୨୦୨୪ ରେ କଟକ ଲୋକେ ଦେଖିବେ ନୂଆ ନେତା, ପୁରୁଣା ହେବେ ସାଇଡ଼

cuttack

ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ବିଜେଡି ଭିତରେ ମଙ୍ଗୁଆଳଙ୍କୁ ନେଇ ପ୍ରଶ୍ନ ଉଠୁଛି । ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ୨୦୨୪ରେ କିଏ ହେବ ବିଜେଡିର ଚେହେରା? ଚୌଦ୍ବାର-କଟକରୁ କିଏ ପାଇବ ବିଜେଡି ଟିକେଟ୍‌? ସଦର କଟକରେ ବର୍ତ୍ତମାନର ସ୍ଥିତି ବଜାୟ ରହିବ ନା ବଦଳିବ? କଟକ ଲୋକସଭା ଆସନରୁ ଭର୍ତ୍ତୃହରି ମହତାବ ପୁଣି ଲଢିବେ କି? 

କଟକରେ କ୍ରିକେଟ୍ ରାଜନୀତିର ସ୍ବତନ୍ତ୍ର ଗୁରୁତ୍ବ ରହିଛି। ହଠାତ କ୍ରିକେଟ ରାଜନୀତିରେ ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଆବିର୍ଭାବ ଏବଂ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ସଭାପତି ଭାବେ ପଦ ଗ୍ରହଣକୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଭିନ୍ନ ଢଙ୍ଗରେ ତର୍ଜମା କରାଯାଉଛି। ବବିଙ୍କୁ ଏହି ପଦରେ ବସାଇ ଦୀର୍ଘ ଦିନର ଆଶା ପୂରଣ ଲକ୍ଷ୍ୟରେ ବରିଷ୍ଠ ‌ରାଜନେତା ଆଶୀର୍ବାଦ ବେହେରା ଅଛନ୍ତି କି? ଗୋଟିଏ ପଟେ ଓସିଏରେ ବବିଙ୍କ ପ୍ରବେଶକୁ ଏଭଳି ଦୃଷ୍ଟିରେ ବିଚାର କରାଯାଉଥିବା ବେଳେ ବବିଙ୍କ ଭିଣୋଇ, ଫିଲ୍ମ ଅଭିନେତା ଅରିନ୍ଦମ ରଏଙ୍କ ପାଇଁ ଏହା କ୍ଷେତ୍ର ପ୍ରସ୍ତୁତ କରିବ ‌ବୋଲି ମଧ୍ୟ ଅନ୍ୟ ଦୃଷ୍ଟିରୁ ବିଚାର କରାଯାଉଛି।

କିନ୍ତୁ ଏବେ ବି ବାରବାଟୀ-କଟକରେ ବିଜେଡିର ମଙ୍ଗ ଧରିଛନ୍ତି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ। ଦଳରେ ଦେବାଶିଷଙ୍କ ପ୍ରଭାବ, ପତିଆରାକୁ ଅସ୍ବୀକାର କରାଯାଇ ପାରିବନାହିଁ। ଏଭଳି ସ୍ଥିତିରେ ଦେବାଶିଷଙ୍କୁ ଅନ୍ୟ କେଉଁଠି ସୁଯୋଗ ନ ଦେଇ ତାଙ୍କ ହାତରୁ ବାରବାଟୀ-କଟକକୁ ଛଡ଼ାଇ ନେବାକୁ ବି ସହଜରେ ଗ୍ରହଣ କରାଯାଇ ପାରୁନାହିଁ। କିନ୍ତୁ ଜଗତସିଂହପୁର ଜିଲ୍ଲା ପାରାଦୀପ ନିର୍ବାଚନମଣ୍ଡଳୀରେ ବିଧାୟକ ସମ୍ବିତ ରାଉତରାୟଙ୍କୁ ଦଳ ଭିତରୁ ବିରୋଧ‌ ହେବା ଆରମ୍ଭ ହୋଇଛି ଏଭଳି ସ୍ଥିତିରେ ସେଠାରେ ଦେବାଶିଷଙ୍କ ପାଇଁ ସୁଯୋଗ ଥିବା ଆଲୋଚନା ହେଉଛି।

