ସଦଗୁରୁ କୋଭିଡ-୧୯ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା: ଦେଶରେ ଦ୍ଵିତୀୟ ଓଡ଼ିଶାରେ ପ୍ରଥମ, ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

କଟକ: କଟକ ଜଗତପୁରସ୍ଥିତ ସଦଗୁରୁ କୋଭିଡ-୧୯ ହସ୍ପିଟାଲରେ ସୋମବାର ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର(ଆରଡିସି) ଅନିଲ କୁମାର ସାମଲ ନିଆଁ ଲାଗିବାର କାରଣ ସମ୍ପର୍କରେ ତଦନ୍ତ ନିର୍ଦ୍ଦେଶ ଦେବା ସହ କେଉଁ ପରିସ୍ଥିତିରେ ନିଆଁ ଲାଗିଲା, ସେନେଇ ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି। ଏବେ ପ୍ରାଥମିକତାଭିତ୍ତିରେ ଗୁରୁତର ରୋଗୀଙ୍କୁ ଅଶ୍ୱିନୀ, ସମ ହସ୍ପିଟାଲ, ଏସସିବି ଓ ଭେଣ୍ଟିଲେଟର ବ୍ୟବସ୍ଥା ଥିବା ବିଭିନ୍ନ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ହସ୍ପିଟାଲ ଆଇସିୟୁରୁ ପ୍ରଥମେ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଡାକ୍ତରଖାନାର ଆଇସିୟୁରେ ଥିବା ଏକ ଏସିରୁ ପ୍ରଥମେ ଧୂଆଁ ବାହାରିଥିଲା। ଏହାପରେ ରୋଗୀମାନଙ୍କୁ ଆଇସିୟୁରୁ ସ୍ଥାନାନ୍ତର ଆରମ୍ଭ ହୋଇଥିଲା। ଏହି ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ଘଟଣାସ୍ଥଳରେ କଟକ ଜିଲ୍ଲାପାଳ, ପୋଲିସ କମିଶନର, ଡିସିପି ଏବଂ ସିଏମସି କମିସନର ପ୍ରମୁଖ ଉପସ୍ଥିତ ଅଛନ୍ତି।
ଅପରପକ୍ଷରେ ଯେଉଁ ଆକ୍ରାନ୍ତଙ୍କ ଅବସ୍ଥା ସ୍ଥିର ଅଛି, ସେମାନଙ୍କୁ ଟାଙ୍ଗୀସ୍ଥିତ ଡ୍ରିମ୍ସ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି। ଏନେଇ କଟକ ଜିଲ୍ଲାପାଳ ଭବନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି। କୋଭିଡ ହସ୍ପିଟାଲରୁ ଉଦ୍ଧାର ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅତିରିକ୍ତ ଡିଜିପି ସତ୍ୟଜିତ ମହାନ୍ତି କହିଛନ୍ତି, ସମସ୍ତ କରୋନା ଆକ୍ରାନ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। କୌଣସି ଅଭାବନୀୟ ଘଟଣା ଘଟିନାହିଁ।
ଦମକଳ ବାହିନୀର ମୁଖ୍ୟ ସୂଚନା ଦେଇ କହିଛନ୍ତି, ସଦଗୁରୁ କୋଭିଡ ହସ୍ପିଟାଲରେ ଲାଗିଥିବା ନିଆଁ ନିୟନ୍ତ୍ରଣକୁ ଆସିଛି। ସମସ୍ତ କରୋନା ଆକ୍ରାନ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ନିଆଁ କେମିତି ଲାଗିଲା ତା’ର ତଦନ୍ତ ହେବ। ଯଦି ଶର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି, ତାହା କେମିତି ହେଲା ଯାଞ୍ଚ ହେବ ବୋଲି ବୋଲି ସେ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ସୋମବାର କୌଣସି କାରଣରୁ ଅଚାନକ ଭାବେ ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ଏନେଇ ସୂଚନା ମିଳିବା ପରେ ୨ଟି ଦମକଳଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରିଥିଲେ। ଆଇସିୟୁରେ ନିଆଁ ଲାଗିଥିବାରୁ ହେତୁ ପରିସ୍ଥିତି ସଙ୍ଗୀନ ଥିଲା। ପ୍ରାୟ ୧୨ଟି ଆମ୍ବୁଲାନ୍ସରେ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।