ଗଭୀର ଅବପାତର ରୂପ ନେଲା ଲଘୁଚାପ : ୮ ଜିଲ୍ଲାରେ ଥଳକୂଳ ଦେବନି

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଯାହା ପ୍ରଭାବରେ ଆଜି ଆନ୍ଧ୍ର ଉପକୂଳ ଅତିକ୍ରମ କରିବ। ଫଳରେ ଦକ୍ଷିଣ ଉପକୂଳ ଓଡ଼ିଶାରେ ଗତକାଲି ରାତିରୁ ବର୍ଷା ଆରମ୍ଭ ହୋଇଯାଇଛି। ଆଜି ରାଜ୍ୟର ୮ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଦକ୍ଷିଣ ଉପକୂଳ ସହ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ପ୍ରାୟ ସମସ୍ତ ସ୍ଥାନରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ପବନର ବେଗ ୪୫ରୁ ୫୫ କିମି ରହିବ। ମଝିରେ ମଝିରେ ୬୦ କିମି ବେଗରେ ପବନର ଝଟ୍କା ଅନୁଭୂତ ହେବ। ସମୁଦ୍ର ମଧ୍ୟ ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।
ସେପଟେ ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲାରେ ଗତକାଲିଠୁ ଅବିଶ୍ରାନ୍ତ ବର୍ଷା ଲାଗି ରହିଛି। ପ୍ରବଳରୁ ଅତିପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ତେବେ ପରିସ୍ଥିତିକୁ ଦେଖି ଜିଲ୍ଲାପାଳଙ୍କ ପକ୍ଷରୁ ସବୁ ବ୍ଲକ୍ ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ପୂର୍ବରୁ ଦିଆଯାଇଛି । ପାହାଡ ଉପରେ ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଆଣିବାକୁ ଜିଲ୍ଲାପାଳ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୪ଟି ବ୍ଲକରୁ ପ୍ରାୟ ୫୦୦ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । କାସିନଗର, ଗୁମ୍ମା, ରାୟଗଡ, ଓ ଗୋଶାଣି ବ୍ଲକର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ।