କଂଗ୍ରେସକୁ ହାଇ ଭୋଲ୍ଟେଜ ଝଟକା : ୨୪ ତାରିଖରେ ବିଜେଡିରେ ଯୋଗଦେବେ ପ୍ରଦୀପ ମାଝୀ

ବିଜେଡିକୁ ଡେଇଁବେ କି କଂଗ୍ରେସର ଟାଣୁଆନେତା ତଥା ପିପିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି? ଏହାକୁ ନେଇ ଜିଲ୍ଲାରେ ପୁଣି ଆରମ୍ଭ ହୋଇଯାଇଛି ନାନା କଳ୍ପନାଜଳ୍ପନା । କାରଣ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୨୪ ତାରିଖରେ ବିଜୁ ଜନତା ଦଳରେ ମିଶିବେ ପ୍ରଦୀପ । ଏଥିପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ଦଳର ପାୱାର କରିଡର ସହ ପ୍ରଦୀପ ମଧ୍ୟ ଆଲୋଚନା କରିଛନ୍ତି । ଶୁଣାଯାଉଛି ପ୍ରଦୀପଙ୍କୁ କୁଆଡେ ରାଜ୍ୟସଭା ପଠାଇବା ପାଇଁ ଦଳ ଯୋଜନା କରୁଛି । ଆସନ୍ତା ବର୍ଷ ରାଜ୍ୟସଭାରେ ୩ ଟି ସିଟ ବିଜେଡିର ଖାଲି ହେବାକୁ ଯାଉଛି । ଏଣୁ ତାଙ୍କୁ ରାଜ୍ୟସଭା ପଠାଇ ନବରଙ୍ଗପୁରରେ ଭୋଟ୍ ବ୍ୟାଙ୍କକୁ ହାତେଇବାକୁ ଦଳ ଚିନ୍ତା କରୁଛି ।
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଦୀପଙ୍କ ବିଷୟକୁ ନେଇ ଆଲୋଚନା ହୋଇଛି ଓ ଆନୁଷ୍ଠାନିକ କାର୍ଯ୍ୟକାରୀ ହେବା ବାକି ରହିଛି ବୋଲି ଚର୍ଚ୍ଚା ଜଣାପଡିଛି । ପ୍ରଦୀପଙ୍କ ଅନେକ ସମର୍ଥକ ଏହି ଖବର ସତ୍ୟ ବୋଲି କହୁଛନ୍ତି । ପ୍ରଦୀପଙ୍କ ବାପା ଭଗବାନ ମାଝି ରାଜନୀତି ଜୀବନ ବିଜୁବାବୁଙ୍କଠାରୁ ଆରମ୍ଭ କରିଥିଲେ ।
ପ୍ରଦୀପଙ୍କ ବାପା ଭଗବାନ ମାଝି ନିଜ ରାଜନୀତି ଜୀବନ ବିଜୁବାବୁଙ୍କଠାରୁ ଆରମ୍ଭ କରିଥିଲେ । ବିଜୁବାବୁ ଭଗବାନଙ୍କୁ ଜନତା ଦଳରୁ ୧୯୯୪ରେ ରାଜ୍ୟସଭାକୁ ପଠାଇଥିଲେ । ପରବର୍ତ୍ତୀ ସମୟରେ ଭଗବାନ କଂଗ୍ରେସରେ ସାମିଲ ହୋଇଥିଲେ । କିନ୍ତୁ ପ୍ରଦୀପ କଂଗ୍ରେସରୁ ନିଜ ରାଜନୀତି ଆରମ୍ଭ କରିଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପରେ ସେ ସିଧାସଳଖ ୨୦୦୯ରେ ନବରଙ୍ଗପୁର ସାଂସଦ ନିର୍ବାଚିତ ହୋଇଥିଲେ ।
ପରେ ଦୁଇ ଥର ନିର୍ବାଚନରେ ପରାଜୟ ହୋଇଥିଲେ । ରାଜନୀତି ଜୀବନରେ ସଂଘର୍ଷ କରି କେବଳ ଅବିଭକ୍ତ କୋରାପୁଟ ନୁହେଁ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିଛନ୍ତି । ରାଜ୍ୟସ୍ତରର ଜଣେ ଦକ୍ଷନେତା ଭାବେ ନିଜ ସ୍ଥାନ ଏବେ ବି ବଜାୟ ରଖିଛନ୍ତି । ଏପରିକି ନିଜ ସଂସଦୀୟ କ୍ଷେତ୍ରରେ ଖୁବ କମ ବ୍ୟବଧାନରେ ହାରିଥିଲେ ମଧ୍ୟ ଜଣେ ଦକ୍ଷ ନେତୃତ୍ୱର ପରାକାଷ୍ଠା ଦେଖାଇ ପାରିଛନ୍ତି ।