ରାଜଧାନୀରେ ଗଣଦୁଷ୍କର୍ମ ଘଟଣା: ମହିଳା ଥାନାରେ ହାଜର ହେଲେ ଓଟିଭି ଇନପୁଟ ମୁଖ୍ୟ

ରାଜଧାନୀରେ ଗଣଦୁଷ୍କର୍ମ ଘଟଣା: ମହିଳା ଥାନାରେ ହାଜର ହେଲେ ଓଟିଭି ଇନପୁଟ ମୁଖ୍ୟ

ଭୁବନେଶ୍ୱର: ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ପ୍ରସଙ୍ଗରେ ମହିଳା ଥାନାରେ ହାଜର ହୋଇଛନ୍ତି ଓଟିଭି ଇନପୁଟ୍‌ ମୁଖ୍ୟ। ତାଙ୍କୁ ହାଜର ହେବା ପାଇଁ ମହିଳା ଥାନା ନୋଟିସ୍ ଜାରି କରିଥିଲା। ନାବାଳିକା ଗଣଦୁଷ୍କର୍ମ ପ୍ରସଙ୍ଗରେ ଇନପୁଟ୍‌ ମୁଖ୍ୟଙ୍କୁ ଜେରା କରାଯାଉଛି। ଅଡିଓ କ୍ଲିପ୍ ପ୍ରସାରଣ ନେଇ ପଚରାଉଚରା କରାଯାଇପାରେ ବୋଲି ପୋଲିସ ମଧ୍ୟ ସୂଚନା ଦେଇଛି।

ଅନ୍ୟପଟେ ଏହି ନାବାଳିକା ଗଣଦୁଷ୍କର୍ମ ମାମଲାରେ ହସ୍ତକ୍ଷେପ କରିଛି କଟକର ଲିଗାଲ ସେଲ ସଂଗଠନ ଆଶ୍ଵସ୍ତି ଫାଉଣ୍ଡେସନ। ପ୍ରଥମେ ଇନ୍‌ଫୋସିଟି ଥାନା ଆଉ ପରେ ମହିଳା ଥାନାରେ ପହଞ୍ଚିଛନ୍ତି ଫାଉଣ୍ଡେସନର ପାଞ୍ଚ ଜଣିଆ ଟିମ୍‌। ନାବାଳିକା ଦୁଷ୍କର୍ମ ମାମଲାକୁ ନେଇ ଉଭୟ ଥାନାଧିକାରୀଙ୍କ ସହ ଆଲୋଚନା କରିଛି ସଂଗଠନ। ଘଟଣା ବାବଦରେ ସମସ୍ତ ତଥ୍ୟ ମିଳିଲା ପରେ ନାବାଳିକା ଓ ତାଙ୍କ ମା’ଙ୍କୁ ସମସ୍ତ ଆଇନଗତ ସହଯୋଗ ଯୋଗାଇ ଦିଆଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

ତେବେ ଘଟଣାକୁ ୧୫ ଦିନ ବିତିଲାଣି, କିନ୍ତୁ ଏବେ ବି ପୋଲିସ ହାତ ଖାଲି ପଡ଼ିଛି। ପୀଡ଼ିତା ଜଣକ ଜଣ ଜଣ କରି ସମସ୍ତ ଅଭିଯୁୁକ୍ତଙ୍କ ନାଁ ସ୍ପଷ୍ଟ ଭାବେ କହିଥିଲେ ମଧ୍ୟ ପୋଲିସ ଏଯାଏଁ କାହାରିକୁ ଗିରଫ କରିପାରି ନାହିଁ। ତେଣୁ ପୋଲିସର ଭୂମିକାକୁ ନେଇ ସନ୍ଦେହ କରାଯାଉଛି। ପୋଲିସ କାହା ଚାପରେ ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନ୍ୟପଟେ ଓଟିଭି ନିର୍ଦ୍ଦେଶିକାଙ୍କୁ ଶିଶୁ ସୁରକ୍ଷା ଆୟୋଗଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଥିଲେ ମଧ୍ୟ ଏଯାଏଁ ତା’ର କୌଣସି ଉତ୍ତର ମିଳିନାହିଁ। ଶିଶୁ ସୁରକ୍ଷା ଆୟୋଗ ଦେଇଥିବା ଡେଡଲାଇନ୍‌ ଶେଷ ହୋଇଥିଲେ ମଧ୍ୟ ଓଟିଭିର ନିର୍ଦ୍ଦେଶିକା ଜବାବ ରଖି ନ ଥିବାବେଳେ କମିଶନରେଟ୍ ପୋଲିସ୍ ତଥ୍ୟ ପ୍ରମାଣ ସଂଗ୍ରହ ପାଇଁ ସମୟ ଲାଗିବ ବୋଲି କହୁଛି। ପ୍ରଶ୍ନ ଉଠୁଛି, ନାବାଳିକାଙ୍କ ବୟାନ ରେକର୍ଡ ପରେ ମଧ୍ୟ କାହିଁକି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ୍ ପଛଘୁଞ୍ଚା ଦେଉଛି। ସମୟ ଗଡ଼ାଇ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ ଚାଲିଥିବା ନେଇ ସାଧାରଣରେ ସନ୍ଦେହ ଉପୁଜିଛି।

ସେପଟେ ଏହି ମାମଲାରେ ୩ ସପ୍ତାହ ସମୟ ମାଗିଛି କମିଶନରେଟ ପୋଲିସ। ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥାର ଜଣେ କର୍ମଚାରୀଙ୍କୁ କରୋନା ପଜିଟିଭ ଦର୍ଶାଇ ସମୟ ମାଗିଛି ପୋଲିସ। କୋଭିଡ କଟକଣାକୁ ନଜରରେ ରଖି ସମୟ ଦିଆଯିବ ବୋଲି କହିଛନ୍ତି ଓଡିଶା ରାଜ୍ଯ ଶିଶୁ ସୁରକ୍ଷା ଅଧିକାର ଆୟୋଗ।

Share this story