ରାଜନୀତି ପଶାପାଲିରେ ଚଳିତ ବର୍ଷର କିଛି ରୋଚକ କଥା

ରାଜ୍ୟ ରାଜନୀତିରେ ୨୦୨୨ ଅନେକ ଦୃଷ୍ଟିରୁ ବହନ କରିଛି ଅସୀମ ଗୁରୁତ୍ବ । ରାଜନୀତିର ପଟୁମାଟିରେ ବିଭିନ୍ନ ଦଳ ଆଙ୍କିଛନ୍ତି ଭିନ୍ନଭିନ୍ନ ପଦଚିହ୍ନ। କେଉଁଠି ଉତ୍ସାହ ତ କେଉଁଠି ନିରାଶା, କେଉଁଠି ପୁଣି ବିପର୍ଯ୍ୟୟ। ନିଜନିଜ ରଣନୀତିରେ କେଉଁ ଦଳ କେତେ ସଫଳ ବା ବିଫଳ ହୋଇଛି ତାହା ଭିନ୍ନ କଥା, ମାତ୍ର ୨୦୨୨ ଓଡ଼ିଶା ରାଜନୀତିରେ ସୃଷ୍ଟି କରିଛି । ଉପନିର୍ବାଚନରେ ନିଜ ଆସନ ବଞ୍ଚାଇ ରଖି ନୂଆ ଅଧ୍ୟାୟ। ରାଜନୈତିକ କ୍ଷେତ୍ରରୁ ରାଜଧାନୀ ବାଟ ଦେଇ ବିଧାନସଭା ଗୃହ ପର୍ଯ୍ୟନ୍ତ ସବୁଠି ବିରୋଧୀ ସରକାରଙ୍କୁ କ୍ଷତାକ୍ତ କରିବାକୁ ପ୍ରୟାସ କରିଛନ୍ତି; ଅନ୍ୟପକ୍ଷରେ ଶାସକ ବିଜେଡି ଏହି ବର୍ଷ ବିରୋଧୀଙ୍କୁ ପ୍ରଚଣ୍ଡ ପରାଭବ ଦେଇଛନ୍ତି। ପୌର ଓ ପଞ୍ଚାୟତ ନିର୍ବାଚନରେ ବିଜେଡିର ରେକର୍ଡ଼ ବିଜୟ ବିରୋଧୀ ଶିବିରକୁ ସ୍ତବ୍ଧ କରି ଦେଇଛି । ଧାମନଗର ବିଜେପି କିଛି ମାତ୍ରାରେ ଆଶ୍ବସ୍ତ ହୋଇଥିଲେ ହେଁ ଅନ୍ୟ ସବୁ ନିର୍ବାଚନରେ ଦଳ ସାଧାରଣ ଲୋକଙ୍କ ବିଶ୍ଵାସଭାଜନ ହୋଇପାରି ନାହିଁ। ଅନ୍ୟପକ୍ଷରେ ୨୦୨୨ ରାଜ୍ୟ କଂଗ୍ରେସ ପାଇଁ ସବୁଠାରୁ ହତାଶାର ବର୍ଷ ହୋଇଛି। ଅନ୍ୟପକ୍ଷରେ ରାଜ୍ୟର ବାମଦଳ, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ପରି ଦଳଗୁଡ଼ିକ ଏକପ୍ରକାର ରାଜନୈତିକ ଦୃଶ୍ୟପଟରୁ ଉଭାନ ହୋଇ ଯାଇଛନ୍ତି।
ଗତ ମାସରେ ଘଟିଥିବା ବିଭିନ୍ନ ରାଜନୈତିକ ଘଟଣା ରାଜ୍ୟ ରାଜନୀତିରେ ଦୀର୍ଘକାଳୀନ ଛାପ ଛାଡି ସାରିଛି। ତ୍ରି-ସ୍ତରୀୟ ନିର୍ବାଚନ ଓ ପୌର ନିର୍ବାଚନରେ ବିଜେଡିର ବିଜୟ ଏବଂ ବିରୋଧୀ ଦଳମାନଙ୍କର ମଙ୍ଗୁଆଳ ପରିବର୍ତ୍ତନ ପାଇଁ ୨୦୨୨ ମନେ ରହିବ। ମୋଟାମୋଟି ଭାବେ ଦେଖିବାକୁ ଗଲେ ୨୦୨୨ଟି ଶାସକ ଦଳ ବିଜେଡି ପାଇଁ ଅନ୍ୟତମ ଉତ୍କର୍ଷର ବର୍ଷ ରହିଥିଲା । ତେଣୁ ୨୦୨୩କୁ ଏହି ଘଟଣା