କ୍ୱାରାଣ୍ଟାଇନ୍‌ ସେଣ୍ଟର୍‌ରେ ଆତ୍ମହତ୍ୟା କଲେ କରୋନା ଆକ୍ରାନ୍ତ: ହେଲେ କ’ଣ ପାଇଁ…?

କ୍ୱାରାଣ୍ଟାଇନ୍‌ ସେଣ୍ଟର୍‌ରେ ଆତ୍ମହତ୍ୟା କଲେ କରୋନା ଆକ୍ରାନ୍ତ: ହେଲେ କ’ଣ ପାଇଁ…?

ପୁରୀ: କ୍ୱାରାଣ୍ଟାଇନ୍‌ ସେଣ୍ଟର୍‌ରେ ଜଣେ କରୋନା ରୋଗୀ ଆତ୍ମହତ୍ୟା କରିଛନ୍ତି। ହାତର ଶିରା କାଟି ରୋଗୀ ଜଣକ ଆତ୍ମହତ୍ୟା କରିଛନ୍ତି। ସମୁଦ୍ରକୂଳ ଥାନା ପୋଲିସ ଅପମୃତ୍ୟୁ ମାମଲା ରୁଜୁକରି ଶବ ଜବତ କରିଛି। ମୃତ ଯୁବକ ଜଣକ ହେଲେ କୁମ୍ଭାରପଡା ଥାନା ଅଧୀନ ରାୟବାହାଦୂର ଲେନ୍‌ର ପ୍ରଦୀପ କୁମାର ଦାସଙ୍କ ପୁଅ ମଧୁସୂଦନ ଦାସ(୨୯)। ଘଟଣାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି।

ପୋଲିସର ସୂଚନା ଅନୁଯାୟୀ, ମଧୁସୂଦନ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ କିଛିଦିନ ପୂର୍ବେ କରୋନାରେ ଆକ୍ରାନ୍ତ ହୋଇଥିଲେ। ପଜିଟିଭ୍‌ ଭାବେ ଚିହ୍ନଟ ହେବା ପରେ ତାଙ୍କୁ ସମୁଦ୍ରକୂଳ ଥାନା ଅଧୀନ ରୁମାନୀ ହୋଟେଲ୍‌ରେ ଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟର୍‌ରେ ଭର୍ତ୍ତି କରାଯାଇଥିଲା। ମଧୁସୂଦନଙ୍କ ପାଖରେ ତାଙ୍କ ମା’ ରହୁଥିଲେ।

ରବିବାର ବିଳମ୍ବିତ ରାତିରେ ମା’ ଶୋଇଥିବାବେଳେ ମଧୁସୂଦନ ବାଥ୍‌ରୁମ୍‌ ଭିତରେ ପଶିଥିଲେ। ସେଠାରେ ପାଖରେ ରଖିଥିବା ଏକ ବ୍ଲେଡ୍‌ ମାଧ୍ୟମରେ ମଧୁସୂଦନ ତାଙ୍କ ହାତରେ ଏକାଧିକ ସ୍ଥାନକୁ କାଟି ପକାଇଥିଲେ। ଫଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଦୀର୍ଘ ସମୟ ଧରି ବାଥ୍‌ରୁମ୍‌ରୁ ନ ବାହାରିବାରୁ ତାଙ୍କ ମା’ କବାଟ ବାଡେଇଥିଲେ। ହେଲେ କବାଟ ଲକ୍‌ ନଥିବାରୁ ଖୋଲି ଯାଇଥିଲା। ମଧୁସୂଦନ ଭିତରେ ନିସ୍ତେଜ ହୋଇ ପଡିଥିବାବେଳେ ଚଟାଣ ରକ୍ତରେ ଭିଜିଯାଇଥିଲା। ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୋଲିସ ଶବ ଜବତ କରି ୧୪/୨୦ରେ ଅପମୃତ୍ୟୁ ମାମଲା ରୁଜୁ କରିଛି। ବ୍ୟବଚ୍ଛେଦ ପରେ ନିୟମ ଅନୁଯାୟୀ ଶବ ସଂସ୍କାର କରାଯାଇଛି। ପୂର୍ବରୁ କର୍କଟ ରୋଗରେ ପୀଡିତ ଓ ପରେ କରୋନା ପାଇଁ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା ପୋଲିସ କହିଛି।

Share this story