ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପର୍କରେ ଏହି ଅଜଣା କଥା ଗୁଡିକ ଜାଣିଛନ୍ତି କି ?

ଭାରତୀୟ ଜନତା ପାର୍ଟି ର ଜଣେ ଦକ୍ଷ ଓ ଯୁବ ଚେହେରା ଭାବେ ସେ ପରିଚିତ। ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ରହି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ
ବିଭାଗର କାର୍ଯ୍ୟକୁ ସୁଚାର ରୂପେ ମଧ୍ୟ ତୁଲାଉଛନ୍ତି। ସେହି ବଳିଷ୍ଠ ବ୍ୟକ୍ତିତ୍ୱ ହେଉଛନ୍ତି ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନଙ୍କ ପୂର୍ଣ୍ଣ ନାମ ହେଉଛି ଧର୍ମେନ୍ଦ୍ର ଦେବେନ୍ଦ୍ର ପ୍ରଧାନ। ଓଡ଼ିଶାର ତାଳଚେର ଠାରେ ୧୯୬୯ ମସିହା ୨୬ ଜୁନରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ଥିଲେ ଶ୍ରୀଯୁକ୍ତ ଦେବେନ୍ଦ୍ର ପ୍ରଧାନ,ଯିଏକି ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀ ମଣ୍ଡଳରେ ପରିବହନ ମନ୍ତ୍ରୀ ଥିଲେ। ତାଙ୍କ ମାଆ ଥିଲେ ବାସନ୍ତୀମଞ୍ଜରୀ ପ୍ରଧାନ।ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀଙ୍କ ନାମ ମୃଦୁଳା ପ୍ରଧାନ ଏବଂ ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି।
ଶ୍ରୀଯୁକ୍ତ ପ୍ରଧାନ ନିଜର ରାଜନୈତିକ କ୍ୟାରିୟର ୧୯୮୩ ମସିହାରୁ ଏବିଭିପିର କାର୍ଯ୍ୟକର୍ତା ହିସାବରେ ଆରମ୍ଭ କରିଥିଲେ। ଧର୍ମେନ୍ଦ୍ର ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ସ୍ନାତକ ଓ ଉତ୍କଳ ବିଶ୍ଵବିଦ୍ୟାଳୟରୁ ନୃତତ୍ୱ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।ନିଜର ଛାତ୍ର ସମୟରେ ଧର୍ମେନ୍ଦ୍ର ତାଳଚେର ମହାବିଦ୍ୟାଳୟର ଷ୍ଟୁଡେଣ୍ଟ ୟୁନିୟନର ସଭାପତି ଥିଲେ। ତେବେ ୧୯୯୫ ମସିହାରେ ଏବିଭିପିର ଜାତୀୟ ସମ୍ପାଦକ ରୂପେ ନିଯୁକ୍ତି ପାଇଥିଲେ ଧର୍ମେନ୍ଦ୍ର। ପରବର୍ତ୍ତୀ ସମୟରେ ନିଜର ପରିଶ୍ରମ ଓ ଲୋକଙ୍କ ସମର୍ଥନ ପାଇ ୨୦୦୪ ପର୍ଯ୍ୟନ୍ତ ପାଲଲହଡା ବିଧାୟକ ଓ ୨୦୦୪-୦୯ ପର୍ଯ୍ୟନ୍ତ ଦେବଗଡ଼ର ସାଂସଦ ରୂପେ ନିର୍ବାଚିତ ହୋଇଥିଲେ ଧର୍ମେନ୍ଦ୍ର ପ୍ରଧାନ।
ଏଥିମଧ୍ୟରେ ସେ ବିଜେପି ଯୁବମୋର୍ଚାର ଜାତୀୟ ସଭାପତି, ଛତିଶଗଡ଼ ରାଜ୍ୟରେ ବିଜେପିର ପ୍ରଭାରୀ ରୂପେ ନିଜର ଗୁରୁଦାୟିତ୍ୱ ନିର୍ବାହ କରିଥିଲେ। ଅନ୍ୟପକ୍ଷରେ ୨ଟି ରାଜ୍ୟର ରାଜ୍ୟସଭା ତଥା ବିହାର ଓ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ରୂପେ ନିର୍ବାଚିତ ହୋଇ ଧର୍ମେନ୍ଦ୍ର ପେଟ୍ରୋଲିୟମ,ଦକ୍ଷତା ବିକାଶ ମନ୍ତ୍ରୀ ରୂପେ କ୍ୟାବିନେଟରେ ସାମିଲ ହୋଇଥିଲେ। ନିଜର ଉତ୍ତମ କାର୍ଯ୍ୟଶୈଳୀ ଯୋଗୁ ଧର୍ମେନ୍ଦ୍ର ପ୍ରଧାନ ପୁନର୍ବାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ଶିକ୍ଷା ମନ୍ତ୍ରଣାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହେବାର ସୌଭାଗ୍ୟ ପାଇଛନ୍ତି।