ପଖାଳ ଦିବସ

ପଖାଳ ଦିବସ

କେନ୍ଦୁଝର ସହର ଠାରୁ କିଛି ଦୂରରେ ଛୋଟିଆ ଗାଁ ଟିଏ । ଗାଁର ନା ପଦ୍ମପୁର । ଗୋଟିଏ ପଟେ ପାହାଡ ଆଉ ଗୋଟିଏ ପଟେ ବହି ଯାଇଛି ବୈତରଣୀ । ଚାଷ ବାସ କରି ଚଳିଯାନ୍ତି ପଦ୍ମପୁରବାସୀ । ହାତ ଗଣତି ଲୋକ ସରକାରୀ ଚାକିରିଆ । ଆଉ ଯିଏ ଗାଁ ଛାଡି ବାହାରେ ରୋଜଗାର କଲା ସେ ତ ବଡ ବାବୁ ହୋଇଗଲା । ଗାଁ କଥା କହିଲେ ତାଙ୍କୁ ଗନ୍ଧାଏ । ୩-୪ ବର୍ଷରେ ଥରେ ଆସନ୍ତି ସତ କିନ୍ତୁ ପୁରା ଲାଟ୍ ସାହେବ । ସୁଟ ବୁଟରେ ପୁରା ଇଂଲିଶ ବାବୁ । ଇଂଲିଶ ଆସୁ ବା ନ ଆସୁ କିନ୍ତୁ ଖଣ୍ଡି ଇଂଲିଶ ନିଶ୍ଚୟ କହିବେ । ଆଉ ଫୋନ କଲ୍ ଆସିଗଲେ ବାସ୍ ଚାଲିଲା ହିନ୍ଦୀ-ଇଂଲିଶ । ଏଇ ହରିଆ ମଉସାଙ୍କ ପୁଅ କାଳୁର ଠାଣି ବି ଠିକ ସେମିତି । କଥା କଥାରେ ପବନ । ଏବେ କାଳୁ କହିଲେ ସେ ରାଗୁଛି । କହୁଛି , ଆଇ ଏମ୍ କେଲାଶ ।
ସେହି ଗାଁର ବିଜୁକୁ ଏସବୁ ଭାରି ମଜା ଲାଗୁଥିଲା । ମନ ଧ୍ୟାନ ଦେଇ ସବୁ ଶୁଣୁଥାଏ । ଆଉ ଶୁଣୁ ଶୁଣୁ ଧିରେ କି ପଚାରିଦେଲା ,
ବିଜୁ-ବିଦେଶୀ ସାଙ୍ଗ ଫୋନ କରିଥିଲେ କି ?
କାଳୁ -ହଁ ହଁ , ଲଣ୍ଡନରୁ …
ବିଜୁ-ତମେ ତ ସୁରଟରେ ରହୁଛ । ଲଣ୍ଡନ ଲୋକ କେମିତି ସାଙ୍ଗ ହେଲେ ଯେ ।
ଏତିକିରେ କାଳୁ ପାଟି ବନ୍ଦ । ଉଁ ଆଁ ହୋଇ କଥା ବୁଲେଇ ଦେଲା ।
କାଳୁ – ଆରେ ପଖାଳ ଦିବସରେ କଣ କରୁଛୁ ?
ବିଜୁ -ସେ ପୁଣି କଣ ? ମୋର ତ ନିତି ପଖାଳ ଦିବସ ।
କାଳୁ-ଆରେ ମୁର୍ଖ । ଟ୍ରେଣ୍ଡ ସହିତ ଚାଲିବା ଶିଖି ।
ବିଜୁ-ସେ ପୁଣି କଣ ?
କାଳୁ-ଓ ହୋ । ତୁ ଗାଉଁଲି ଲୋକ , ଏମିତି ମଫସଲିଆ ହୋଇ ରହିଥା । ଆରେ ଯୁଗ ସହ ଖାପ ଖୁଆଇବାକୁ ପଡିବ । ଟ୍ରେଣ୍ଡ ସହ ଚାଲିବାକୁ ପଡିବ ।
ବିଜୁ-ସେ ସବୁ ଠିକ୍ ଯେ , ୟେ ପଖାଳ ଦିବସ କଣ ଯେ ?
