ଭାରତ ବିଭାଜନ ପଛରେ ଥିଲା ଜବାହରଲାଲ ନେହେରୁ ଏବଂ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ହାତ : ଅପରାଜିତା

ଭାରତ ବିଭାଜନ ପାଇଁ କଂଗ୍ରେସ ଦାୟୀ । ଜବାହରଲାଲ ନେହେରୁ ଏବଂ ମହମ୍ମଦ ଅଲ୍ଲୀ ଜିନ୍ନା ଏହି ଷଡ଼ଯନ୍ତ୍ର ପଛରେ ଥିଲେ ବୋଲି ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତ ଷଡ଼ଙ୍ଗୀ କହିଛନ୍ତି । ପୁର୍ବତଟ ରେଳ ପକ୍ଷରୁ ଭୁବନେଶ୍ୱର ରେଳଷ୍ଟେସନ ପରିସରରେ ଆୟୋଜିତ "ବିଭାଜନ ବିଭୀଷିକା ସ୍ମୃତି ଦିବସ" କାର୍ଯ୍ୟକ୍ରମରେ ଯୋଗ ଦେଇ ଅପରାଜିତା ଏଭଳି କିଛି କହିଛନ୍ତି । ଯାହାକୁ ପିସିସି ସଭାପତି ଶରତ ପଟ୍ଟନାୟକ କାଉଣ୍ଟର କରିଛନ୍ତି ।
ଅପରାଜିତା ତାଙ୍କ ଅଭିଭାଷଣରେ କହିଥିଲେ ଅଗଷ୍ଟ ୧୪, ୧୯୪୭ ଦେଶ ବିଭାଜନର ଦିନ । ଭାରତ ବିଭାଜନ ଅତ୍ୟନ୍ତ ଦୁଃଖଦାୟକ । ଯାହା ଦେଶବାସୀ କେବେ ଭୁଲି ପାରିବେ ନାହିଁ । ଏଥିପାଇଁ ଦାୟୀ କିଏ ? କଣ ପାଇଁ ବିଭାଜନ ହୋଇଥିଲା । ଇତିହାସର ସତ୍ୟତାକୁ ସମସ୍ତେ ଜାଣିବା ଦରକାର । ବିଶେଷ ଦେଶ ବିଭାଜନ ପାଇଁ କିଏ ଦାୟୀ, ତା'ର ସତ୍ୟତା ଆଗାମୀ ପିଢ଼ି ଜାଣିବା ଜରୁରୀ ।
ମହମ୍ମଦ ଅଲ୍ଲୀ ଜିନ୍ନା ଏବଂ ଜବାହରଲାଲ ନେହେରୁ ଯଦି ଠିକ ଭାବରେ କଂଗ୍ରେସ ସହ ସନ୍ଧି କରିଥାନ୍ତେ । ତାହେଲେ ଭାରତ ବିଭାଜିତ ହୋଇ ନଥାନ୍ତା । ଅଖଣ୍ଡ ଭାରତ ହୋଇ ରହିଥାନ୍ତା । ଆଜିର ପାକିସ୍ତାନ ଏବଂ ଏବେର ବାଂଲାଦେଶ ଭାରତର ଅଭିଛେଦ୍ୟ ଅଙ୍ଗ ହୋଇ ରହିଥାନ୍ତା । ପଣ୍ଡିତ ଜବାହରଲାଲ ନେହେରୁ କେଉଁଠି ନା କେଉଁଠି ଯଥାଶୀଘ୍ର ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିଲେ । ମହମ୍ମଦ ଅଲ୍ଲୀ ଜିନ୍ନା ପାକିସ୍ତାନର କ୍ଷମତା ଚାହୁଁଥିଲେ । ସେଥିପାଇଁ ଏ ବିଭାଜନ କରାଗଲା । ମହମ୍ମଦ ଅଲ୍ଲୀ ଜିନ୍ନା , ପଣ୍ଡିତ ଜବାହରଲାଲ ନେହେରୁ ଏବଂ ସାଇରିଲ ରେଡ଼କ୍ଲିଫ ହିଁ ଜାଣିଥିଲେ ଦେଶ ବିଭାଜନ କଥା । ଆଜିର ଦିନରେ ସେମାନେ ଭାରତବାସୀଙ୍କୁ ଉତ୍ତର ଦିଅନ୍ତୁ ବୋଲି ଅପରାଜିତା କହିଛନ୍ତି ।
ସେପଟେ ପିସିସି ସଭାପତି ଏହାର ଜବାବ ଦେଇଛନ୍ତି । ଶରତ ପୁରୁଣା ପୃଷ୍ଠା ଲେଉଟାଇ ବିଜେପି ସାଂସଦ ଅପରାଜିତାଙ୍କୁ କାଉଣ୍ଟର କରିଛନ୍ତି । ଯେଉଁମାନେ କଂଗ୍ରେସକୁ ଦାୟୀ କରୁଛନ୍ତି । ସେମାନେ ସେତେବେଳେ କେଉଁଠି ଥିଲେ । ତାଙ୍କ ଦଳ କେଉଁଠି ଥିଲା । ଯେଉଁମାନେ ପ୍ରଶ୍ନ ଉଠାଉଛନ୍ତି ସେମାନେ ଭାରତବର୍ଷର ଇତିହାସକୁ ପଢିବା ଦରକାର । ସ୍ବାଧୀନତା ସଂଗ୍ରାମର ଇତିହାସ ଦେଶବାସୀ ଜାଣିଛନ୍ତି । ପିଢ଼ି ପରେ ପିଢ଼ି ଆହୁରି ଜାଣିବେ । ୭୫ ବର୍ଷ ଧରି କେଉଁଠି ଥିଲେ ସେମାନେ ଏବଂ ସେମାନଙ୍କ ଦଳ ।