ସବୁ ବିଶେଷ ଭାବେ ପ୍ରଭାବିତ କରିବାର ସମ୍ଭାବନା ଯଥେଷ୍ଟ ଅଧିକ ବୋଲି ମନେକରାଯାଉଛି। ୨୦୨୨ ଆରମ୍ଭ ପୂର୍ବରୁ ରାଜ୍ୟରେ ବହୁ ଛୋଟ ମଧ୍ୟମ ଧରଣର ଆନ୍ଦୋଳନ ଦେଖିବାକୁ ମିଳିଥିଲା। ପ୍ରାୟୋଜିତ କାର୍ଯ୍ୟକ୍ରମ ଆଧାରରେ ତ୍ରି- ସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ଶାସକ ବିଜେଡିକୁ ମୁକାବିଲା କରିବାକୁ ବିରୋଧୀ ଦମ୍ଭ ବାନ୍ଧିଥିଲେ। ମାତ୍ର ପରିଣତି
ହୋଇଥିଲା ଓଲଟା । ସମସ୍ତ ୩୦ ଜିଲ୍ଲାର ଜିଲ୍ଲାପରିଷଦ ବିଜେଡି ଦଖଲ କରିଥିଲା। ୨୦୧୭ ନିର୍ବାଚନରେ ବିଜେପି ପାଇଥିବା ସଫଳତା ମାତ୍ର ଅଙ୍କରେ ସୀମିତ ହୋଇଯାଇଥିଲା।
ସେହିପରି କଂଗ୍ରେସ ମଧ୍ୟ ପୂର୍ବ ଆସନ ବଜାୟ ରଖୁପାରି ନ ଥିଲା। ନ୍ୟାୟିକ ଭାବେ ପଛୁଆବର୍ଗଙ୍କୁ ସଂରକ୍ଷଣ ମିଳି ନ ଥିବାରୁ ବିଜେଡି ଦଳୀୟ ଭିତ୍ତିରେ ସଂରକ୍ଷଣ ଦେଇଥିଲା। ପଞ୍ଚାୟତ ପରେ ପୌର ନିର୍ବାଚନରେ ମଧ୍ୟ ବିଜେଡି ଅହେତୁକ ସଫଳତା ପାଇଥିଲା। ଭୁବନେଶ୍ବର, କଟକ ଏବଂ ବ୍ରହ୍ମପୁରରେ ବିଜେଡି ସଂଖ୍ୟାଗରିଷ୍ଠତା ସହ ମେୟର ପଦ ହାସଲ କରିଥିଲା । ୯୦ରୁ ଉର୍ଦ୍ଧ୍ବ ପୌରାଞ୍ଚଳରେ ଶାସକ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା । ପଞ୍ଚାୟତ ନିର୍ବାଚନରେ ବିଜେପିର ପ୍ରଚଣ୍ଡ ପରାଭବ ପରେ ସାଙ୍ଗଠନିକ ପରିବର୍ତ୍ତନ ଦାବି ଉଠିଥିଲା ଓ ରାଜ୍ୟ ପ୍ରଭାରୀ ପୁରଦେଶରୀଙ୍କ ସମେତ ବରିଷ୍ଠ ରଣନୀତିକାର ସୁନୀଲ ବଂଶଲଙ୍କୁ ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ସହ ଓଡ଼ିଶା ପ୍ରଭାରୀ ଭାବରେ ବିଜେପି କେନ୍ଦ୍ରୀୟ ନେତୃତ୍ବ ନିଯୁକ୍ତି ଦେଇଥିଲା। ଦୀର୍ଘଦିନ ଧରି ଅସୁସ୍ଥ ଥିବା ପ୍ରଦୀପ୍ତ ନାଏକଙ୍କୁ ଅପସାରିତ କରାଯାଇ ଜୟନାରାୟଣ ମିଶ୍ରଙ୍କୁ ବିରୋଧୀଦଳ ନେତା ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା।
