ପାର୍ବଣ ପାଇଁ ଆସିଲା ନୂଆ ଗାଇଡ଼ଲାଇନ, ଫେରିଲା କର୍ଫ୍ୟୁ

ଅକ୍ଟୋବର ମାସ ପାଇଁ ନୂଆ ଗାଇଡଲାଇନ୍ ଆଣିଛନ୍ତି ରାଜ୍ୟ ସରକାର । ସଂକ୍ରମଣକୁ ଆଖି ଆଗରେ ରଖି ଗୁରୁବାର ଏସଆରସି ପ୍ରଦୀପ ଜେନା ରାଜ୍ୟବାସୀଙ୍କୁ ନୂଆ ଗାଇଡଲାଇନ୍ ବାବଦରେ ସୂଚନା ଦେଇଛନ୍ତି । ଆଗକୁ ପାର୍ବଣ ଋତୁ ଥିବାରୁ ଏଥିପ୍ରତି ସତର୍କ ରହିବା ସହିତ କଡାକଡି କୋଭିଡ୍ ନିୟମ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅକ୍ଟୋବର ମାସର ଗାଇଡଲାଇନରେ ପୂର୍ବଭଳି ରାଜ୍ୟର ସମସ୍ତ ପୌରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଜାରି ରହିବ ବୋଲି ଏସଆରସି ସୂଚନା ଦେଇଛନ୍ତି ।
ତାଙ୍କ କହିବା ମୁତାବକ, ଆମ ରାଜ୍ୟରେ ସଂକ୍ରମଣ କମିଛି । ହେଲେ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଏହି ସମୟରେ ସତର୍କ ରହିବା ନିହାତି ଆବଶ୍ୟକ । ତେଣୁ ଅକ୍ଟୋବର ମାସର ଗାଇଡଲାଇନରେ ରାଜ୍ୟ ସରକାର ନାଇଟ୍ କର୍ଫ୍ୟୁକୁ ପୂର୍ବଭଳି ବଳବତ୍ତର ରଖିଛନ୍ତି । ଅକ୍ଟୋବର ମାସରେ ରାଜ୍ୟର ସମସ୍ତ ପୌରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ ।
ତେବେ ଦୂର୍ଗାପୂଜା ପାଇଁ ସରକାର ଏହି ଗାଇଡଲାଇନରେ କିଛି ପରିବର୍ତ୍ତନ କରିଛନ୍ତି । ଅକ୍ଟୋବର ୧୧ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଟୁଇନସିଟିରେ ନାଇଟ୍ କର୍ଫ୍ୟୁ ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଏହି ୧୦ ଦିନ ଦୂର୍ଗାପୂଜା ଥିବାରୁ ଭୁବନେଶ୍ୱର ଓ କଟକରେ ରାତି ୮ଟାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ଏହି ନାଇଟ୍ କର୍ଫ୍ୟୁ ରାତି ୮ଟାରୁ ଆରମ୍ଭ ହୋଇ ସକାଳ ୫ଟା ଯାଏଁ ବଳବତ୍ତର ରହିବ । ଦୂର୍ଗାପୂଜାକୁ ଆଖି ଆଗରେ ରଖି ସରକାର ଏହି ନୂଆ ଗାଇଡଲାଇନ୍ ଧାର୍ଯ୍ୟ କରିଛନ୍ତି ବୋଲି ଏସଆରସି କହିଛନ୍ତି ।