ଆଜି ଯାଏଁ କୋଉଠି ଥିଲେ, ହଠାତ କାହିଁକି ଚେଇଁ ଉଠିଲେ ?

ଆଜି ଯାଏଁ ଶୋଇଥିଲେ । ହଠାତ ନିଦ ଭାଙ୍ଗିଲା । ଚମକି ଉଠିଲେ ଅବକାରୀ ସ୍କ୍ବାର୍ଡ ଓ ପୋଲିସ। ଡିସିପି ମଧ୍ୟ ବିଳମ୍ବରେ ହେଲେ ବି ଆଜି ମଦ ବାର ର ମନମାନି କଥା ଜାଣିପାରିଲେ । ନିତିଦିନ ଏଭଳି କାଣ୍ଡ ଘଟୁଥିବା ବେଳେ କେହି କେମିତି ଜାଣିପାରିନଥିଲେ । ରାଜଧାନୀରେ ଥିବା ସମସ୍ତ ବାର ରେ ଯୁବତୀ ନଚାଇବାକୁ ଅବକାରୀ ବିଭାଗ ଅନୁମତି ଦେଇନଥିବା ବେଳେ କିଭଳି ଯୌନ ଉଦ୍ଦୀପକ ନୃତ୍ୟ ହେଉଥିଲା ? ଖାରବେଳନଗର ସ୍ଥିତ ମ୍ୟାଡ଼ମୂଲ ବାରରେ ବାଉଁସର ହାଣିଲେ, ଚନ୍ଦ୍ରଶେଖରପୁର ଉପ୍ରେ ବାର ରେ ବିଏମସି ଜୋନାଲ ଡେପୁଟି କମିଶନରଙ୍କୁ ଲିଫ୍ଟ ରେ ବନ୍ଦ କରିଦେଲେ । କିନ୍ତୁ ତଥାପି ନିଦ ଭାଙ୍ଗି ନଥିଲା । ତମାଣ୍ଡୋ ଅନ୍ତର୍ଗତ ସାଉଥସିଟି ବାର ପାଇଁ ଜଣଙ୍କ ଜୀବନ ଯିବା ପରେ ହଠାତ ନିଦ ଭାଙ୍ଗିଲା । ଆଉ ତା ପୁଣି ଜଣେ ସାମ୍ବାଦିକଙ୍କ ପୁଅ ବୋଲି ।
ସୂଚନାଯୋଗ୍ୟ ଗତକାଲି ରାତିରେ ବେଆଇନ ଭାବେ ଚାଲୁଥିବା ଡ୍ୟାନ୍ସ ବାର ଉପରେ ରେଡ୍ କରିଥିଲା ଅବକାରୀ ବିଭାଗ । ବାରରେ ବେଆଇନ ଭାବେ ଯୁବତୀମାନେ ଡ୍ୟାନ୍ସ କରୁଥିବାବେଳେ ଚଢ଼ାଉ କରିଥିଲା ଫ୍ଲାଇଙ୍ଗ ସ୍କାର୍ଡ । ଯୁବତୀମାନେ ଡ୍ୟାନ୍ସ କରୁଥିବାବେଳେ ସେମାନଙ୍କ ଉପରକୁ ଫିଙ୍ଗା ଯାଉଥିବା ପୁଳା ପୁଳା ନକଲି ନୋଟକୁ ଜବତ କରାଯାଇଛି । ଲିଭ୍ ଇଟ୍ ଅପ୍, ଏକାମ୍ର ଓ ନଶା ବାର୍ରେ ଚଢ଼ଉ ବେଳେ ମ୍ୟୁଜିକ୍ର ତାଳେତାଳେ ଡ୍ୟାନ୍ସ ଚାଲିଥିବା ସାମ୍ନାକୁ ଆସିବାରୁ ଏହି ୩ଟି ବାରକୁ ସିଲ୍ କରି ଦିଆଯାଇଥିଲା । ଏହା ପରେ ଅଶୋକା ଓ ସେଲଫିରେ ମଧ୍ୟ ଚଢ଼ଉ ସମୟରେ କୋଭିଡ୍ ଓ ଅବକାରୀ ଆଇନର ଉଲ୍ଲଂଘନ ହୋଇଥିବା ଜଣାପଡ଼ିଥିଲା । ତେଣୁ ଏ ନେଇ ଦୁଇ ବାର୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ସେହିପରି ୟୁନିଟ୍-୮ ଅଞ୍ଚଳର ଅଜିତ୍ ବାର୍ ଓ ପଟିଆ ଏମ୍ବାସି ବାରରେ ମଧ୍ୟ ଚଢ଼ଉ କରାଯାଇଥିଲା ।
ଏଠାରେ ଆଉ ଏକ ପ୍ରଶ୍ନ ଉଠୁଛି, କେବଳ କଣ ଏହି ବାର ରେ ନିୟମ ଉଲ୍ଲଂଘନ ହେଉଛି ? ଲକ୍ଷ୍ମୀସାଗର ରେ ରେଡ଼ ହେଉଥିଲା ବେଳେ ଅଶୋକା ବାର କୁ କାହିଁକି ଭୁଲିଗଲା ପୋଲିସ । କେବଳ ଟଙ୍କା ଉଡା ନୁହେଁ, ବରଂ ଲଙ୍ଗଳା ନୃତ୍ୟ ସାଙ୍ଗକୁ ଚୋରା ମଦ ବେପାର ପାଇଁ ଏହା ବେଶ ସୁନାମ ଅର୍ଜନ କରିଛି । ତେଣୁ ଭାବପୀରତି ଦେଖେଇ ଉଭୟ ପୋଲିସ ଓ ଅବକାରୀ ବିଭାଗ ଏହା ଭୁଲିବା ମଧ୍ୟ ଅନୁଚିତ ।