ମାଡ଼ିଆସୁଛି ବିପଦ: ୨୪ ଯାଏ ଅତିପ୍ରବଳ ବର୍ଷା

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ସକାଳେ ‘ୱେଲ ମାର୍କଡ୍-ଲୋ’ ପ୍ରେସର’ରେ ପରିଣତ ହୋଇଛି। ଗୁରୁବାର ଏହି ଲଘୁଚାପ ଅବପାତରେ ପରିଣତ ହେବ। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଗଭୀର-ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।
ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଦିଗରେ ଗତିକରିବ। ପରବର୍ତ୍ତୀ ସମୟରେ ଏହା ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରି ଓଡ଼ିଶା ଉପକୂଳ ଦେଇ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଓଡ଼ିଶାର ବହୁ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବୁଧବାର ଅପରାହ୍ଣରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।
ଉକ୍ତ ସତର୍କ ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୨୨ ତାରିଖ ମଧ୍ୟାହ୍ନ ସୁଦ୍ଧା ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏହି ଜିଲ୍ଲା ଦ୍ବୟକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ବାଲେଶ୍ୱର, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।
୨୨ ଓ ୨୩ ତାରିଖରେ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ତେଣୁ ଏସବୁ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ମୟୂରଭଞ୍ଜ ଏବଂ ଢ଼େଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ୨୩ ଓ ୨୪ ତାରିଖରେ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।