କାଳୁ-ଆରେ, ୟେ ବିଶ୍ବ ପଖାଳ ଦିବସ । ପଖାଳ ସାଙ୍ଗକୁ ନଅ ତିଅଣ ହୋଇଥିବ । ପଖାଳରେ ବସା ଦହି ପଡିଥିବ । ମାଛ ଭଜା ହୋଇଥିବ ।
ବିଜୁ-ଏତେ ସବୁ । ମୋ ବୋଉଲୋ । ଆମର ତ ବାସି ପଖାଳ ସାଙ୍ଗକୁ ସୁଜନା ଶାଗ , ଆଳୁ ପୋଡା ଓ ବଡି ଭାଜିଦେଲେ ହେଲା । ଏତେ ପାଲା କିଏ କରୁଛି ।
କାଳୁ-ମୁଁ କହିଥିଲି ପରା , ତୁମେ ସବୁ ମଫସଲିଆ । ଆଗକୁ ବଢିପାରିବନି । ଆରେ ଏହି ଦିନରେ ରେଷ୍ଟୁରାଣ୍ଟ ଯାଇ ପଖାଳ ଖାଇ ଫେସବୁକ ଓ ଓ୍ବାଟ୍ସଆପରେ ଷ୍ଟାଟସ ରଖିଲେ ସିନା ଲୋକ ତୋ ଷ୍ଟାଟସ ଜାଣିବେ । ଆଉ ସମସ୍ତେ କହିବେ , ବିଜୁ ଟ୍ରେଣ୍ଡ ସହ ଚାଲୁଛି ।
ବିଜୁ-ଠିକ୍ କହୁଛ ଯେ , ଏତେ ସପନକୁ ରାତି କାହିଁ । ଭାଇ ମୁଁ ଚାଲିଲି ବୋଉ ସିଆଡେ ଖୋଜୁଥିବ ।
ସାଇକେଲ ଧରି ଘରମୁହାଁ ହେଲା ବିଜୁ ।
ବିଜୁ ବୋଉ-ଆରେ କୁଆଡେ ଯାଇଥିଲୁ ବା । ମୁଁ କେତେ ଆଡେ ତତେ ଖୋଜିଲିଣି । ଭୋକରେ ତୋ ପେଟ ପସିଗଲାଣି । ହାତ ମୁହଁ ଧୋଇ ପକା ମୁଁ ପଖାଳ ବାଢି ଦେଉଛି ।
ଘର ଅଗଣାରେ ଚକା ପାରି ବସିପଡିଲା ବିଜୁ
ବିଜୁ-ବୋଉ , ଖାଇବାକୁ ଆଣେ ଭୋକ ଲାଗିଲାଣି ।
ବାସ କେଇ ସମୟରେ ବୋଉ ପଖାଳ କଂସା ଧରି ହାଜର ।
ବୋଉ-ଆଜି ତୋ ପାଇଁ ସୁଜନା ଶାଗ କରିଛି । ସେଥିରେ ମୁଗ ଜାଇ ବି ପକେଇଛି ।
ବିଜୁ-ବୋଉ , ପଖାଳ ଦିବସ ପାଇଁ ଟଙ୍କା ଦେବୁ ।
ବୋଉ-ଏଇଟା କି ଦିବସ ବା ?
ବିଜୁ-ଓ ହୋଃ ତୁ ବୁଝିପାରିବୁନି । ୟେ ଟ୍ରେଣ୍ଡ । ମତେ ୨୦୦ ଟଙ୍କା ଦେବୁ । ମୁଁ ରେଷ୍ଟୁରାଣ୍ଟ ଯିବି।
ବୋଉ-ଆରେ ଏତେ ଟଙ୍କା କୋଉଠୁ ଆଣିବି ଯେ । ଚାଷ ବାସ କରି ଯାହା ପଇସା ହେଉଛି , ସେଥିରେ ତ ଆମେ ଚଳୁଛୁ ।
ବିଜୁ-ଏତେ କଥା ମୁଁ ଜାଣିନି , ତୁ ବାପାଙ୍କ ଠାରୁ ଆଣିକି ଦେବୁ ।
ଏତିକି କହି ବିଜୁ ହାତ ମୁହଁ ଧୋଇ ଖେଳ ପଡିଆ ଆଡେ ଚାଲିଗଲା ।
ବୋଉ ଚିନ୍ତାରେ ପଡିଗଲା । ଏବେ କରିବ ତ କଣ କରିବ ? ବିଜୁକୁ କେମିତି ବୁଝେଇବ ?
ଏମିତି ଭାବୁ ଭାବୁ ରାତି ହୋଇ ସାରିଥାଏ । ଚୂଲି ପାଖରେ ରୋଷେଇ କରୁଥାଏ ବୋଉ । ଆଉ ପିଣ୍ଢାରେ ପଡିଥିବା ଖଟରେ ଗଡିଥାନ୍ତି ବିଜୁଙ୍କ ବାପା ।
ବିଜୁ-ବୋଉ , ବାପାଙ୍କ ଠାରୁ ଟଙ୍କା ଆଣିଲୁ କି ?
