ଓଡ଼ିଶାରେ ସୁଯୋଗର ଗନ୍ଧ ବାରିଛି : ହେଲେ ସଫଳ ହେବ ତ ?

ବିଜେଡିର ବିକଳ୍ପ ଭାବରେ ନିଜକୁ ମଜବୁତ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ଆପ । ରାଜ୍ୟରେ ବିଜେପି ଓ କଂଗ୍ରେସକୁ ଦେବ ମାତ । ଏମିତି କିଛି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ଆପ । ଓଡ଼ିଶାରେ ୨୨ ବର୍ଷ ଧରି ଶାସନ କରୁଛି ବିଜେଡି । ବିକଳ୍ପ ଭାବରେ କେହି ଛିଡା ହୋଇପାରୁନାହାନ୍ତି । ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସକୁ ନିଜ କବଜ୍ଜାରେ ରଖି ରାଜ କରୁଛି ଦଳ । ଏଭଳି ସମୟରେ ଓଡ଼ିଶାରେ ବିକଳ୍ପ ସରକାର ଗଠନ କରିବାର ଏକ ବଡ ସୁଯୋଗର ଗନ୍ଧ ବାରିଛି ଆମ ଆଦମୀ ପାର୍ଟି ।
ପ୍ରଥମେ ଦିଲ୍ଲୀ ଓ ପରେ ପଞ୍ଜାବ ଦଖଲ କରିବା ପରେ ଗୁଜୁରାଟ ଓ ହିମାଞ୍ଚଳ ପ୍ରଦେଶରେ ଦଳର ସ୍ଥିତି ସୁଦୃଢ ରହିଛି । ଏହାପରେ ହରିୟାଣା ଓ ଓଡିଶା ପରି କିଛି ରାଜ୍ୟ ରହିଛି ଯେଉଁଠି ନିଜର କାୟା ବିସ୍ତାର କରିବାକୁ ରଣନୀତି ପ୍ରସ୍ତୁତ କରୁଛି ଦଳ । ଓଡ଼ିଶାରେ ବିଜେଡି ସରକାର ଲମ୍ବା ଶାସନ ଯୋଗୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ରହିଛି । ବିକଳ୍ପ ସନ୍ଧାନରେ ରହିଛନ୍ତି ଲୋକେ । ହେଲେ ବିକଳ୍ପ ନମିଳିବାରୁ ବିଜେଡ଼ିକୁ ବଛୁଛନ୍ତି । ହେଲେ ଏହି ସୁଯୋଗକୁ ହାତ ଛଡା କରିବାକୁ ଚାଁହୁନି ଆପ । ଏଥିଯୋଗୁ ମିଶନ ଓଡିଶା ଆରମ୍ଭ କରିଛି ଦଳ । ଏହାକୁ ନେଇ ଆମ୍ ଆଦମୀ ପାର୍ଟିର ନେତା ନିଶିକାନ୍ତ ମହାପାତ୍ର କହିଛନ୍ତି, ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତା ଯୋଗଯୋଗରେ ରହିଛନ୍ତି। ସେମାନେ ଆମ ଆଦମୀ ପାର୍ଟିକୁ ଓଡିଶାରେ ଏକ ବିକଳ୍ପ ଭାବରେ ଚିନ୍ତା କରୁଛନ୍ତି । ଓଡିଶାରେ ବିଜେଡି ଓ ବିଜେପି ଗୋଟେ ଦଳ। ଉଭୟ ଦଳ ଓଡିଶାବାସୀଙ୍କ ଆଶା ପୂରଣ କରିବାରେ ବିଫଳ ହୋଇଛନ୍ତି। ଆମ ଅଦାମୀ ପାର୍ଟି ଏହାର ବିକଳ୍ପ ହୋଇ ଓଡିଶାବାସୀଙ୍କ ସ୍ୱପ୍ନ ପୂରଣ କରିପାରିବ।
ଏହାରି ଭିତରେ ରବିବାର ଭୁବନେଶ୍ୱରରେ କର୍ମୀଙ୍କୁ ନେଇ ଏକ ସମ୍ମିଳନୀ କରିବ ବୋଲି ଦଳ କହିଛି । ଏହି କାର୍ଯ୍ୟକ୍ରମକୁ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ବିଧାୟକ ତଥା ଓଡିଶାର ଦାୟିତ୍ୱରେ ଥିବା ବିରେନ୍ଦର ସିଂ କାଦିଆନ ସମ୍ବୋଧିତ କରିବେ। ଏଥିରେ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ରାଜ୍ୟର ବର୍ତ୍ତମାନର ବନ୍ୟା ପରିସ୍ଥିତି ଉପରେ ଆଲୋଚନା ହେବ। ଶୁକ୍ରବାର ଏକ ବିବୃତ୍ତିରେ କୁହାଯାଇଛି ଯେ ବିଜେଡି ଏବଂ ବିଜେପିର ମିଳିତ ରାଜନୀତି ରାଜ୍ୟର ପ୍ରଗତିରେ ବାଧା ସୃଷ୍ଟି କରୁଥିବା ଉପାୟ ବିରୋଧରେ ବିକଳ୍ପ ରାଜନୀତିକୁ ମଜବୁତ କରିବା ପାଇଁ ଆପ୍ ରଣନୀତି ପ୍ରସ୍ତୁତ କରୁଛି। ଦଳ ତରଫରୁ ଜାରି ହୋଇଥିବା ଏକ ପ୍ରେସ ରିଳିଜରେ କୁହାଯାଇଛି ଆଗକୁ ଦଳ ଓଡ଼ିଶାରେ ସରକାର ଗଢିଲେ ମାଗଣା ବିଜୁଳି, ପାଣି, ସାର୍ବଜନୀନ ଶିକ୍ଷା, ସ୍ୱାସ୍ଥ୍ୟ ଓ ଯୁବକଙ୍କ ନିଯୁକ୍ତି ଉପରେ ଅଧିକ ଗୁରୁତ୍ୱ ଦେବ । ଦିଲ୍ଲୀ ଓ ପଞ୍ଜାବ ଭଳି ଏଠାରେ ମଧ୍ୟ ସମାନ ସୁବିଧା ଯୋଗାଇ ଦିଆଯିବ । ବହୁ ତୁଙ୍ଗ ନେତା ବିକଳ୍ପ ଭାବେ ଏହି ଦଳରେ ଯୋଗ ଦେଇପାରନ୍ତି । ତେବେ ଦେଖିବାକୁ ବାକି ରହିଲା, ୨୦୨୪ରେ କେଉଁ ପାଣି କେଉଁ ଆଡକୁ ଯାଉଛି ?