ପାଣ୍ଡିଆନ ଓ ସୁଜାତାଙ୍କ ଫୋକସରେ କେନ୍ଦ୍ରାପଡା

ପାଣ୍ଡିଆନ ଦମ୍ପତିଙ୍କ ଫୋକସରେ କେନ୍ଦ୍ରାପଡା । ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ଏହି ପାଣ୍ଡିଆନ ଦମ୍ପତି ଏବେ କେନ୍ଦ୍ରାପଡାକୁ ନେଇ ବେଶ ତତ୍ପର ହୋଇ ଉଠିଛନ୍ତି । ଆଉ ଏହାର ଝଲକ ଲଗାତାର ଦେଖିବାକୁ ମିଳୁଛି । କେନ୍ଦ୍ରାପଡା ପାଇଁ ନବୀନ ଯେଉଁ ବିକାଶର ସ୍ୱପ୍ନ ଦେଖିଛନ୍ତି ତାହାକୁ ବାସ୍ତବ ରୂପ ଦେବାର ଦାୟିତ୍ୱଭାର ସତେ ଯେପରି ପାଣ୍ଡିଆନ ଦମ୍ପତି ନେଇଛନ୍ତି । ଏକଥା ଏଥିପାଇଁ କୁହାଯାଉଛି କାରଣ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିଆନ ଓ ମିଶନ ଶକ୍ତିର ନିର୍ଦ୍ଦେଶିକା ସୁଜାତା ପାଣ୍ଡିଆନ ଏହା ଭିତରେ କେନ୍ଦ୍ରାପଡା ଗସ୍ତ କରି ସାରି ଫେରିଛନ୍ତି ।
୨୦୧୯ ନିର୍ବାଚନରେ କେନ୍ଦ୍ରାପଡା ବିକାଶର ଦାୟିତ୍ୱର ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରାପଡାକୁ କିଭଳି ବିକାଶ ପଥରେ ଆଗେଇ ନିଆଯିବ ତାହାର ଦାୟିତ୍ୱ ନିଜେ ବୁଝିବେ ବୋଲି ନିର୍ବାଚନୀ ପ୍ରଚାରରେ ସ୍ପଷ୍ଟ କରିଥିଲେ ନବୀନ । ଆଉ ଏବେ ନବୀନଙ୍କ ସେହି ପ୍ରତିଶ୍ରୁତିକୁ ଆଗକୁ ବାଟ କଢାଇ ନେଉଛନ୍ତି ପାଣ୍ଡିଆନ ଦମ୍ପତି । ୨୦୨୦ ଶେଷ ଆଡକୁ ୫-ଟି ସଚିବ ଭି.କେ ପାଣ୍ଡିଆନ କେନ୍ଦ୍ରାପଡା ଗସ୍ତ କରି ମହାକାଳପଡାରେ ହେବାକୁ ଥିବା ନଦୀ ଭିତ୍ତିକ ବନ୍ଦରର ସମୀକ୍ଷା କାର୍ଯ୍ୟ ଶେଷ କରିଥିଲେ । ବୋଟରେ ବୁଲିବା ସହ ବିକଶିତ କେନ୍ଦ୍ରାପଡା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ପାଣ୍ଡିଆନ ।
କେବଳ ଏତିକି ନୁହେଁ ଗତ କିଛି ଦିନ ପୂର୍ବେ ଶିଳ୍ପ ବିହୀନ ଜିଲ୍ଲାକୁ ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବେ ଗଢି ତୋଳିବାକୁ କେନ୍ଦ୍ରାପଡାରେ ବୃହତ ଷ୍ଟିଲ ପ୍ଲାଣ୍ଟ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ୫୦ ହଜାର କୋଟି ଟଙ୍କାର ଏହି ଷ୍ଟିଲ ପ୍ଲାଣ୍ଟର ପ୍ରତିଷ୍ଠା ପାଇଁ ଆର୍ସେଲର ମିତ୍ତଲ ସହ ଏମଓୟୁ ସ୍ୱାକ୍ଷର କରିଛନ୍ତି ସରକାର । ତେବେ ଏହି ଏମଓୟୁ ସ୍ୱାକ୍ଷର ସମୟରେ ପାଣ୍ଡିଆନଙ୍କର ବେଶ ସକ୍ରିୟତା ଦେଖିବାକୁ ମିଳିଥିଲା । ଚର୍ଚ୍ଚା ହେଉଛି କେନ୍ଦ୍ରାପଡାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ଦିଗରେ ୫-ଟି ସଚିବ ପାଣ୍ଡିଆନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।
୫-ଟି ସଚିବ ଭାବେ ପାଣ୍ଡିଆନ କେନ୍ଦ୍ରାପଡ଼ାକୁ ବିକାଶର ଶିଖରରେ ପହଞ୍ଚାଇବାକୁ ଉଦ୍ୟମ କରୁଥିବା ବେଳେ ପତ୍ନୀ ସୁଜାତା ପାଣ୍ଡିଆନ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ମିଶନ ଶକ୍ତିକୁ ସ୍ୱତନ୍ତ୍ର ବିଭାଗ କରାଯିବା ପରେ ଏହାର ନିର୍ଦ୍ଦେଶିକା ଭାବେ ପ୍ରଥମେ କେନ୍ଦ୍ରାପଡା ଗସ୍ତ କରିଛନ୍ତି ସୁଜାତା ପାଣ୍ଡିଆନ । କେନ୍ଦ୍ରାପଡା କେବଳ ଶିଳ୍ପସମୃଦ୍ଧ ହେବନି ବରଂ ଏଠାକାର ମହିଳା ଏସଏଚଜି ମାନେ କିଭଳି ସ୍ୱାବଲମ୍ବୀ ହେବା ସହ ଅଧିକରୁ ଅଧିକ ରୋଜଗାର କରିପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁଜାତା । ଆଉ ସୁଜାତାଙ୍କ ଏଭଳି ଆଭିମୁଖ୍ୟ ଦର୍ଶାଉଛି ଯେ, କେନ୍ଦ୍ରାପଡାର ମହିଳାଙ୍କ ବିକାଶ ହିଁ ତାଙ୍କର ପ୍ରାଥମିକତା ।
ଏସବୁ ଭିତରେ ସବୁଠୁ ବଡ କଥାଟି ହେଲା କେନ୍ଦ୍ରାପଡା ସହ ପାଣ୍ଡିଆନ ଦମ୍ପତିଙ୍କ ପାରିବାରିକ ସର୍ମ୍ପକ ରହିଛି । ପତ୍ନୀ ସୁଜାତା ପାଣ୍ଡିଆନ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇର ବଲୁରିଆ ଅଞ୍ଚଳର ଝିଅ । ତେଣୁ କେନ୍ଦ୍ରାପଡା ପ୍ରତି ପାଣ୍ଡିଆନ ଦମ୍ପତିଙ୍କର ସଫ୍ଟ କର୍ଣ୍ଣର ରହିବା ସ୍ୱାଭାବିକ । ଏପରିକି ଗାଁର ଝିଅ ହୋଇଥିବାରୁ ବଲୁରିଆ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି ସୁଜାତା । ଆଉ ଏଭଳି କିଛି ପଦକ୍ଷେପ ସଂକେତ ଦେଉଛି ଯେ, ପାଣ୍ଡିଆନ ଦମ୍ପତିଙ୍କ ଫୋକସରେ ରହିଛି କେନ୍ଦ୍ରାପଡା ।