏହା ବ୍ୟତୀତ ସେ ଗତକାଲି କଂଗ୍ରେସ କାର୍ଯ୍ୟକାରୀ କମିଟିକୁ ରଦ୍ଦ କରିଛନ୍ତି । ଏହା ବଦଳରେ ସେ ଏକ ଷ୍ଟିୟରିଙ୍ଗ୍ କମିଟି ଗଠନ କରିଛନ୍ତି ।

ଗତକାଲିର ଏହି ବୈଠକରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ । ଗୁଜୁରାଟ ପାଇଁ ଦଳ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରୁଛି । ଦଳର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଖଡଗେଙ୍କ ଅଧ୍ୟକ୍ଷତାରେ ଏହା ପ୍ରଥମ ବୈଠକ ଥିଲା । ଏହି ବୈଠକରେ ସିଇସି ସଦସ୍ୟ ତଥା ମହାସଚିବ ମୁକୁଲ ୱାସନିକ ଏବଂ କେ.ସି ବେଣୁଗୋପାଳଙ୍କ ବ୍ୟତୀତ ଅମ୍ବିକା ସୋନି ଏବଂ ଗିରିଜା ବ୍ୟାସ ମଧ୍ୟ ଉପସ୍ଥିତ ଥିଲେ । ଏହା ସହିତ ଗୁଜରାଟ କଂଗ୍ରେସ ପ୍ରଭାରୀ ଦାୟିତ୍ୱରେ ଥିବା ରଘୁ ଶର୍ମା ଏବଂ ଗୁଜୁରାଟ ପିସିସି ସଭାପତି ଜଗଦୀଶ ଠାକୁର ମଧ୍ୟ ଉପସ୍ଥିତ ଥିଲେ ।

ଗୁଜୁରାଟ ନିର୍ବାଚନ ପାଇଁ ଦଳ କିଛି ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରିବାର ସମ୍ଭାବନା ରହିଛି ଏବଂ ଏହାକୁ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଘୋଷଣା କରାଯିବ ବୋଲି ଆଶା କରାଯାଉଛି । ଗୁଜୁରାଟ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହୋଇନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘର ରାଜ୍ୟ ଗୁଜରାଟରେ ଭାରତୀୟ ଜନତା ପାର୍ଟି (ବିଜେପି) କୁ କ୍ଷମତାରୁ ହଟାଇବାକୁ ଚେଷ୍ଟା କରୁଛି କଂଗ୍ରେସ, ଯେଉଁଠାରେ ବିଜେପି ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କ୍ଷମତାରେ ଅଛି ।

ଏହାସହିତ ଅଧ୍ୟକ୍ଷ ହେବା ପରେ ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସ କାର୍ଯ୍ୟକାରୀ କମିଟିକୁ ରଦ୍ଦ କରି ଦେଇଛନ୍ତି । ସେ ଏହା ବଦଳରେ ଏକ ଷ୍ଟିୟରିଂ କମିଟି ଗଠନ କରିଛନ୍ତି ଯେଉଁଥିରେ ୪୭ ଜଣ ନେତାଙ୍କୁ ସ୍ଥାନ ଦିଆଯାଇଛି । ଏହି କମିଟିରେ ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଖଡଗେଙ୍କ ଦ୍ୱାରା ଗଠିତ ଏହି କମିଟିରେ ପ୍ରିୟଙ୍କା ଗାନ୍ଧୀ, ଏ.କେ ଆଣ୍ଟୋନି, ଅମ୍ବିକା ସୋନି, ଆନନ୍ଦ ଶର୍ମା, କେ.ସି. ବେନୁଗୋପାଲ, ରଣଦୀପ ସୁରଜେୱାଲାଙ୍କ ଭଳି ଦଳର ବରିଷ୍ଠ ନେତାମାନେ ମଧ୍ୟ ଅନ୍ତର୍ଭୁକ୍ତ ରହିଛନ୍ତି ।

Share this story