କରୋନା ସଂକ୍ରମଣରେ ପଛରେ ପଡ଼ିଲା ଗଞ୍ଜାମ: ଖୋର୍ଦ୍ଧା ନମ୍ବର ୱାନ୍, ଚିନ୍ତା ବଢାଉଛି ଲୋକାଲ କେଶ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। କରୋନା ସଂକ୍ରମଣରେ ଏବେ ପଛରେ ପଡ଼ିଛି ଗଞ୍ଜାମ। ଖୋର୍ଦ୍ଧା ଜିଲ୍ଲା ଏବେ ରାଜ୍ୟରେ ଏକ ନମ୍ବର ସ୍ଥାନ ଅଧିକାର କରିଛି। ଏଠାରେ ପ୍ରତିଦିନ ସଂକ୍ରମଣ ଗ୍ରାଫ ବଢିବାରେ ଲାଗିଛି। ଖୋର୍ଦ୍ଧା ଜିଲ୍ଲାରେ ୨୦ ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଜିଲ୍ଲାରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦,୬୧୮କୁ ବୃଦ୍ଧି ପାଇଛି।
ଗତ ୫ ଦିନର ହିସାବ ଦେଖିଲେ ପ୍ରତିଦିନ ଖୋର୍ଦ୍ଧା ଜିଲ୍ଲାରୁ ସାଢେ ୬ ଶହରୁ ଅଧିକ ପଜିଟିଭ ମାମଲା ସାମ୍ନାକୁ ଆସୁଛି। ଏହି ହାରରେ ଆକ୍ରାନ୍ତ ଚିହ୍ନଟ ହେଲେ ସେପ୍ଟେମ୍ବର ଶେଷ ସପ୍ତାହ ସୁଦ୍ଧା କେବଳ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ଛୁଇଁବ ବୋଲି ଅନୁମାନ କରାଯାଉଛି।
ଖୋର୍ଦ୍ଧାରେ ସବୁଠୁ ଅଧିକ ଚିନ୍ତା ବଢାଇଛି ସ୍ଥାନୀୟ ସଂକ୍ରମଣ। ଗଞ୍ଜାମ ଜିଲ୍ଲାରେ ଗତ ସପ୍ତାହେ ହେଲା ଖୋର୍ଦ୍ଧା ତୁଳନାରେ ସଂକ୍ରମଣ କମିକମି ଯାଉଛି। ଗଞ୍ଜାମରେ ସରକାର ଲାଗୁ କରିଥିବା କୋଭିଡ ମ୍ୟାନେଜମେଣ୍ଟ ଫର୍ମୁଲା ଭୁବନେଶ୍ବର ଓ ଖୋର୍ଦ୍ଧାରେ ଲାଗୁ କରାଯାଇଥିଲେ ମଧ୍ୟ ସଂକ୍ରମଣ ବୃଦ୍ଧିରେ ବ୍ରେକ୍ ଲାଗୁନାହିଁ।