ବିଷ ଓଗାଳିଲେ ଜଗନ୍ନାଥ : ସମ୍ଭାଳ ନହେଲେ,ନହେଲେ ପରିସ୍ଥିତି ଅସମ୍ଭାଳ

ଦଳ ଭିତରେ ଅସନ୍ତୋଷ ଓ ଉତ୍ସର୍ଗୀକୃତ ନେତାଙ୍କୁ କରାଯାଉଛି ଅଣଦେଖା । ଏହା ଆମେ ନୁହେଁ ବରଂ ଏହା କହିଛନ୍ତି ବିଜେପିର ଯୁବନେତା ଜଗନ୍ନାଥ ପ୍ରଧାନ। ସୂଚନାଯୋଗ୍ୟ ଯେ ଜଗନ୍ନାଥ ପ୍ରଧାନଙ୍କୁ ନେଇ ବର୍ତ୍ତମାନ ରାଜନୀତି ଖୁବ୍ ସରଗରମ। ଆଗାମୀ ଦିନରେ ବିଜେଡିରେ ମିଶିବାକୁ ନେଇ ଜଗନ୍ନାଥ ପ୍ରତ୍ୟାଖ୍ୟାନ କରିଛନ୍ତି କିନ୍ତୁ ଦଳ ଯଦି ତାଙ୍କ ଅଭିଯୋଗକୁ ସମୀକ୍ଷା ନ କରି ଉପଯୁକ୍ତ ପଦକ୍ଷେପ ନନିଏ ତେବେ ଏହି ଚର୍ଚ୍ଚା ଭବିଷ୍ୟରେ ସତ୍ୟ ହୋଇପାରେ ବୋଲି ଓଲଟା ଧମକ ଦେଇଛନ୍ତି। ସୂଚନାନୁଯାୟୀ ବିଜେପିରେ ବରିଷ୍ଠ ନେତାଙ୍କୁ ଅଣଦେଖା କରାଯିବା ସହିତ ନୂଆକରି ବିଜେପିରେ ମିଶିଥିବା କାର୍ଯ୍ୟକାର୍ତ୍ତାଙ୍କ କାର୍ଯ୍ୟଶୈଳୀ ଓ ଦଳର ନିୟମରେ ବ୍ୟତିକ୍ରମ କରିବା ନୀତିକୁ ଘୋର ବିରୋଧ କରିଛନ୍ତି ଜଗନ୍ନାଥ।
ତେଣୁ ସେମାନଙ୍କ ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅପିଲ୍ କରିଛନ୍ତି ଜଗନ୍ନାଥ। ଅନ୍ୟପକ୍ଷରେ କିଛିଦିନ ତଳେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରଶ୍ମି ରଂଜନଙ୍କ ଟିମ୍ ଯିଏକି କାର୍ଯ୍ୟକାରୀ ସଭାପତିଙ୍କ ନାମ ଘୋଷଣା କରିଛନ୍ତି ଓ ତାହାକୁ ସ୍ୱୀକୃତି ଦେଇଛନ୍ତି ବିଭିନ୍ନ ଜିଲ୍ଲାର ବିଜେପି ଜିଲା ସମ୍ପାଦକମାନେ, ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରି ସୋସିଆଲ୍ ମିଡିଆରେ ମଧ୍ୟ ଛାଡିଛନ୍ତି। ଯାହା ଦଳବିରୋଧୀ କାର୍ଯ୍ୟ ଅଟେ। ଏହାର ଘୋର ନିନ୍ଦା କରିଛନ୍ତି ଜଗନ୍ନାଥ ପ୍ରଧାନ। ତେବେ ୧୫ ବର୍ଷରୁ ଅଧିକ ସମୟ ଧରି ଦଳରେ କାର୍ଯ୍ୟରତ ଜଗନ୍ନାଥ ଦଳୀୟ ତ୍ରୁଟିକୁ ସର୍ବସମ୍ମୁଖରେ ସର୍ବଦା ପ୍ରତିବାଦ କରିଆସିଛନ୍ତି ।
ଅନ୍ୟପଟେ କିଛିଦିନ ତଳେ ନଗର ସଭାପତି ପଦକୁ ନେଇ ବାବୁ ସିଂ ଓ ଜଗନ୍ନାଥଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା ଯାହାକୁ ସମାଧାନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ବର୍ତ୍ତମାନ ଦେଖିବାକୁ ବାକି ରହିଲା କୋଉ ପାଣି କୁଆଡେ ଯାଉଛି। ଏହି ସବୁ ଘଟଣା ପରେ ଜଗନ୍ନାଥ ବିଜେପିରେ ରହିବେ ନା ବିଜେଡିର ହାତ ଧରିବେ ତାହା ଦେଖିବାକୁ ବାକି ରହିଲା।