ଅନ୍ୟପକ୍ଷରେ କଂଗ୍ରେସର ଜୟପୁର ଚିନ୍ତନ ଶିବିର ପରେ ପିସିସି ମୁଖ୍ୟ ଦାୟିତ୍ବରୁ ନିରଞ୍ଜନ ପଟ୍ଟନାୟକଙ୍କୁ ଅବ୍ୟାହତି ଦିଆଯାଇ ତାଙ୍କ ସ୍ଥାନରେ ପୂର୍ବତନ ସାଂସଦ ଶରତ ପଟ୍ଟନାୟକଙ୍କୁ ଅବସ୍ଥାପିତ କରାଯାଇଥିଲା। ରାଷ୍ଟ୍ରପତି ନିର୍ବାଚନକୁ ନେଇ କଂଗ୍ରେସରେ ସୃଷ୍ଟି ହୋଇଥିଲା ମତଭେଦ। ବିଧାୟକ ମହମ୍ମଦ ମୋକ୍ସିମ ଦଳୀୟ ହୃପ୍ ଉଲଂଘନ କରି ମତ ଦେଇଥିଲେ। ସେହିପରି ୨୦୨୨ରେ ୩ଟି ଉପନିର୍ବାଚନ ରାଜ୍ୟ ରାଜନୀତିକୁ ସରଗରମ କରିଥିଲା। ବିଜେଡି ନିଜ ଦଖଲରେ ଥିବା ବ୍ରଜରାଜନଗର ଓ ପଦ୍ମପୁର ଆସନ ବଜାୟ ରଖୁଥିଲା। ବିଜେପି ନିଜର ଧାମନଗର ଆସନ ବଜାୟ ରଖୁପାରିଥିଲା। କଂଗ୍ରେସ କେବଳ ବ୍ରଜରାଜନଗରରେ ବିଜେପିକୁ ଟପି ଦ୍ୱିତୀୟ ସ୍ଥାନ ଦଖଲ କରିଥିଲେ ହେଁ ଅନ୍ୟ ଦୁଇଟି ଉପନିର୍ବାଚନରେ ପ୍ରଚଣ୍ଡ ପରାଭବ ଭୋଗିଥିଲା। ଏହି କ୍ରମରେ ଆଗାମୀ ୨୦୨୩ରେ ରାଜ୍ୟ ରାଜନୀତି କେଉଁ ଦିଗକୁ ଗତିକରିବ ତାହାକୁ ନେଇ ଏବେ ବି ଆଶା ଆଶଙ୍କା ଲାଗି ରହିଛି।
୨୦୨୩ ଅନ୍ତିମ କାଳରେ ସାଧାରଣ ନିର୍ବାଚନ ହେବା ସମ୍ଭାବନା ଥିବା ଚର୍ଚ୍ଚା ହେଉଥିବାରୁ ଆଗାମୀ ବର୍ଷ ରାଜ୍ୟ ରାଜନୀତି ସରଗରମ ରହିବାର ଆଶା କରାଯାଉଛି । ବର୍ଷ ଶେଷ ଆଡକୁ ପୁରୀରେ ଦଳର ୨୫ ତମ ପ୍ରତିଷ୍ଠା ଦିବସରୁ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଅପରପକ୍ଷରେ କଂଗ୍ରେସର ନୂଆ ପିସିସି ସଭାପତି ନିଜର ଟିମ୍ ଗଠନ କରିପାରିନାହାନ୍ତି। କେତେକ ବିଧାୟକ ଏବେ ବି ଅସନ୍ତୁଷ୍ଟ। ଭାରତ ଯୋଡେ ଯାତ୍ରାର ଓଡ଼ିଶା ସଂସ୍କରଣ ଆଶାନୁରୂପ ସଫଳ ହୋଇପାରି ନ ଥିବାରୁ ଆଗାମୀ ବର୍ଷଟି କଂଗ୍ରେସ ପାଇଁ ଅତ୍ୟନ୍ତ ସଂଘର୍ଷମୟ ହୋଇପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଦଳୀୟ ଗୋଷ୍ଠୀବିବାଦ ମଧ୍ୟରେ ସ୍ଥିତି ସମ୍ଭାଳିବାକୁ ସଂଘର୍ଷ କରୁଥିବା ବିଜେପି ଆଗାମୀ କେନ୍ଦ୍ର ମନ୍ତ୍ରିମଣ୍ଡଳ ପରିବର୍ତ୍ତନକୁ ଅପେକ୍ଷା କରିଥିବା ସୂଚନା ମିଳିଛି।