ଆଜି ବଡ଼ଠାକୁରଙ୍କ ସୁନାବେଶ

ସୁନାବେଶରେ ଆଜି ଦର୍ଶନ ଦେବେ ପ୍ରଭୁ ଜଗନ୍ନାଥ ବଳଭଦ୍ର ଓ ମା ସୁଭଦ୍ରା । ପୌଷପୂର୍ଣ୍ଣିମା ଉପଲକ୍ଷେ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦୋବାଭିଷେକ ନୀତି ଅନୁଷ୍ଠିତ ହେବ । ଏହି ଅବସରରେ ଶ୍ରୀ ବିଗ୍ରହଙ୍କୁ ସୁନାବେଶରେ ବିଭୂଷିତ କରାଯିବ । ରତ୍ନସିଂହାସନରେ ଠାକୁରଙ୍କ ଅଭିଷେକ ନୀତି ସମ୍ପନ୍ନ ହେବ । କଥାଅଛି ଏହି ଦିନ ରାମଚନ୍ଦ୍ର ବନବାସରୁ ଫେରି ରାଜା ହୋଇଥିଲେ । ଏଣୁ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପୁଷ୍ୟାଭିଷେକ ନୀତି ପାଳନ ହେବ ।
ଗତକାଲି ଚନ୍ଦନଲାଗି ନୀତି ସରିଲାପରେ ଭୋଗମଣ୍ଡପ ଘରେ ୮୭ଗରା ଜଳ ଓ ୨୧ଗରା ଘୃତ ଅଧିବାସ ହୋଇଛି । ସୋମବାର ସକାଳ ଧୂପ ସରିଲାପରେ ସ୍ୱତନ୍ତ୍ର ନୀତି ଆରମ୍ଭ ହେବ । ରତ୍ନସିଂହାସନ ନିମ୍ନରେ ଥିବା ଦର୍ପଣରେ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଅଭିଷେକ ନୀତି ଅନୁଷ୍ଠିତ ହେବ । ଏହାପରେ ମହାପ୍ରଭୁଙ୍କ ଚିତାକର୍ଷକ ସୁନାବେଶ ସମ୍ପନ୍ନ ହେବ । ଦ୍ୱିପହର ଧୂପ ସମୟରେ ପୂଜାପଣ୍ଡାମାନେ ରତ୍ନସିଂହାସନରେ ପୂଜାର୍ଚ୍ଚନା କରୁଥିବା ସମୟରେ ଭିତରଛ ମହାପାତ୍ର ଲକ୍ଷ୍ମଣ ରୂପରେ ଛତ୍ର ଧରି ଦଣ୍ଡାୟମାନ ହେବେ । ଛତ୍ରମୂଳକୁ ଧାରଣ କରି ପାଳିଆ ଭଣ୍ଡାର ମେକାପ ହନୁମାନ ରୁପରେ ଆଣ୍ଠୁମାଡ଼ି ବସିବେ । ଏହି ଅବସରରେ ଷୋଡ଼ଷ ଉପଚାରରେ ମହାପ୍ରଭୁଙ୍କୁ ନୈବେଦ୍ୟ ଅର୍ପଣ କରାଯିବ । ରାଜନୀତି ବନ୍ଦାପନା ନୀତି ସମ୍ପନ୍ନ ହେବ । ଶ୍ରୀରଘୁନାଥ ରତ୍ନସିଂହାସନକୁ ବିଜେ ହୋଇ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ନୀତି ସମ୍ପନ୍ନ କରିବେ ।