ବିରୋଧ କରୁଛି ଛାତ୍ର କଂଗ୍ରେସ, ମୁଣ୍ଡିଆଳ ନେତା ଗଲେ କୁଆଡେ ?

ଉତ୍ତରପ୍ରଦେଶର ଲଖିମପୁର ଖେରୀରେ ଯେଭଳି ଭାବେ ଚାଷୀଙ୍କ ଉପରେ ଗାଡି ଚଢାଇ ମାରି ଦିଆଗଲା, ତାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଆଜି ଯାଏଁ ଲାଗିରହିଛି । କଂଗ୍ରେସ ମଧ୍ୟ ଘଟଣାକୁ ବେଶ ଗୁରୁତର ସହ ଗ୍ରହଣ କରିଛି । ନିଜେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ମୃତକଙ୍କ ପରିବାର କୁ ଭେଟିବା ସହ କେନ୍ଦ୍ର ସରକାର ଓ ରାଜ୍ୟରେ ଥିବା ଯୋଗୀ ସରକାର ଉପରେ ବର୍ଷିଛନ୍ତି। ଏଆଇସିସି ଏହି ଘଟଣାରେ ଆକ୍ରମଣାତ୍ମକ ଭୂମିକା ଗ୍ରହଣ କରୁଥିବା ବେଳେ ପିସିସି ର ଭୂମିକା ରାଜ୍ୟ ନେତୃତ୍ୱଙ୍କୁ ସନ୍ଦେହ ଘେରକୁ ଟାଣିଛି ।
ଆଜି ମୁଣ୍ଡୁଳିରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ଅଣ୍ଡା ମାଡ଼ କରିବା ସହ ଗାଡି ଉପରେ କାଳି ଫିଙ୍ଗିଛି ଛାତ୍ର କଂଗ୍ରେସ। ସେହିପରି ଏୟାରପୋର୍ଟ ନିକଟରେ କଳାପତାକା ପ୍ରଦର୍ଶନ କରି ରାଜ୍ୟ ଛାତ୍ର କଂଗ୍ରେସ ବିରୋଧ କରିଛି। ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ , ଛାତ୍ର ନେତା ନିହାର ରଞ୍ଜନ ବେହେରା ଓ ଯୁବନେତା ରଜତ ଚୌଧୁରୀଙ୍କ ନେତୃତ୍ୱରେ ଶତାଧିକ ଯୁବକ ମନ୍ତ୍ରୀଙ୍କୁ ନୟାନ୍ତ କରିଦେଇଛନ୍ତି । ଆଜିର ପ୍ରଦର୍ଶନ ପୁଣି ଥରେ ଲୁଲୁ ମହାପାତ୍ର ଙ୍କ ଛାତ୍ର ଶକ୍ତି କଥା ମନେ ପକାଇ ଦେଇଛି । ରମେଶ ଜେନା ଜିନ୍ଦାବାଦ, ରାହୁଲ ଗାନ୍ଧୀ ଜିନ୍ଦାବାଦ ପକାଉଥିବା କିଛି ଯୁବକଙ୍କୁ ପୋଲିସ ଗିରଫ କରିଛି ସିନା ହେଲେ ଛାତ୍ର କଂଗ୍ରେସର ବଳ ଆଗରେ ହାର ମାନିଛି ।
ଅନ୍ୟପଟେ ଏହି ଘଟଣାରେ ଦଳର ବରିଷ୍ଠ ନେତା ମାନେ ଚୁପ ହୋଇ ବସିବା ପିସିସିର ଭୂମିକା ପ୍ରତି ସନ୍ଦେହ ସୃଷ୍ଟି କରିଛି । ମମିତା ଘଟଣାରେ ପ୍ରେସକୁ ବାରମ୍ବାର ସମ୍ବୋଧିତ କରୁଥିବା ସଭାପତି ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ଗଣେଶ୍ୱର ବେହେରା, ମାନସ ଚୌଧୁରୀ, ଆର୍ଯ୍ୟ ଜ୍ଞାନେନ୍ଦ୍ର ଙ୍କ ଭଳି ତଥାକଥିତ ନେତା କେନ୍ଦ୍ର ମନ୍ତ୍ରୀଙ୍କୁ ବିରୋଧ ବେଳେ କାହିଁକି ଲାଙ୍ଗୁଡ ଜାକିଛନ୍ତି ? ବୟସ ଦୃଷ୍ଟିରୁ ରାସ୍ତାକୁ ଓହ୍ଲାଇ ନପାରିଲେ ମଧ୍ୟ ଗିରଫ ଛାତ୍ରଙ୍କୁ ଥାନାରୁ ମୁକୁଳାଇବା ପାଇଁ ଥରୁଟିଏ ଥାନାକୁ ଯାଇଛନ୍ତି କି ? ନିଜର କାର୍ଯ୍ୟ ବ୍ୟସ୍ତତା ଯୋଗୁ ସୋସିଆଲ ମିଡିଆରେ ଛାତ୍ର କଂଗ୍ରେସ କୁ ସମର୍ଥନ ଜଣାଇଛନ୍ତି କି ? ଆଉ ଏହାର ଉତ୍ତର ହେଉଛି ନାଁ । କାରଣ କେନ୍ଦ୍ରରେ କଂଗ୍ରେସ ବିଜେପିର ବିରୋଧୀ ହୋଇଥିବା ବେଳେ ରାଜ୍ୟରେ ବନ୍ଧୁ ସାଜିଛି । ପିସିସି ସଭାପତିଙ୍କ ସହ ବିଜେପି ନେତୃତ୍ୱଙ୍କର ଭିତିରି ବୁଝାମଣା ହୋଇଥିବା ଜଳ ଜଳ ଦିଶୁଛି ।
ରମେଶ ଜେନା ଓ ତାରା ପ୍ରସାଦ ବାହିନୀପତିଙ୍କ ବ୍ୟତୀତ ସମସ୍ତ ନେତାଙ୍କ ନିସ୍ତେଜ ଅବସ୍ଥା ଦେଖିଲେ ଯାହା ଲାଗୁଛି, ସଭିଏଁ ବୋଧ ହୁଏ ନିଜ ବ୍ୟବସାୟିକ ଫାଇଦା ପାଇଁ ବିଜେପି ନିକଟରେ ବିକ୍ରି ହୋଇଯାଇଛନ୍ତି । ଆଉ କିଛି ନିଜ ପଦ ବଞ୍ଚାଇବା ପାଇଁ ନିରଞ୍ଜନ ଙ୍କୁ ସମର୍ଥନ ଦେଉଛନ୍ତି । କଂଗ୍ରେସ ର ଏହି ବୁଡୁଥିବା ଡଙ୍ଗାର ନାଉରି ନିଜେ ଚେଲ୍ଲାକୁମାର ବୋଲି ଚର୍ଚ୍ଚା ହେଉଛି । କେବଳ ଆଜି ନୁହେଁ, ଅଧିକାଂଶ ଘଟଣାରେ ଛାତ୍ର କଂଗ୍ରେସ ବଳିଷ୍ଠ ନେତୃତ୍ୱର ନଜିର ଦେଖାଉଥିବା ବେଳେ ଅନ୍ୟ ନେତୃତ୍ୱଙ୍କ ନିରବତା ଏହା ସ୍ପଷ୍ଟ କରୁଛି ଯେ, ନିଜ ବେପାର ବେଉସା ବଞ୍ଚାଇବା ପାଇଁ କଂଗ୍ରେସ ରାଜ୍ୟରେ ବଞ୍ଚି ରହିଛି ।