ଦେବାଶିଷଙ୍କ ବଦଳରେ ବାରବାଟୀ-କଟକରେ ବିଜେଡିର ଚେହେରା ହେବା ପାଇଁ ଏହି କାରଣରୁ ଏବେ କସରତ ଆରମ୍ଭ ହୋଇଯାଇଛି। ପୁରୁଣା କଟକୀଆ ହୋଇ ବି ପୂର୍ବତନ ବିଧାୟକ, କଟକ ମହାନଗର ପୂଜା କମିଟିର ସାଧାରଣ ସଂପାଦକ ପ୍ରଭାତ ତ୍ରିପାଠୀ ଏଯାଏ କଟକ ସହରରେ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇ ପାରି ହାନ୍ତି। ତାଙ୍କୁ ବାରମ୍ବାର ବାଙ୍କୀରେ ସନ୍ତୁଷ୍ଟ ହେବାକୁ ପଡ଼ୁଛି। ତାଙ୍କ ପୁଅ ଦେବୀରଂଜନ ତ୍ରିପାଠୀ ଏବେବାଙ୍କୀ‌ ବିଧାୟକ। କିନ୍ତୁ ପ୍ରଭାତ ତ୍ରିପାଠୀ ବାରବାଟୀ-କଟକ ରାଜନୀତିରେ ସୁଯୋଗ ପାଇବାରେ ଯୋଗ୍ୟତା ଦୃଷ୍ଟିରୁ କୌଣସି ସମସ୍ୟା ନାହିଁ। ହକି ବିଶ୍ବକପ୍ ଉଦ୍‌ଘାଟନ ସମାରୋହ ବାରବାଟୀ ଷ୍ଟାଡିୟମରେ ଆୟୋଜନ ପରିପ୍ରେକ୍ଷୀରେ ପ୍ରଭାତ ଅତ୍ୟନ୍ତ ସକ୍ରିୟ ଭୂମିକାରେ ଦେଖା ଦେଇଥିଲେ। ବବି ଦାସଙ୍କ ପକ୍ଷରୁ ପ୍ରଭାତ ଚିଠି କରି ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ପରେ ପ୍ରଭାତଙ୍କ ନେତୃତ୍ବରେ ପୂଜା କମିଟି ଓ ଶାନ୍ତି କମିଟି କର୍ମକର୍ତ୍ତା ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ବି ଜ୍ଞାପନ କରିଥିଲେ। ବାଲିଯାତ୍ରା ପ୍ରସ୍ତୁତିରେ ଅବ୍ୟବସ୍ଥାକୁ ନେଇ ପ୍ରଭାତ ପ୍ରଥମେ ମୁହଁ ଖୋଲିଥିଲେ। ଯାହା ପରବର୍ତ୍ତୀ ସମୟରେ ପ୍ରମାଣିତ ହୋଇଥିଲା। ପ୍ରଭାତ ଏବେ କଟକର ବିଭିନ୍ନ ସଂଗଠନରେ ନିଜକୁ ସକ୍ରିୟ ରଖିଛନ୍ତି।

ପ୍ରଭାତ ତ୍ରିପାଠୀଙ୍କ ଏଭଳି ସକ୍ରିୟ ଭୂମିକା ଚର୍ଚ୍ଚାରେ ଥି‌ବା ବେଳେ ବର୍ତ୍ତମାନର ବାରବାଟୀ-କଟକ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍ କିନ୍ତୁ ସବୁ ଚର୍ଚ୍ଚାର କେନ୍ଦ୍ରରେ ଅଛନ୍ତି। ମୋକିମ ମାନସିକ ସ୍ତରରେ ଏକପ୍ରକାର କଂଗ୍ରେସ ସହ ସଂପର୍କ ତୁଟାଇ ସାରିଛନ୍ତି। ତାଙ୍କ କାର୍ଯ୍ୟକ୍ରମରେ ଆଉ କଂଗ୍ରେସ ଚିହ୍ନ ଦେଖିବାକୁ ମିଳୁନାହିଁ। ସଂଖ୍ୟାଲଘୁ ସଂପ୍ରଦାୟର ପ୍ରଭାବଶାଳୀ ବ୍ୟକ୍ତିବିଶେଷ ଭାବେ ତାଙ୍କର ସ୍ବତନ୍ତ୍ର ଛାପ ରହିଛି। ୨୦୧୯ରେ ବ‌ିଜେଡିକୁ ବାରବାଟୀ-କଟକରେ ହରାଇ ସେ ନିଜର ଦକ୍ଷତା ଦେଖାଇ ସାରିଛନ୍ତି। ମୋକିମ୍‌ଙ୍କ ପ୍ରତି ବିଜେଡି ସରକାରର ଅପେକ୍ଷାକୃତ ନରମ ଆଭିମୁଖ୍ୟ ନିକଟ ଅତୀତରେ ଘଟିଥିବା କେତେକ ଘଟଣାରୁ ପ୍ରମାଣ ହୋଇସାରିଛି। ଏଭଳି ସ୍ଥିତିରେ ମୋକିମ୍‌ଙ୍କୁ ଦଳକୁ ଆଣିବାର ଲାଭକ୍ଷତି ହିସାବ ନିକାଶ ବିଜେଡିର ଉପରମହଲରେ ଯେ ଚାଲିଛି, ତାହା ରାଜନୈତିକ ସମୀକ୍ଷକ ବିଶ୍ବାସ କରୁଛନ୍ତି।

