ସୁନା ବନ୍ଧକ ରଖି ହୋଟେଲ ର ମୂଳଦୁଆ ଦେଇଥିବା ଜିତେନ୍ଦ୍ର କିଭଲି ତିଆରି କଲେ ନିଜ ସାମ୍ରାଜ୍ୟ ?

Swosti

ଦିଲ୍ଲୀର ବଡ଼ବଡ଼ ହୋଟେଲକୁ ଦେଖି ସେ ଭାବୁଥିଲେ ମୁଁ ବି ମୋ ରାଜ୍ୟରେ ଏମିତି ହୋଟେଲଟିଏ ଗଢିବି।ମାତ୍ର ନିଜର ସ୍ବପ୍ନ ପୂରଣ ଦିଗରେ ଅନ୍ତରାୟ ସାଜିଲେ ବାପା।ବାପା ହୋଟେଲ ଶିଳ୍ପ ପାଇଁ ଅନୁମତି ନ ଦେବାରୁ ତାଙ୍କର ମାଆ ତାଙ୍କୁ ପ୍ରେରଣା ଦେଲେ।ମା'ଙ୍କର ଗହଣାକୁ ବନ୍ଧା ପକାଇ ଏକ ଲକ୍ଷ ଟଙ୍କାରେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ମହାନ୍ତି ।
ପିତା ଚାହୁଁଥିଲେ ପୁଅ ପ୍ରଶାସନିକ ଅଧିକାରୀ ହେଉ। ମାତ୍ର କିଛି ନୂଆ କରିବାର ସଂକଳ୍ପ ତାଙ୍କୁ ଓଡ଼ିଶାକୁ ଟାଣି ଆଣିଲା। ଫଳସ୍ୱରୂପ ତତ୍କାଳୀନ ୮୦ ଦଶକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ହୋଟେଲ ଶିଳ୍ପ ନୀତିକୁ ପ୍ରୋତ୍ସାହନ ଦେବାରେ ଲାଗିଲେ। ଏହି ସମୟରେ ଜିତେନ୍ଦ୍ର କୁମାର ଓ ଅନ୍ୟ କିଛି ଜଣ ମିଶି ଓଡ଼ିଶାରେ ହୋଟେଲ ଶିଳ୍ପର ନିର୍ମାଣ କରିବାକୁ ଲାଗିଲେ।

୧୯୮୦ ମସିହା ପୂର୍ବରୁ ଭୁବନେଶ୍ୱରରେ କେବଳ ରାଜମହଲ ଓ ପୁଷ୍ପକ ଭଳି ୨ଟି ତାରକା ହୋଟେଲ ଥିଲା। ତେବେ ୧୯୮୪ରେ ଦିଲ୍ଲୀ ଓ ବିଦେଶରୁ ପାଠପଢି ଆସିଥିବା ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ଭୁବନେଶ୍ୱରସ୍ଥିତ ମାଷ୍ଟର କ୍ୟାଣ୍ଟିନଠାରେ ସ୍ୱସ୍ତି ହୋଟେଲର ମୂଳଦୁଆ ପକାଇ ଥିଲେ। ଯାହାର ପରବର୍ତ୍ତୀ ସମୟରେ ଅନେକ ଲୋକପ୍ରିୟତା ଓ ଚାହିଦା ବଢି ସ୍ୱସ୍ତି ପାମ୍ ରିସର୍ଟ ଗୋପାଳପୁର, ସ୍ୱସ୍ତି ଚିଲିକା ରିସର୍ଟ ଓ ସ୍ୱସ୍ତି ପ୍ରିମିୟମ୍ ରୂପେ ୩ ଟି ତାରକା ହୋଟେଲର ସ୍ଥାପନା କରିଥିଲେ। ଜିତେନ୍ଦ୍ର କୁମାର ବର୍ତ୍ତମାନ ସ୍ୱସ୍ତି ଗ୍ରୁପର ମୁଖ୍ୟ ଅଛନ୍ତି।ତାଙ୍କର ଏହି ସଂସ୍ଥା ହୋଟେଲ ଶିଳ୍ପ ସହିତ ଶିକ୍ଷା, ସଂସ୍କୃତି,ପରିବହନ ସହିତ ସମ୍ପୃକ୍ତ ଅଟେ।

ସେଥିପାଇଁ ତ ବାଲୁଗାଁସ୍ଥିତ ସ୍ୱସ୍ତି ଚିଲିକା ରିସର୍ଟରେ ସ୍ଥାନୀୟ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି। ଏଥି ସହିତ ପୁରୀକୁ ଆସୁଥିବା ଅଣ
ହିନ୍ଦୁମାନଙ୍କ ପାଇଁ ଏକ ବାଲୁକା ପ୍ରେକ୍ଷାଳୟ କରିବାକୁ ସରକାରଙ୍କୁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ଯାହାଦ୍ୱାରା ସେମାନେ ଜଗନ୍ନାଥ ସଂସ୍କୃତି ବିଷୟରେ ଜାଣି ପାରିବେ। ସ୍ୱସ୍ତିର ଆଉ ଗୋଟେ ଶାଖା ମଧ୍ୟ ପୁରୀରେ ଖୋଲିବାକୁ ଯାଉଛି। ଅପରପକ୍ଷେ କରୋନା ମହାମାରୀ ସମୟରେ ନିଜର କର୍ମଚାରୀମାନଙ୍କୁ ବିପଦରେ ସାହାଯ୍ୟ କରି ସେ ଅନ୍ୟପାଇଁ ଉଦାହରଣ ସାଜିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ପୀଡିତ ଲୋକମାନଙ୍କୁ ସାହାଯ୍ୟର ହାତ ବଢାଇଥାନ୍ତି। ଜିତେନ୍ଦ୍ର ଙ୍କ ଜୀବନ ଅନ୍ୟପାଇଁ ତଥା ଶିଳ୍ପ ଉଦ୍ୟୋଗୀଙ୍କ ପାଇଁ ଯେ ପ୍ରେରଣାଦାୟକ ହେବ ଏଥିରେ କୌଣସି ସନ୍ଦେହ ନାହିଁ ।

Share this story