କରୋନା ଟିକା ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଦେଲେ ଏମିତି ବୟାନ

କରୋନା ଟିକା ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଦେଲେ ଏମିତି ବୟାନ

ଭୁବନେଶ୍ୱର: କରୋନା ଟିକା ନେଇ ଚାଲିଥିବା ବିବାଦ ଭିତରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। କେବଳ ବିହାର ନୁହେଁ, ସାରା ଦେଶରେ ମାଗଣାରେ କରୋନା ଟିକା ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିବା ସେ ସୂଚନା ଦେଇଛନ୍ତି।

ବିହାରରେ ମାଗଣାରେ ଟିକା ଦେବାକୁ ବିଜେପିର ଇସ୍ତାହାରରେ ଘୋଷଣା କରାଯିବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ କହିଛନ୍ତି, ସେଠାରେ ନିର୍ବାଚନ ଥିବାରୁ ଇସ୍ତାହାର ପ୍ରକାଶ କରାଯାଇଛି। କିନ୍ତୁ ସାରା ଦେଶରେ ମାଗଣାରେ କରୋନା ଟିକା ଦିଆଯିବ। ଓଡ଼ିଶାରେ ମାଗଣା ଟିକା ଦେବା ପ୍ରସଙ୍ଗରେ ଦୁଇ କେନ୍ଦ୍ରମନ୍ତ୍ରୀ କାହିଁକି ଚୁପ୍ ବୋଲି ଗତକାଲି ସିିରିଜ୍ ଟୁଇଟ୍ କରି ବିଜେଡି ପକ୍ଷରୁ ପ୍ରଶ୍ନ କରାଯିବା ପରେ କେନ୍ଦ୍ରମନ୍ତ୍ରୀ ଏହାର ଜବାବ ରଖିଛନ୍ତି।

ସୂଚନାଯୋଗ୍ୟ, କରୋନା ଟିକା ନେଇ ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀଙ୍କୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ ସିିରିଜ୍ ଟୁଇଟ୍ କରି ପ୍ରଶ୍ନ କରିଥିଲେ। ବିହାରକୁ ମାଗଣାରେ କରୋନା ଟିିକା ଦେବାକୁ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇ ପାରୁଛନ୍ତି, ତେବେ ଓଡ଼ିଶାର ଲୋକଙ୍କୁ ମାଗଣା ଟିକା ପ୍ରଦାନ କରିବା ପାଇଁ କଥାଦେବାକୁ ପଛ ଘୁଞ୍ଚା କାହିଁକି ବୋଲି ମନ୍ତ୍ରୀ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଓଡିଶାବାସୀ ଚାହୁଁଛନ୍ତି ବୋଲି ଯୋଗାଣ ମନ୍ତ୍ରୀ ଉଲ୍ଲେଖ କରିଥିଲେ।

Share this story