କରୋନାରେ ଚତୁର୍ଥ ମୁଣ୍ଡ ଗଡ଼ିଲା

କରୋନାରେ ଚତୁର୍ଥ ମୁଣ୍ଡ ଗଡ଼ିଲା

କରୋନା ଭାଇରସ ସଂକ୍ରମଣରେ ଭାରତରେ ୪ର୍ଥ ମୃତ୍ୟୁ ହୋଇଛି । ପଞ୍ଜାବର ଜଣେ ୭୨ ବର୍ଷୀୟ ବୃଦ୍ଧ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ସେ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି ।
ଏହି ବ୍ୟକ୍ତି ଗତ ୭ ତାରିଖରେ ଜର୍ମାନୀରୁ ଫେରିବା ପରେ ତାଙ୍କର ସ୍ୱାବ୍‌ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା ।

ବୁଧବାରଦିନ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ପଞ୍ଜାବର ନଓ୍ଵନସହରଠାରେ ଥିବା ଏକ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ । ତେବେ ବୁଧବାର  ରାତିରେ ଆସିଥିବା ତାଙ୍କର ସ୍ୱାବ ପରୀକ୍ଷା ରିପୋର୍ଟରୁ ସେ କରୋନା ପଜିଟିଭ ଥିବା ସ୍ପଷ୍ଟ ହୋଇଥିଲା ବୋଲି ସରକାରୀ ସୁତ୍ରରୁ ଜଣାପଡ଼ିଛି । ପଞ୍ଜାବର ସ୍ୱାସ୍ଥ୍ୟ ସଚିବ ଅନୁରାଗ ଅଗ୍ରଓ୍ଵାଲ ମଧ୍ୟ ଏହି ଖବରକୁ ସ୍ୱୀକାର କରିଛନ୍ତି ।

ପୂର୍ବରୁ ଭାରତରେ ୩ ବ୍ୟକ୍ତି କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲେ । ଏହି ମୃତ୍ୟୁଗୁଡ଼ିକ ଦିଲ୍ଲୀ, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ହୋଇଥିଲା । ଅନ୍ୟପକ୍ଷରେ ଭାରତରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୭ରେ ପହଞ୍ଚିଛି । ଏହା ମଧ୍ୟରୁ ଓଡ଼ିଶାର ଜଣେ ସଂକ୍ରମିତ ଅନ୍ୟତମ । ସମଗ୍ର ବିଶ୍ୱର କରୋନା ସଂକ୍ରମିତ ମୃତ୍ୟୁସଂଖ୍ୟା ୯ ହଜାର ଟପିଯାଇଛି ।

Share this story