୨୧ଟି ଜିଲ୍ଲାରେ ଖୋଲିପାରେ ଲକଡାଉନ : ଆଜି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଆସିବ ଏହିସବୁ ନିଷ୍ପତ୍ତି, ପଢନ୍ତୁ

Naveen on corona

କରୋନା ସଂକ୍ରମଣ କମାଇବାକୁ ସରକାରଙ୍କ ଲକଡାଉନ କଟକଣା ସତ୍ୱେ ଗଲା କିଛିଦିନ ହେଲା ୩ ହଜାର ପାଖାପାଖି ରହୁଛି ଦୈନିକ ସଂକ୍ରମଣ । ତେଣୁ ପ୍ରଶ୍ନ ଉଠୁଛି ଜୁଲାଇରୁ ଲକଡାଉନ ଖୋଲିବା ନେଇ କଣ ପଦକ୍ଷେପ ନେବେ ସରକାର । ମିଳିଥିବା ସୂଚନା ଅନୁସାରେ, ୨୧ଟି ଜିଲ୍ଲାରେ ଲକଡାଉନ ଖୋଲିବା ନେଇ ବିଚାର ବିମର୍ଶ କରୁଛନ୍ତି ସରକାର । ତେବେ ଆଜି ଅପରାହ୍ନ ୫ଟାରେ ଏନେଇ ସମୀକ୍ଷା କରିବା ପରେ କିଛି ବଡ ନିଷ୍ପତ୍ତି କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟରେ କୋଭିଡ ସ୍ଥିତିନେଇ ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବ ସ୍ୱାସ୍ଥ୍ୟ ବିଭାଗ । ଚିନ୍ତାର ବିଷୟ ହେଲା ସଂକ୍ରମଣ ହାର ଦୃଷ୍ଟିରୁ ଏବେ ବି ୫ଟି ଜିଲ୍ଲା ରେଡ୍ ଜୋନରେ ରହିଛି । ପୁରୀ, ଖୋର୍ଦ୍ଧା, କଟକ, ବାଲେଶ୍ୱର ଓ ମୟୁରଭଞ୍ଜରେ କଟକଣା କୋହଳ ହୋଇନପାରେ । ଏହାବାଦ ସଂକ୍ରମଣ ଅଧିକ ରହୁଥିବା ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକରେ ମଧ୍ୟ କଟକଣା କୋହଳ ହେବା ସମ୍ଭାବନା କମ୍ ।

ତେବେ ବାକି ୨୧ ଜିଲ୍ଲାରେ କଟକଣା କୋହଳ ହେଲେ ମଧ୍ୟ ନାଇଟ କର୍ଫ୍ୟୁ ଜାରି ରଖିପାରନ୍ତି ସରକାର । ଦୋକାନ ବଜାର ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇପାରେ । ତେବେ କଣ ହେବ ଜୁଲାଇ ଗାଇଡ ଲାଇନ ତାହା ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଉପରେ ନିର୍ଭର କରୁଛି । ସ୍ଥିତିର କମୀକ୍ଷା କରିବା ପରେ ଯାହା କିଛି ନିଷ୍ପତ୍ତି କରିବେ ସରକାର ।

Share this story