ହବିଷ୍ୟାଳୀଙ୍କ ପାଇଁ କଟକଣା ଜାରି: ଜାଣିରଖନ୍ତୁ…

ପୁରୀ: କରୋନା ମହାମାରୀ ପାଇଁ ଚଳିତବର୍ଷ କାର୍ତ୍ତିକ ମାସରେ କଟକଣା ଜାରି କରାଯାଇଛି। ଶ୍ରୀକ୍ଷେତ୍ରକୁ ହବିଷ୍ୟାଳୀମାନଙ୍କୁ ନଆସିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି। ଉପଜିଲ୍ଲାପାଳ ଭବତାରଣ ସାହୁ ଏଥିପାଇଁ ଅନୁରୋଧ କରିଛନ୍ତି।
ସୂଚନା ଅନୁଯାୟୀ, ଶ୍ରୀକ୍ଷେତ୍ରକୁ ହବିଷ୍ୟାଳୀମାନେ ଆସିଲେ ବୟସ୍କ ବ୍ୟକ୍ତିଙ୍କୁ କୋଭିଡ୍ ବ୍ୟପିବାରେ ଆଶଙ୍କା ରହିଛି। ତେଣୁ ଚଳିତବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ଶିବିର ବନ୍ଦ ରହିଛି। ଗତ କିଛିବର୍ଷ ହେବ କାର୍ତ୍ତିକ ମାସରେ ହବିଷ୍ୟାଳୀମାନଙ୍କ ପାଇଁ ମାଗଣାରେ ରହିବା ଓ ମହାପ୍ରସାଦ ସେବନ ନେଇ ସ୍ୱତନ୍ତ୍ର ଶିବିର ଖୋଲୁଥିଲେ। ମାତ୍ର ଚଳିତବର୍ଷ ମହାମାରୀ ସ୍ଥିତି ଯୋଗୁ ଏହା ବନ୍ଦ ରହିଛି।
ସୂଚନାଯୋଗ୍ୟ, ଏକ ମାସ ପରେ ଶ୍ରୀମନ୍ଦିରରେ ଚଳିତ ଶତାବ୍ଦୀରେ ପ୍ରଥମ ଥର ପାଇଁ ମହାପ୍ରଭୁ ନାଗାର୍ଜୁନ ବେଶରେ ସଜେଇ ହେବେ। ମାତ୍ର ଭକ୍ତମାନେ ଏହି ବେଶ ଦର୍ଶନ କରିପାରିବେ ନାହିଁ। ଏହି ବେଶ ଲାଗି ଦଶହରାରେ ଆଭୂଷଣ ପ୍ରସ୍ତୁତି ଅନୁକୂଳ ହୋଇଛି। ମହାପ୍ରଭୁଙ୍କ ଆଜ୍ଞାମାଳ ମିଳିବା ପରେ ଏହି ବେଶ ପ୍ରସ୍ତୁତିର ଅନୁକୂଳ ପର୍ବ ସମ୍ପନ୍ନ ହୋଇଛି।