ବୋଉ- ଘର ଅବସ୍ଥା ତ ତୁ ଜାଣିଛୁ । ସେ ଟଙ୍କା କୋଉଠି ଆଣିବେ ଯେ । ତୁ ବ୍ୟସ୍ତ ହୋ ନି । ତୁ ଯେଉଁଦିନ କହିବୁ ସେଦିନ ଭଲ ଭଜା ଓ ତରକାରୀ କରିଦେବି । ତୁ ରାଗନି ।
ହଠାତ ଗିଲାସ ପଡିଯିବାର ଶବ୍ଦ ଶୁଭିଲା । ବିଜୁ ଓ ବୋଉର ଏସବୁ କଥା ବାପା ଶୁଣିଦେଲେ ବୋଲି ବିଜୁ ଜାଣି ସାରିଥିଲା ।
ଅଳ୍ପ ସମୟ ପରେ ଖାଇବା ସାରି କବାଟ ଝର୍କା ବନ୍ଦ କରି ସମସ୍ତେ ଶୋଇପଡିଲେ ।
ରାତି ପାହିଲା ବେଳକୁ ପଖାଳ ଟିଫିନ ଧରି ଚାଷ ଜମିକୁ ବାହାରି ପଡିଲେ ବିଜୁଙ୍କ ବାପା । କିନ୍ତୁ ଯିବାବେଳେ କାନ୍ଥର ଠଣାରେ ଥିବା ଗୋଟିଏ ବୋତଲକୁ ସାଥିରେ ନେଲେ । କବାଟ ପଛରେ ଥାଇ ଏସବୁ ଦେଖୁଥାଏ ବିଜୁ । ଆଉ ମନରେ ପାପ ଛୁଉଁ ଥାଏ ।
ଆଗେ ଆଗେ ବାପା ଓ ପଛେ ପଛେ ବିଜୁ । କିଛି ବାଟ ଯାଇ ହୁଡାରେ ବସିପଡିଲେ । ଚିନ୍ତାରେ ବୁଡିଥିବା ପରି ଲାଗୁଥାନ୍ତି । ମୁଣ୍ଡରେ ହାତ ଦେଇ ମୁହଁ ପୋତି ବସିଥାନ୍ତି । ଏଥର ଭଲ ଚାଷ ହୋଇନି । ପରିବା ରେ ବି ପୋକ ଲାଗିଲାଣି । ସେସବୁ ଚିନ୍ତା ଘାରୁଥାଏ । ତା ସାଙ୍ଗକୁ ଗତ ରାତିର କଥା ବି ଚିନ୍ତା ବଢାଇଦେଇଛି । ପୁଅକୁ ୨୦୦ ଟଙ୍କା ଦେଇପାରୁନଥିବାର ଅବଶୋଷ ହେଉଥିଲା । କେଇ ସମୟ ଭିତରେ ବିଚଳିତ ହୋଇପଡିଲେ । ଘରୁ ଆଣିଥିବା କାଚ ବୋତଲକୁ ଗାମୁଛାରେ ଗୁଡାଇ ରଖିଥିଲେ । ସେଇଟା ହାତରେ ଧରି କିଛି ଭାବୁଥାନ୍ତି । ବୋଧ ହୁଏ ସେଇଟା ବିଷ ଥିଲା । ବୋତଲ ଠିପି ଖୋଲି ପିଇବାକୁ ଉଦ୍ୟମ କଲାବେଳେ ଅଟକାଇଦେଲା ବିଜୁ । ଆଉ ଭୋ ଭୋ ହୋଇ କାନ୍ଦିଲା ।
ବିଜୁ-ବାପା, ମତେ କ୍ଷମା କରିଦିଅ । ମୋର ଭୂଲ ହୋଇଯାଇଛି । ମୁଁ ବାଟବଣା ହୋଇଯାଇଥିଲି । ବୋଉ ହାତ ରନ୍ଧା ପଖାଳ ତ ଆଜି ଯାଏ ଖାଉଛି । ସେ ମଜା ଆଉ କେଉଁଠି ମିଳିବନି । ରେଷ୍ଟୁରାଣ୍ଟରେ କଣ ଅଛି ଯେ , ତମେ ଦିଜଣ ଭଲରେ ଥିଲେ ଆଉ କିଛି ଲୋଡା ନାହିଁ । ମତେ କ୍ଷମା କରିଦିଅ । ଏଥର ପଖାଳ ଦିବସ ମିଶିକି ପାଳନ କରିବା । ତମେ ବିଲରୁ ଫେରିଲେ ମିଶିକି ଖାଇବା । ଆଉ ତମେ ଫେରିଲା ବେଳକୁ ଆମ ବିଲରୁ ବୋଇତାଳୁ ଫୁଲ ନେଇ ଆସିବ । ବରା କରି ଖାଇବା । ଆଉ ମୁଁ ଫେସବୁକରେ ଲେଖିବି “ପରିବାର ସହ ପଖାଳ ଦିବସ”।

ଆପଣଙ୍କ କାହାଣୀବାଲା
ଅନୁଜ ଦାସ
ବରିପାଳ
କେନ୍ଦୁଝର
୮୨୪୯୨୩୦୬୭୧

Share this story