ଏସବୁ ଆଲୋଚନା ଭିତରେ କଟକ ଲୋକସଭା ଆସନରୁ ଲଗାତାର ରେକର୍ଡ ବିଜୟ ହାସଲ କରି ଆସିଥିବା ଭର୍ତ୍ତୃହରି ମହତାବଙ୍କ ଭୂମିକା ବି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଭର୍ତ୍ତୃହରିଙ୍କ ‘ଦେଖା ହେଲେ କହିବି ସେ କଥା… ଉକ୍ତି ଏବେ କଟକ ରାଜନୀତିରେ ଗୁଞ୍ଜରିତ ହେଉଛି। ଭର୍ତ୍ତୃହରି ୨୦୨୪ ନିର୍ବାଚନ ଲଢିବେ ନା ତାଙ୍କ ପୁଅ ଲୋକରଂଜନ ମହତାବଙ୍କ ପାଇଁ ସୁଯୋଗ ସୃଷ୍ଟି କରି ପ୍ରଚ୍ଛଦପଟ୍ଟରେ ରହିବେ, ତାହା ଆଗାମୀ ଦିନରେ ଗୁରୁତ୍ବପୂର୍ଣ୍ଣ ହେବାକୁ ଯାଉଛି। ଭର୍ତ୍ତୃହରି ନିର୍ବାଚନ ନ ଲଢି ବିଜେଡିର ଅନ୍ୟ କାହା ପାଇଁ କଟକ ଲୋକସଭା ଆସନରେ ସୁଯୋଗ ଦେବେ ଆଉ ପୁଅ ପାଇଁ ବାରବାଟୀ-କଟକ ଅଥବା ଅନ୍ୟ କୌଣସି ଆସନ ନେବେ‌, ସେ ଚର୍ଚ୍ଚା ବି ଗୁରୁତ୍ବପୂର୍ଣ୍ଣ ମନେ ହେଉଛି।

ସେପଟେ ଚୌଦ୍ବାର-କଟକରେ ସୌଭିକ ବିଶ୍ବାଳ ପୁଣି ବିଜେଡି ଟିକେଟରେ ନିର୍ବାଚନ ଲଢିବେ ନା ପ୍ରଭାତରଂଜନ ବିଶ୍ବାଳ ପ୍ରତ୍ୟକ୍ଷ ଲଢେଇକୁ ଫେରିବେ, ତାହା ବି ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ସଦର କଟକ ରାଜନୀତିରେ ବିଶେଷ ସନ୍ତୁଷ୍ଟ ହୋଇ ପାରୁ ନଥିବା ଚନ୍ଦ୍ରସାରଥି ବେହେରା ସାଲେପୁରକୁ ପୁଣି ଫେରିବା ଲବିରେ ଅଛନ୍ତି ବୋଲି ବି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କିନ୍ତୁ ଏସବୁ ଭିତରେ ଗୋଟିଏ କଥା ସ୍ପଷ୍ଟ ଯେ କଟକ ସହର ରାଜନୀତିର ସାମଗ୍ରିକ ଚିତ୍ରପଟ୍ଟ ନିର୍ବାଚନର ବହୁ ପୂର୍ବରୁ ସ୍ପଷ୍ଟ ହେବା ଆଶା କ୍ଷୀଣ। କଟକର ନିର୍ବାଚନ ରାଜନୀତିରେ ୨୦୨୪ରେ ‌କିଏ କେଉଁଠୁ ‘ଡାର୍କ ହର୍ଷ ଭାବେ ମଇଦାନକୁ ଓହ୍ଲାଇବେ, ତାହାକୁ ନେଇ କିନ୍ତୁ ଏବେଠାରୁ ଆରମ୍ଭ ହୋଇଥିବା ଚର୍ଚ୍ଚା ଆଉ ଆକଳନ କଟକ ରାଜନୀତିକୁ ସରଗରମ କରିଛି।

Share this story