ଓରଟେଲ୍ ଓ ଓଟିଭିରେ ଲାଗିଛି ବିପୁଳ କଳାଧନ: ଫିଟୁଛି ଗୁମର…

ଭୁବନେଶ୍ୱର: ବେଆଇନ ଜମି ଜାଲିଆତିକୁ ନେଇ ଏବେ ଚକ୍ରବ୍ୟୁହରେ ଫସିଥିବା ବୈଜୟନ୍ତଙ୍କ ନାମରେ ପୁଣି ଏକ ସଙ୍ଗିନ ଅଭିଯୋଗ ଆସିଛି। ଦରିଆପାରି ଭୂତ କମ୍ପାନୀ ସହ ବୈଜୟନ୍ତ ବେଆଇନ କଳାଟଙ୍କା କାରବାର କରିଥିବା ଅଭିଯୋଗ ହୋଇଛି। ନିଜ ମାଲିକାନାରେ ଥିବା ଅରଟେଲ କମ୍ୟୁନିକେସନ, ମେଟ୍ରୋ ସ୍କାଏ ନେଟ୍ ଓ ଓଟିଭିରେ ଏ କଳାଧନ ନିବେଶ ହୋଇଥିବା କୁହାଯାଉଛି। ବାହାମାସ୍ର ଜାଲ୍ କମ୍ପାନୀରୁ ଏଭଳି ପ୍ରାୟ ୧୮ କୋଟି ଟଙ୍କା ଶ୍ରୀ ପଣ୍ଡାଙ୍କ ମାଲିକାନାରେ ଥିବା ବିଭିନ୍ନ ସଂସ୍ଥାକୁ ଆସିଛି।
ଅଭିଯୋଗ ଅନୁଯାୟୀ, ଟିକସ ଫାଙ୍କିବାକୁ ପଣ୍ଡା କମ୍ପାନୀ ନିଜ ଟଙ୍କା ବାହାମାସ୍ ହାୱଲାରେ ପଠାଉଥିଲା। ପୁଣି ସେ ଟଙ୍କା ଗଳାବାଟରେ ତାଙ୍କ ସଂସ୍ଥାକୁ ନିବେଶ ଆକାରରେ ଆସୁଥିଲା। ଏମିତି କଳା ଟଙ୍କା ଧଳା ହେଉଥିଲା। ପୂର୍ବତନ ସାଂସଦଙ୍କର ଏଭଳି ବେଆଇନ ଅର୍ଥ କାରବାର ନେଇ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ମାମଲାର ତଦନ୍ତ ପାଇଁ କୋର୍ଟ ଗତ ଫେବ୍ରୁଆରୀରେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ରାଜନୈତିକ ଚାପ ପ୍ରୟୋଗ କରି ବୈଜୟନ୍ତ ମାମଲା ଚାପି ଦେବାରେ ସଫଳ ହୋଇଛନ୍ତି। ତୁରନ୍ତ ମାମଲାର ଖୋଳତାଡ଼ କରିବାକୁ ସାମାଜିକ ସଂଗଠନ ‘ପାଥ୍’ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମଓ) ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅନୁରୋଧ କରାଯାଇଛି। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ‘ପାଥ୍’ ଅଭିଯୋଗ କରିଛି, ବୈଜୟନ୍ତ-ଜାଗି ବେଆଇନ ଭାବେ ବିଦେଶୀ ପାଣ୍ଠି କାରବାର କରିଛନ୍ତି। ଟିକସ ଚୋରି ସହ ସିଏସ୍ଆର ପାଣ୍ଠି ମଧ୍ୟ ହଡ଼ପ କରିଛନ୍ତି। ବାହାମାସ୍ରେ ଥିବା ୩ଟି ଜାଲ୍ କମ୍ପାନୀ ମେସିନା, ପିକିକା ଓ ଫିନ୍ଲେ ମାଧ୍ୟମରେ ଓରଟେଲକୁ ଭିନ୍ନ ଭିନ୍ନ ସମୟରେ କୋଟି କୋଟି ଟଙ୍କାର ନିବେଶ ଆସିଛି। ଏହି କଳାଧନ କାରବାରର ତଦନ୍ତ କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେବାକୁ ୮ ମାସ ବିତିଥିଲେ ହେଁ ଏବେ ବି ପ୍ରକ୍ରିୟା ଆଗାଉନାହିଁ।
ଏ ନେଇ କେନ୍ଦ୍ର ସରକାରଙ୍କ ସଂସ୍ଥା ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଆୟକର ବିଭାଗ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏ ଘଟଣାର ପ୍ରକୃତ ତଦନ୍ତ ହେଲେ କଳାଧନର କଳା କାରବାର ଉପରୁ ପର୍ଦ୍ଦା ହଟିବ। ପଣ୍ଡାଙ୍କ ସଂସ୍ଥାରେ ବାହାମାସର ୩ଟି କମ୍ପାନୀ ନିବେଶ କରିଥିଲାବେଳେ ବାହାମସ୍ ରେଜିଷ୍ଟ୍ରାର ଅଫ କମ୍ପାନୀ ରେକର୍ଡ ଅନୁସାରେ ଏ ୩ଟି କମ୍ପାନୀର ଠିକଣା ଗୋଟିଏ। ତେଣୁ ଏ ସଂସ୍ଥାର ବୈଧତା ନେଇ ପ୍ରଶ୍ନ ଉଠିଛି। ଏ କମ୍ପାନୀର ନିର୍ଦ୍ଦେଶକ କିଏ, କେଉଁ ବ୍ୟବସାୟ ପାଇଁ ଏହା ପଞ୍ଜୀକୃତ ତା’ର କିଛି ସୂଚନା ନାହିଁ। ନିଜ ବେଆଇନ ସାମ୍ରାଜ୍ୟକୁ ବଳୁଆ କରିବାକୁ ଅସ୍ତିତ୍ୱ ନଥିବା ବିଦେଶୀ ଭୂତ କମ୍ପାନୀଠାରୁ ବୈଜୟନ୍ତ ପାଣ୍ଠି ଭିଡ଼ିବା ପଛରେ ଥିବା ରହସ୍ୟକୁ ନେଇ ଏବେ ନାନା ଚର୍ଚ୍ଚା ଜୋର ଧରିଛି। ଏବେ ଉକ୍ତ କମ୍ପାନୀରେ ତାଲା ଝୁଲୁଛି। ସାମ୍ ଇନଭେଷ୍ଟମେଣ୍ଟ ଜରିଆରେ ବୈଜୟନ୍ତ ଏହି ୧୮ କୋଟିର ନିବେଶ ବେଆଇନ ଭାବେ ଭିଡ଼ିଥିଲାବେଳେ ତାଙ୍କୁ ସହଯୋଗ କରିଛନ୍ତି ମଞ୍ଜୁଳା ଦେବୀ ଶ୍ରଫ୍। ଦୁଇଟି ପର୍ଯ୍ୟାୟରେ ୧୮ କୋଟି ଟଙ୍କା ପଣ୍ଡା କମ୍ପାନୀକୁ ଆସିଥିଲାବେଳେ ପ୍ରକୃତରେ ପଣ୍ଡାଙ୍କ ଏ ଟଙ୍କା ହାୱଲା ମାଧ୍ୟମରେ ଭାରତରୁ ବାହାମାସ୍ ଯାଇଥିଲା। ଟିକସ ଫାଙ୍କିବାକୁ ବୈଜୟନ୍ତ-ଜାଗି-ମଞ୍ଜୁଳା ଚଞ୍ଚକତା କରିଥିବା ଅଭିଯୋଗ ହୋଇଛି।